ପାଣି ବିଲ୍‌ରେ ପାତରଅନ୍ତର: ମିଟର ଲାଗିଛି ବିଲ୍ ଦେଉନାହାନ୍ତି ନେତା, ଅଫିସର

ସରକାରୀ କ୍ବାର୍ଟର୍ସ, ସାଧାରଣ ଲୋକଙ୍କ ପାଇଁ ଅଲଗା ନିୟମ

ଭୁବନେଶ୍ବର : ଭୁବନେଶ୍ବର, ପୁରୀ, ବ୍ରହ୍ମପୁର, ରାଉରକେଲାରେ ପ୍ରାୟ ୧ଲକ୍ଷ ୨୦ହଜାର ଘରେ ପାଣି ମିଟର ସଂଯୋଗ କରାଯାଇଛି। ‌ମିଟରରେ ଯେତିକି ୟୁନିଟ ଉଠୁଛି ସେହି ଅନୁଯାୟୀ ପାଣି ବିଲ୍‌ ଦିଆଯାଉଛି। ହେଲେ ବିଲ୍‌ ଆଦାୟରେ ନଗର ଉନ୍ନୟନ ବିଭାଗ ପାତରଅନ୍ତର କରୁଛି। ସାଧାରଣ ଲୋକଙ୍କ ଠାରୁ ୟୁନିଟ ପିଛା ୫ଟଙ୍କା ୨୯ ପଇସା ହିସାବରେ ପାଣି ବିଲ୍‌ ଦେୟ ଆଦାୟ କରୁଥିବା ବେଳେ ସରକାରୀ କ୍ବାର୍ଟର୍ସରୁ ମାସକୁ ମାତ୍ର ୧୦୩ଟଙ୍କାରୁ ୩୪୨ ଟଙ୍କା (କ୍ବାର୍ଟର୍ସ ଅନୁଯାୟୀ) ଆଦାୟ କରୁଛି। ଯାହାକୁ ନେଇ ଏବେ ବିବାଦ ଉଠିଛି।

ଯଦି ୪ଟି ସହରାଞ୍ଚଳର ସାଧାରଣ ଲୋକମାନେ ୟୁନିଟ ପିଛା ପାଣି ବିଲ୍‌ ଦେବେ‌ ତେବେ ସରକାରୀ କ୍ବାର୍ଟର୍ସରେ କାହିଁକି ଏହି ନିୟମ ଲାଗୁ ହେବନି? ସରକାରୀ କ୍ବାର୍ଟର୍ସ ବାସିନ୍ଦା ଯେତିକି ବିଦ୍ୟୁତ ବ୍ୟବହାର କରୁଛନ୍ତି ସେହି ଅନୁଯାୟୀ ୟୁନିଟ୍ ପିଛା ମାସକୁ ମାସ ଟଙ୍କା ଗଣୁଛନ୍ତି। ହେଲେ ଏଥିରେ ରହୁଥିବା ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ମାସକୁ ଲକ୍ଷାଧିକ ଲିଟର ପାଣି ବ୍ୟବହାର କରୁଥିଲେ ବି ୟୁନିଟ ପିଛା ଟଙ୍କା ଦେଉନାହାନ୍ତି। ଖାଲି ପାଣି ବିଲ୍‌ ଆଦାୟ କରିବାର ଅଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ଓ ୱାଟ୍‌କୋ ସର୍ବନିମ୍ନ ଦେୟ ଆଦାୟ କରୁଛି।

ଯଦି ବିଦ୍ୟୁତ ବିଲ୍‌ ଆଦାୟରେ ପାତର ଅନ୍ତର ହେଉନି, ତେବେ ପାଣି ବିଲ୍‌ ଆଦାୟରେ ପାତର ଅନ୍ତର କାହିଁକି? ନଗର ଉନ୍ନୟନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଟାଇପ୍-୨ଆର୍‌ କ୍ବାର୍ଟର୍ସରେ ରହୁଥିବା ଲୋକ ସବୁଠୁ କମ୍‌ ମାସକୁ ୧୫୩ଟଙ୍କା ଦେଉଥିବା ବେଳେ ଏଥିରୁ ୫୦ଟଙ୍କା ସ୍ବେରେଜ୍‌ ପାଇଁ ଏବଂ ୧୦୩ଟଙ୍କା ପାଣି ବିଲ୍‌ ବାବଦକୁ ଦେଉଛନ୍ତି। ମନ୍ତ୍ରୀ, ଆଇଏଏସ୍‌, ଆଇପିଏସ୍‌ ମାନେ ରହୁଥିବା ଟାଇପ୍-୮ କ୍ବାର୍ଟର୍ସ ବାସିନ୍ଦା ସର୍ବାଧିକ ୩୯୨ଟଙ୍କା ଦେଉଥିବାବେଳେ ଏଥିରୁ ୫୦ଟଙ୍କା ସ୍ବେରେଜ୍ ଏବଂ ୩୪୨ଟଙ୍କା ପାଣି ପାଇଁ ଦେଉଛନ୍ତି।

NoBroker

ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୪ଟି ସହରରେ ଏବେ ପ୍ରାୟ ସମସ୍ତ ସରକାରୀ କ୍ବାର୍ଟର୍ସରେ ପାଣି ମିଟର ଲାଗିସାରିଲାଣି। ପ୍ରତି ମାସରେ ମିଟର ରିଡିଂ ହେଉଛି। ମିଟର ରିଡିଂ କରିବାକୁ ଯାଉଥିବା ଲୋକ ବି ରିଡିଂ ପାଇଁ ଟଙ୍କା ନେଉଛି। କିନ୍ତୁ ମିଟର ପିଛା ପାଣି ବିଲ୍‌ ଆଦାୟ ହେଉନି। ଯେଉଁଥିପାଇଁ ୱାଟ୍‌କୋ ଓ ଜନସ୍ବାସ୍ଥ୍ୟ ବିଭାଗ ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ବ ହରାଉଛି।

ରାଜଧାନୀର ସବୁ ସରକାରୀ ବଡ଼ ବାବୁ, ମନ୍ତ୍ରୀ ରହୁଥିବା ହାୟର୍‌ ଟାଇପ୍ କ୍ବାର୍ଟର୍ସରେ ଦିନକୁ ୫ରୁ ୬ହଜାର ଲିଟର ପାଣି (ଗୋଟିଏ ସଂଯୋଗ ପିଛା) ବ୍ୟବହାର ହେଉଛି। ଏପରିକି ମାସକୁ ଦେଢ ଲକ୍ଷରୁ ଦୁଇ ଲକ୍ଷ ଲିଟର ପାଣି ବ୍ୟବହାର ହେଉଥିବା ପାଣି ମିଟର ରିଡିଂରୁ ଜଣାପଡ଼ିଛି। ଏହାକୁ ହିସାବକୁ ନେଲେ ଦୈନିକ ୩୧.୭୪ଟଙ୍କା ହିସାବରେ ମାସକୁ ୯୫୨ଟଙ୍କା ୨୦ପଇସା ହେଉଛି। ହେଲେ ବାବୁମାନେ ମାତ୍ର ୩୪୨ଟଙ୍କା ଦେଉଛନ୍ତି।

କେବଳ ଏତିକି ନୁହେଁ। ବଡ଼ ବଡ଼ ବାବୁଙ୍କ ଘରେ ବେଆଇନ ଭାବେ ୫ରୁ ୬ଟି ପାଣି ସଂଯୋଗ ଦିଆଯାଇଛି। ଗୋଟିଏ ପାଣି ସଂଯୋଗ ପାଇଁ ଅର୍ଥ ଦେଉଥିବା ବେଳେ ବାକି ସଂଯୋଗ ଜବରଦସ୍ତ ନେଇଛନ୍ତି। ଏଥିରେ ସେମାନେ ନିଜ କ୍ବାର୍ଟର୍ସ ପାଇଁ ଦୁଇଟା ସଂଯୋଗ, ବଗିଚା ପାଇଁ ଗୋଟିଏ/ଦୁଇଟା ସଂଯୋଗ, ଘରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ୨ଟି ପାଣି ସଂଯୋଗ ନେଇଛନ୍ତି। ଗୋଟିଏ ସଂଯୋଗରେ ୬ହଜାର ଲିଟର ପାଣି ବ୍ୟବହାର ହେଉଥିବା ହିସାବ କଲେ ମାସକୁ ୫ଟି ସଂଯୋଗ ବାବଦକୁ ପ୍ରାୟ ୪୭୬୧ଟଙ୍କା ଦେବାକୁ ପଡ଼ିବ। ହେଲେ ଅଫିସରମାନେ ଏହାର ୧୦ଭାଗରୁ ଭାଗେ ବି ଦେଉନାହାନ୍ତି।

ଅପରପକ୍ଷେ ଜଣେ ସାଧାରଣ ଲୋକ ଦିନକୁ ଦୁଇ ହଜାର ଲିଟର ବ୍ୟବହାର କଲେ ବି ମାସକୁ ୩୧୭.୪୦ ଟଙ୍କା ପାଣି ବିଲ୍‌ ବାବଦକୁ ଦେଉଛି। ପାଣି ୟୁନିଟ ଦର ବର୍ଷକୁ ବର୍ଷ ବଢ଼ୁଥିବାବେଳେ ସାଧାରଣ ଲୋକଙ୍କ ଉପରେ ୟୁନିଟ ବୋଝ ଲଦା ହୋଇଚାଲିଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଣି ମିଟର ଲଗାଇବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଥିବାବେଳେ ଆଗକୁ ସରକାରୀ ବାବୁଙ୍କ ପାଣି ବିଲ୍‌ ବୋଝ ସାଧାରଣ ଲୋକ ବୋହିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର