‘ଫନି’ର ୭୨ ଘଣ୍ଟା ପରେ ଲାଇନ୍, ପାଣିରେ ପୂରା ଫେଲ୍

ଯୋବ୍ରା ରିଂ ବନ୍ଧରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କଟକ : ସ୍ଥିତି ସୁଧାରିବାକୁ ପ୍ରଶାସନ ନେଇଥିଲା ୭୨ ଘଣ୍ଟା ସମୟ। ପିଇବା ପାଣି ଓ ବିଦ୍ୟୁତ ଯୋଗାଣକୁ ନେଇ ପ୍ରଶାସନ ନିଜ ଆଡୁ ଏଭଳି ସମୟ ଧାର୍ଯ୍ୟ କରିଥିଲେ ବି ତାହା ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। କୌଣସି ଗୋଟିଏ ଅଞ୍ଚଳରେ ବି ୭୨ ଘଣ୍ଟା ପରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇପାରି ନାହିଁ। ୨୪ ଘଣ୍ଟା ଭିତରେ ଏସସିବି, କ୍ୟାଣ୍ଟ‌ନମେଣ୍ଟ ରୋଡ, ସିଟି ହସ୍ପିଟାଲ, ଶିଶୁ ଭବନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହେବ ବୋଲି ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଘୋଷଣା କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସବୁ ଅଞ୍ଚଳରେ ବି ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇପାରି ନାହିଁ। ଗତକାଲି ରାତିରେ ପରୀକ୍ଷା ମୂଳକ ଭାବେ କଟକ ବଡ ମେଡିକାଲ ପରିସରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲେ ବି ତାହା ଠିକରେ କାର୍ଯ୍ୟ କରି ପାରି ନଥିବା ସୂଚନା ମିଳିଛି।

ଅନ୍ୟପଟେ ‘ଫନି’ କଟକ ଅତିକ୍ରମ କରିବାର ୭୨ ଘଣ୍ଟା ପରେ ବି ସହରର ସବୁ ଅଞ୍ଚଳରେ ପହଞ୍ଚି ପାରିନି ପିଏଚଡି ପାଣି। ଟାଙ୍କୀ ଯୋଗ‌େ ପାଣି ଯୋଗାଣ ହେଉଛି ସତ କିନ୍ତୁ ପାଇପ ଯୋଗେ ସବୁ ଘରେ ଏବଂ ସବୁ ସାହିରେ ଏଯାଏ ପାଣି ପହଞ୍ଚି ନ ପାରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଜି ସକାଳ ପ୍ରାୟ ୯ଟା ପାଖାପାଖି ସମୟରେ ଯୋବ୍ରା ଅଞ୍ଚଳବାସୀଙ୍କ ପକ୍ଷରୁ ପିଇବା ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ଆଣି ରାସ୍ତାରୋକ କରାଯାଇଥିଲା। ତତ୍ତ୍ବବଟ ନିକଟ ରାସ୍ତାରେ ଉଭୟ ପଟେ ଗଛ ଡାଳ ପକାଇ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ପ୍ରଥମେ ପୁଲିସ ପହଞ୍ଚି ଥିଲେ ବି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ବିଫଳ ହୋଇଥିଲା। ପାଣି ଯୋଗାଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଲୋକେ ଅଡି ବସିଥିଲେ। ପରେ ଅଧିକାରୀମାନେ ସେଠାରେ ପହଞ୍ଚି ପାଣି ଯୋଗାଣର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଏଭଳି ରାସ୍ତାରୋକ ଚାଲିଥିବା ବେଳେ ରିଂ ବନ୍ଧ ଉପରେ ନିର୍ଭର କରୁଥିବା ଲୋକ ଯିବା ଆସିବାରେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ।

ଅନ୍ୟପଟେ ସିଡିଏ ଅଫିସ ନିକଟରେ ଥିବା ପାଣି ଟାଙ୍କି ପଛ ପଟ ଅଞ୍ଚଳ ଅରୁଣୋଦୟ ନଗରରେ ସବୁ ସ୍ଥାନରେ ପାଇପ ଯୋଗେ ପାଣି ପହଞ୍ଚି ନପାରିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପାଣି ଟାଙ୍କି ପାଖରେ ଥିବା ଅଞ୍ଚଳକୁ ୭୨ ଘଣ୍ଟା ଭିତରେ ପାଣି ନପହଞ୍ଚିବା ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସେହି ଅଞ୍ଚଳରେ ଟ୍ୟାଙ୍କର ଯୋଗ‌େ ପାଣି ଯୋଗାଣ ଚାଲିଛି। ଅନ୍ୟପଟେ କଟକ ସହର ବହୁ ଅଞ୍ଚଳକୁ ଏଯାଏ ପାଣି ପହଞ୍ଚି ନପାରିବା ଘଟଣା ଅସନ୍ତୋଷର କାରଣ ହୋଇଛି।

ସହରର ପ୍ରମୁଖ ରାସ୍ତା କୁହାଯାଉଥିବା ବାଦାମବାଡି-ମଧୁପାଟଣା ପର୍ଯ୍ୟନ୍ତ କେବଳ ମୁଖ୍ୟ ରାସ୍ତା ଓ ରାସ୍ତା ପାର୍ଶ୍ବ ଅଞ୍ଚଳରେ ଆଜି ରାତି ସୁଦ୍ଧା ବିଦ୍ୟୁତ ଯୋଗାଣ ପାଇଁ ସୂଚନା ଦିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ସହରରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ନେଇ ସଂପୂର୍ଣ୍ଣ ଅନିଶ୍ଚିତତା ସୃଷ୍ଟି ହୋଇଥିବା ବେଳେ ଗୋଟିଏ ପଟେ ଅପରାଧ ବଢୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସାମଗ୍ରୀର କଳାବଜାର ବଢିବାରେ ଲାଗିଛି। ଚାର୍ଜ ଲାଇଟ୍ ଏମିତିକି ମହମବତୀର କଳାବଜାର ହେଉଛି। ଟାଙ୍କୀକୁ ପାଣି ଉଠାଣ ବ୍ୟବସ୍ଥାରେ ଲୋକଙ୍କ ଠାରୁ ଚଢା ଦର କସୁଛନ୍ତି ପମ୍ପ ଅପରେଟର। ଆରମ୍ଭରୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଉଥିବା ବେଳେ ଏବେ ଲୋକ ବଳର ଅଭାବ ଦର୍ଶାଉଛି। ରିଲିଫ୍ ଏବଂ ପଲିଥିନ ବଣ୍ଟନରେ ଅବ୍ୟବସ୍ଥା ନେଇ ବି ସାହି ବସ୍ତିରେ ଅଭିଯୋଗ ହେଉଛି। ଆଜି ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଅରବିନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ପ୍ରଶାସନ ପୁଣି ଦୋହରାଉଥିଲେ ବି ବର୍ତ୍ତମାନ ସ୍ଥିତି ଅନୁଯାୟୀ ବିଦ୍ୟୁତ ଓ ପାଣି ଯୋଗାଣକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ସମ୍ବନ୍ଧିତ ଖବର