ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜ୍ୟ‌ର ସମସ୍ତ ସହରାଞ୍ଚଳରେ ଏବେ ସୁଦ୍ଧା ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଲାନି। ଏବେବି ଲୋକଙ୍କୁ ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ପାଣି ମିଳୁଛି। ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରତି କିଲୋଲିଟର ପିଛା‌ ୬ଟଙ୍କା ୧୨ପଇସା ହିସାବରେ ବିଲ୍ ଆଦାୟ ହେଉଛି। ବର୍ଷକୁ ବର୍ଷ ୫% ହିସାବରେ ପାଣି ବିଲ୍ ବଢ଼ି ଚାଲିଛି। ୱାଟ୍‌କୋ ଓ ଜନସ୍ବାସ୍ଥ୍ୟ ବିଭାଗର ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ରାଜ୍ୟ ସରକାର ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥାକୁ ଟେକିଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ସରକାରୀ ଉଦ୍ୟୋଗ ଭାବେ ‘ୱାଟ୍‌କୋ’ର ଘରୋଇକରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ମାସ ତଳେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ଏଥିରେ ଟାଟା ପାୱାରକୁ ସହରାଞ୍ଚଳର ଜଳ ଯୋଗାଣ, ରକ୍ଷଣାବେକ୍ଷଣ ଦାୟିତ୍ବ ଦେବାକୁ ଆଲୋଚନା ହୋଇଥିଲା। ଏହାପରେ ଟାଟା ପାୱାର କର୍ତ୍ତୃପକ୍ଷ ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ଅନୁଗୁଳରେ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ୱାଟ୍‌କୋ ପକ୍ଷରୁ ‌କେତେ କିମିର ପାଇପ୍ ଲାଇନ୍ ବିଛାଯାଇଛି, କେତୋଟି ପମ୍ପହାଉସ୍ ଅଛି, କେତୋଟି ଓଭରହେଡ୍ ଟାଙ୍କି, ସମ୍ପ୍, ଜଳ ବିଶୋଧନାଗାର ଅଛି, ଇନ୍‌ଟେକ୍‌ ୱେଲ୍‌ ନିକଟରେ ଜଳ ପ୍ରବାହ ସ୍ଥିତି କ’ଣ ଅଛି, କେଉଁ ଅଞ୍ଚଳରେ କେତେ ଲୋକ ପାଣି ସଂଯୋଗ ନେଇଛନ୍ତି, କେତେ ଟଙ୍କା ଜଳକର ବାବଦକୁ ଆଦାୟ ହେଉଛି, କେତେ ଲୋକଙ୍କ ଘରେ ମିଟର ଲାଗିଛି, କେତେ ବ୍ୟବସାୟିକ ପ୍ରତିଷ୍ଠାନକୁ ପାଣି ସଂଯୋଗ ଦିଆଯାଇଛି ଓ କେତେ ରାଜସ୍ବ ଆସୁଛି ସେନେଇ ଏକ ସର୍ଭେ ରିପୋର୍ଟ ସେମାନେ ପ୍ରସ୍ତୁତ କରିଛନ୍ତି। ଏହାକୁ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ଯେପରି ସେସୁକୁ ଟାଟା ପାୱାର ନେଇଥିଲା, ସେହିପରି ଢାଞ୍ଚାରେ ୱାଟ୍‌କୋକୁ ଦେବାକୁ ଆପାତତଃ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

Advertisment

ଏବେ ଶିଳ୍ପାନୁଷ୍ଠାନ, ବ୍ୟବସାୟିକ ବ୍ୟବହାର, ପ୍ରତିଷ୍ଠାନଗୁଡ଼ିକରୁ ପ୍ରତି କିଲୋଲିଟର ପିଛା (ଏକ ୟୁନିଟ୍‌କୁ) ୨୦ଟଙ୍କା ୨୦ପଇସା ହିସାବରେ ବିଲ୍ ଆଦାୟ ହେଉଥିବାବେଳେ ଆବାସିକ ବ୍ୟବହାର ପାଇଁ ପ୍ରତି ୟୁନିଟ୍‌ ପିଛା ୬ଟଙ୍କା ୧୨ପଇସା ହିସାବରେ ବିଲ୍ ଆଦାୟ ହେଉଛି। ହେଲେ ବିଦ୍ୟୁତ୍ ବିଲ୍ ବୃଦ୍ଧି କରିବା ପାଇଁ ଯେପରି ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ସମେତ ଅନ୍ୟ ଅଂଶୀଦାରମାନଙ୍କୁ ଓଇଆର୍‌ସିରେ ଆବେଦନ କରିବାକୁ ପଡ଼େ ଏବଂ ଏହାପରେ ନିଷ୍ପତ୍ତି ନିଆଯାଏ, ପାଣି ୟୁନିଟ୍‌ ଦର ବୃଦ୍ଧି କ୍ଷେତ୍ରରେ କିନ୍ତୁ ତାହା ହୁଏନି। ଜନସ୍ବାସ୍ଥ୍ୟ ବିଭାଗର ୧୯୯୬ ମସିହାର ନିୟମ ଅନୁଯାୟୀ, ଏବେ ପ୍ରତି ବର୍ଷ ଜୁଲାଇ ମାସରେ ପାଣି ଦର ପ୍ରତି କିଲୋଲିଟର ପିଛା ୫% ବଢ଼ିବାରେ ଲାଗିଛି। ଏପରିକି ପାଣି ବିଲ୍ ବୃଦ୍ଧି, ଅନିୟମିତତା ନେଇ ଯାହାର ଅଭିଯୋଗ ରହିଲେ ବି ଏହାର ଶୁଣାଣି ପାଇଁ କୌଣସି ତୃତୀୟ ପକ୍ଷ ନାହିଁ। ଯିଏ ପାଣି ଯୋଗାଉଛି, ସେ ହିଁ ଅଭିଯୋଗ ଶୁଣାଣି କରିବ। ଅର୍ଥାତ୍ ୱାଟ୍‌କୋ ପରିଚାଳନା ନିର୍ଦ୍ଦେଶକ ହିଁ ଶୁଣାଣି କରିବେ। 

ଏପଟେ ଜଳ ଯୋଗାଣ ବ୍ୟବସ୍ଥା ଘରୋଇ ସଂସ୍ଥାକୁ ଗଲେ ପାଣି ଦର ହୁ ହୁ ହୋଇ ବଢ଼ିଚାଲିବ। ନଦନଦୀରେ ଭରପୂର ଓଡ଼ିଶାରେ ଲୋକ ପାଣି ବିଲ୍ ଦେଇ ଦହଗଞ୍ଜ ହେବେ ତାହା ଏବେଠାରୁ ଜଳ ଜଳ ଦିଶୁଛି। କେବଳ ଏତିକି ନୁହେଁ, ସହରାଞ୍ଚଳରେ ଘରକୁ ପାଣି ସଂଯୋଗ ନେବାକୁ ହେଲେ ୬୫୦୦ଟଙ୍କା ଜମା କରିବାକୁ ପଡ଼ୁଛି। ଏଥିରେ ୩୫୦୦ଟଙ୍କା ସେବା ଯୋଗାଉଥିବା ସଂସ୍ଥାର ଭିତ୍ତିଭୂମି ବାବଦକୁ, ୩ହଜାର ଟଙ୍କା ମୁଖ୍ୟ ପାଇପ୍‌ରୁ ଘରକୁ ପାଣି ସଂଯୋଗ ଦେବା ବାବଦକୁ ଆଦାୟ ହେଉଛି। ବିପିଏଲ୍ ବର୍ଗର ଲୋକଙ୍କ ପାଇଁ ୩୫୦୦ଟଙ୍କା ଛାଡ଼ ଥିବାବେଳେ ଅନ୍ୟ ଲୋକଙ୍କ ପାଇଁ ଏହା ବାଧ୍ୟତାମୂଳକ। ପୂର୍ବରୁ ପାଣି ସଂଯୋଗ ଦିଆଯିବାବେଳେ ଜନସ୍ବାସ୍ଥ୍ୟ/ୱାଟ୍‌କୋ କର୍ତ୍ତୃପକ୍ଷ ଏହି ପାଣି ସଂଯୋଗ ବାବଦକୁ ଫି’ ଆଦାୟ ହେବନି ବୋଲି କହୁଥିଲେ। କିନ୍ତୁ ଗତ କିଛି ମାସ ହେଲା ଏ ବାବଦକୁ ମାସକୁ ୧୦୦ଟଙ୍କା ଲେଖାଏଁ ଆଦାୟ କରିଚାଲିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ପାଣି ମିଟର ପାଇଁ ବିଲ୍‌ରେ ୫୦ଟଙ୍କା ଲେଖାଏଁ ଆଦାୟ ହେଉଛି। ହେଲେ କେବେ ଏହା ସରିବ ସେନେଇ କିଛି ନିୟମ ନାହିଁ। ୱାଟ୍‌କୋର ନିୟମ ଅନୁଯାୟୀ, ଯେତେଦିନ ଯାଏଁ ଘରେ ପାଣି ମିଟର ଲାଗିଛି ସେତେଦିନ ପର୍ଯ୍ୟନ୍ତ ମାସକୁ ୫୦ଟଙ୍କା ଲେଖାଏଁ ଗଣିବ। ହେଲେ ମାତ୍ର ୩ହଜାର ଟଙ୍କା ପାଣି ମିଟର ପାଇଁ ଜଣେ ହିତାଧିକାରୀ କାହିଁକି ପ୍ରତି ମାସରେ ୫୦ଟଙ୍କା ଲେଖାଏଁ ଗଣିବ ତାହା ବି ବୁଝାପଡ଼ୁନି।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପୂର୍ବରୁ ୨୦୨୫ ସୁଦ୍ଧା ସବୁ ସହରାଞ୍ଚଳକୁ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ସମ୍ଭବ ନହେବାରୁ ଏବେ ଏହାକୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ଏବେ ୱାଟ୍‌କୋ ପକ୍ଷରୁ ୨୯ଟି ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ହାତକୁ ନିଆଯାଇଥିବାବେ‌େଳ ୧୧ଟିରେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ହେଉଛି। ୧୩ଟିରେ କାମ ଚାଲିଛି। ହେଲେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଅଟୋମେସନ୍ ସିଷ୍ଟମ ଆରମ୍ଭ ହୋଇଥିଲା ତାହା ଏବେ ‌କେତେକ ସ୍ଥାନରେ ଖରାପ ହୋଇଗଲାଣି। ଯେଉଁଥିପାଇଁ ୨୪ଘଣ୍ଟା ବଦଳରେ କେତେକ ସ୍ଥାନରେ ଏହାକୁ ୧୦ରୁ ୧୧ଘଣ୍ଟାକୁ କମିଯାଇଛି। ଏହାସହ ପାଇପ୍‌ଲାଇନ୍ ମରାମତି କରିବାକୁ ଆବଶ୍ୟକ କର୍ମଚାରୀ ମିଳୁନାହାନ୍ତି। ରାଜ୍ୟ ସରକାର ଆବଶ୍ୟକ କର୍ମଚାରୀ, ଯନ୍ତ୍ରୀ ଦେଉନଥିବାରୁ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ କରିବା କଷ୍ଟକର ହୋଇପଡ଼ୁଛି। ଏହାକୁ ଦେଖାଇ ଏବେ ୱାଟ୍‌କୋକୁ ଘରୋଇକରଣ କରିବାକୁ ଆଲୋଚନା ଆରମ୍ଭ ହୋଇଛି। ଯେପରି ସେସୁକୁ ଟାଟା ପାୱାର ନେଇଛି ସେହିପରି ୱାଟ୍‌କୋର ପରିଚାଳନା କରିବ। ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯାଇପାରେ। ଏହାସହ ଉକ୍ତ ଅଧିକାରୀ କହିଛନ୍ତି ଯେ ଏବେ ଜଳକର ବାବଦକୁ ୱାଟ୍‌କୋ ପ୍ରାୟ ୧୦୦କୋଟି ଟଙ୍କା ଆଦାୟ କରୁଥିବାବେଳେ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅଧିକ ଅର୍ଥ ଦେଉଛନ୍ତି। ଏହାକୁ ଘରୋଇ ସଂସ୍ଥାକୁ ଦେଲେ ରାଜ୍ୟ ସରକାର ଆଉ ଅର୍ଥ ଖର୍ଚ୍ଚ କରିବେନି। ଘରୋଇ ସଂସ୍ଥା ପାଣି ଯୋଗାଇବ, ରକ୍ଷଣାବେକ୍ଷଣ କରିବ, ବିଲ୍ ଆଦାୟ କରିବ। ସୂଚନାଯୋଗ୍ୟ ଯେ ଯେଉଁ ୱାଟ୍‌କୋ ଡ୍ରିଙ୍କ୍‌ ଫ୍ରମ୍ ଟ୍ୟାପ୍ ଯୋଜନା, ୨୪ଘଣ୍ଟିଆ ପାନୀୟ ଜଳ ଯୋଜନା କରି ସାରା ଦେଶରେ ପ୍ରଶଂସିତ ହୋଇଥିଲା। ୱାଟ୍‌କୋର ମଡେଲ୍‌କୁ ‌କେନ୍ଦ୍ର ସରକାର ଅମୃତ ୨.୦ରେ ସାମିଲ କରି ଅନ୍ୟ ରାଜ୍ୟଗୁଡ଼ିକୁ ଏହାକୁ ଅନୁଧାବ କରିବାକୁ କହିଥିଲେ। ସେହି ୱାଟ୍‌କୋ ଏବେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣରେ ଫେଲ୍ ମାରିଥିବା ବେଳେ ଘରୋଇକରଣ ହେବାକୁ ବସିଛି।