ଖର୍ଚ୍ଚ ବୃଦ୍ଧି ସତ୍ତ୍ବେ ରାଜ୍ୟରେ ପାଣି ଓ ସଡ଼କ ପ୍ରକଳ୍ପ ମନ୍ଥର

ଭୁବନେଶ୍ୱର : ଜଳ ବିନା ଜୀବନ ଅସମ୍ଭବ, ସେମିତି ଯୋଗାଯୋଗ ବିନା ସମୃଦ୍ଧି ଅପହଞ୍ଚ। ମୁଖ୍ୟତଃ ଏହି ଦୁଇଟି ଅପରିହାର୍ଯ୍ୟ ପ୍ରାଥମିକତାକୁ ଗୁରୁତ୍ୱ ଦେଇ ସରକାର ଗ୍ରାମାଞ୍ଚଳ ବିକାଶର ପରିକଳ୍ପନା କରିଥିଲେ ହେଁ ରାଜ୍ୟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଯେ ଅହେତୁକ ଭାବେ ମନ୍ଥର, ତାହା ବିଭାଗୀୟ ତଥ୍ୟରୁ ସ୍ପଷ୍ଟ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରଦତ୍ତ ମାସିକ ଅଗ୍ରଗତି ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି କେନ୍ଦ୍ର ସରକାରଙ୍କ ‘ଜଳ ଜୀବନ ମିଶନ୍‌’ରେ ୨୨୪୦ କୋଟି ଟଙ୍କା ଉପଲବ୍ଧ। ସେହିପରି ବସୁଧା ଯୋଜନାରେ ୨୫୦୦ କୋଟି, ଗ୍ରାମୀଣ ଭିତ୍ତିଭୂମି ପାଣ୍ଠିରେ ୭୫୦ କୋଟି, ରାଜ୍ୟ ଚତୁର୍ଥ ଅର୍ଥ କମିସନ୍‌ଙ୍କ ସୁପାରିସରେ ମେଗା ପାଇପ୍‌ ଜଳ ଯୋଜନା ନିମନେ୍ତ ୧୩୫ କୋଟି, ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ପରିଷଦ (ଓମ୍‌ବାଡ୍‌ସି) ପାଣ୍ଠିରୁ ୨୭୩୨ କୋଟି ୧୦ ଲକ୍ଷ ଏବଂ ଜିଲ୍ଲା ଖଣିଜ ଫାଉଣେ୍ଡସନ୍‌ (ଡିଏମ୍‌ଏଫ୍‌) ପାଣ୍ଠିରୁ ୧୩୧୯ କୋଟି ୪୮ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୯,୬୭୬ କୋଟି ୫୮ ଲକ୍ଷ ଟଙ୍କା କେବଳ ପାନୀୟ ଜଳ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ। ତେବେ ବିଡ଼ମ୍ବନା ହେଲା- ପାଣ୍ଠିର ଅଭାବ ନଥିଲେ ହେଁ ଚଳିତ ଆର୍ଥିକ ବର୍ଷର ୮ ମାସ ଅତିକ୍ରାନ୍ତ ପରେ ବି ଉପଲବ୍ଧ ବିପୁଳ ପାଣ୍ଠିରୁ ପ୍ରକଳ୍ପ ବାବଦରେ ମାତ୍ର ୨୮.୭୧% (୨୭୭୮ କୋଟି ୧୫ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଛି। ଅନ୍ୟ ପକ୍ଷରେ ମୋଟ ବ୍ୟୟ ଅଟକଳର ଏକ-ତୃତୀୟାଂଶରୁ କମ୍‌ ଅର୍ଥ ଖର୍ଚ୍ଚ ହୋଇଥିଲେ ହେଁ ନଭେମ୍ବର ଶେଷ ସୁଦ୍ଧା ହାତକୁ ନିଆଯାଇଥିବା ୧୫୯୭ ପ୍ରକଳ୍ପ ମଧ୍ୟରୁ ୮୬୦ଟି ପ୍ରକଳ୍ପ (୫୩.୮୫%)ର ନିର୍ମାଣ ଶେଷ ହୋଇଛି ବୋଲି ବିଭାଗ ପକ୍ଷରୁ ଯେଉଁ ଦାବି କରାଯାଇଛି-ତାହା କୁହେଳିକାପୂର୍ଣ୍ଣ। ଯଦି ଅଟକଳର ୨୮.୭୧% ବ୍ୟୟରେ ଅଗ୍ରଗତି ହାର ଅର୍ଦ୍ଧାଧିକ, ତେବେ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର ନିର୍ମାଣ ସମ୍ପୂର୍ଣ୍ଣ ହେବାକୁ ହୁଏତ ତା’ଠାରୁ କମ ବ୍ୟୟ ହେବ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ସୂଚନାଯୋଗ୍ୟ, ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ମୂଳ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି ପାଇଥାଏ। ବିଭାଗୀୟ ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷର ୮ ମାସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ବାବଦ ବ୍ୟୟ ଅଟକଳର ୩୦%ରୁ କମ ଥିବାରୁ ନିର୍ମାଣ ଅଗ୍ରଗତି ଯେ ମନ୍ଥର, ସେଥିରେ ସନ୍ଦେହ ନାହିଁ। ଆଗାମୀ ୪ ମାସ ମଧ୍ୟରେ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର ନିର୍ମାଣ ଯଦି ସମ୍ପୂର୍ଣ୍ଣ ହୋଇ ନପାରେ ତେବେ, ବ୍ୟୟ ଅଟକଳ ବୃଦ୍ଧି ପାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

Nbmcw.com

ଗ୍ରାମ୍ୟ ଅର୍ଥନୀତିର ବିକାଶ ଦିଗରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଏହାକୁ ଦୃଷ୍ଟିରେ ରଖି ସବୁ ଦିନିଆ ଗ୍ରାମ୍ୟ ସଂଯୋଗ ରାସ୍ତା ନିର୍ମାଣ ଲାଗି କେନ୍ଦ୍ର ସରକାର ୨୦୦୦ ଡିସେମ୍ବରରେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ୱାଇ)। ଶତ ପ୍ରତିଶତ କେନ୍ଦ୍ରୀୟ ଅନୁଦାନରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୧୫ ନଭେମ୍ବରରେ ପରିବର୍ତ୍ତିତ ହୋଇ କେନ୍ଦ୍ରୀୟ ଅନୁଦାନ ୬୦%କୁ ହ୍ରାସ ପାଇଥିଲା। ସୁତରାଂ ବ୍ୟୟ ଅଟକଳର ୪୦% ବୋଝ ପଡ଼ିଛି ରାଜ୍ୟ ଉପରେ। ତେବେ ଦୀର୍ଘ ୧୫ ବର୍ଷ ଧରି ଶତ ପ୍ରତିଶତ ଅନୁଦାନରେ ଚାଲିଥିବା ଏହି ଯୋଜନାରୁ ପଡ଼ୋଶୀ ରାଜ୍ୟମାନେ ବେଶ ଫାଇଦା ଉଠାଇଥିଲା ବେଳେ ଓଡ଼ିଶା ସେଥିରେ ବିଶେଷ ସଫଳ ହୋଇ ନଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ରିପୋର୍ଟ ଅନୁଯାୟୀ ଏହି ଯୋଜନାରେ ଅବଶିଷ୍ଟ ୪୮୯ ଗ୍ରାମ ପାଇଁ ୭୫୦୦ କିଲୋମିଟରର ସଂଯୋଗ ରାସ୍ତା ବାକି ଥିଲା ବେଳେ ୩୩୧୮ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ। ପିଏମ୍‌ଜିଏସ୍‌ଓ୍ୱାଇ-୧ରେ ଅନ୍ତର୍ଭୁକ୍ତ ଗ୍ରାମଗୁଡ଼ିକ ପାଇଁ ଏ ବର୍ଷ ୧୩୪୭ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ୧୧୮୮.୯୭ କିମି ରାସ୍ତା ନିର୍ମାଣ ଲକ୍ଷ୍ୟ ଥିଲା ବେଳେ ନଭେମ୍ବର ଶେଷ ସୁଦ୍ଧା ୬୨୩ କୋଟି ୭୭ ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ୨୧୩.୨୫ କିମି ରାସ୍ତା। ଅଟକଳର ୪୬.୩୦% ଅର୍ଥ ଖର୍ଚ୍ଚ ହୋଇ ପ୍ରକଳ୍ପର ୧୭.୯୪% କାମ ସମ୍ପୂର୍ଣ୍ଣ ହୋଇଥିବାରୁ ଅବଶିଷ୍ଟ ୮୨.୬% ରାସ୍ତା ନିର୍ମାଣ ଶେଷ ହେବାକୁ ବ୍ୟୟ ଅଟକଳ ଆଶାତୀତ ଭାବେ ବୃଦ୍ଧି ପାଇବା ଆଶଙ୍କା ଘନୀଭୂତ ହୋଇଛି। ସେହିପରି ପିଏମ୍‌ଜିଏସ୍‌ଓ୍ୱାଇ-୨ରେ ୧୧୪୨ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ୯୦୩.୧୪ କିମି ରାସ୍ତା ନିର୍ମାଣ ଲକ୍ଷ୍ୟ ଥିଲା ବେଳେ ନଭେମ୍ବର ଶେଷ ସୁଦ୍ଧା ୪୭୩.୦୪ କୋଟି (ଅଟକଳର ୪୧.୪୦%) ବ୍ୟୟରେ ନିର୍ମିତ ହୋଇଛି ୨୬୫.୮୮ କିମି ରାସ୍ତା। ଧାର୍ଯ୍ୟ ଲକ୍ଷ୍ୟର ୨୯.୪୪% ରାସ୍ତା ନିର୍ମାଣ ବାବଦରେ ବ୍ୟୟ ଅଟକଳର ୪୧.୪% ଅର୍ଥ ଖର୍ଚ୍ଚ ହୋଇଥିବାରୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ବେଳକୁ ବ୍ୟୟ ଭାର ଯଥେଷ୍ଟ ବୃଦ୍ଧି ପାଇବ।

ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏ ବର୍ଷ ୨୯୯ଟି ରାସ୍ତା ପ୍ରକଳ୍ପ ଲାଗି ୨୫୭ କୋଟି ୨୦ ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଥିଲା ବେଳେ ନଭେମ୍ବର ଶେଷ ସୁଦ୍ଧା ୧୫୧ କୋଟି ୫୮ ଲକ୍ଷ ଟଙ୍କା (ଅଟକଳର ୫୮.୯୩%) ଖର୍ଚ୍ଚରେ ସେଥିରୁ ୯୫ ପ୍ରକଳ୍ପ (୩୧.୭୭%) କାମ ଶେଷ ହୋଇଛି। ସୁତରାଂ ଅବଶିଷ୍ଟ ୨୦୪ଟି ପ୍ରକଳ୍ପ (୬୮.୨୩%) ସମ୍ପୂର୍ଣ୍ଣ ହେବାକୁ ବ୍ୟୟ ଅଟକଳ ଯେ ଦୁଇଗୁଣ ବୃଦ୍ଧି ପାଇବ, ସେଭଳି ଆଶଙ୍କା ଘନୀଭୂତ ହେବା ସ୍ୱାଭାବିକ। ବିଜୁ ସେତୁ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ବ୍ୟୟରେ ୧୫୦ଟି ସେତୁ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ ନଭେମ୍ବର ଶେଷ ସୁଦ୍ଧା ୩୪୬ କୋଟି ଟଙ୍କା (୩୪.୬୨%) ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୩୭ଟି (୨୪.୬୬%) ପ୍ରକଳ୍ପ। ଆର୍ଥିକ ବର୍ଷର ଅବଶିଷ୍ଟ ୪ ମାସରେ ବାକି ଥିବା ୧୧୩ଟି ସେତୁ ନିର୍ମାଣ ସମ୍ଭବ ହେବ କି ନୁହେଁ ଏବଂ ବ୍ୟୟ ଅଟକଳ କେତେ ବଢ଼ିବ- ତାହା ଆଗାମୀ ମାର୍ଚ୍ଚରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର