ରାଉରକେଲା: ଗତ ୮ ଦିନ ଧରି ରାଉରକେଲାରେ ବ୍ୟାପିଥିବା ଡାଇରିଆ ସଂକ୍ରମଣ କମୁନି। ଆଜି ପୁଣି ଡାଇରିଆ ଦୁଇଜଣଙ୍କ ଜୀବନ ନେଇଛି। ସେମାନେ ହେଲେ ସେକ୍ଟର-୨୧ ନୟାବଜାର ସରୋଜିନୀ ଖଣ୍ଡାୟତ (୪୦) ଓ ଅନ୍ୟ ଜଣେ କିସାନଟୋଲାର ବିଜୟ କିସାନ (୫୨)। ଏମାନଙ୍କ ସହ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଏଥିମଧ୍ୟରୁ କେବଳ ଆର୍ଜିଏଚ୍ରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ହାଇଟେକ୍ ମେଡ଼ିକାଲରେ ୨, ଆଇଜିଚ୍ ଓ ବେଦବ୍ୟାସସ୍ଥିତ ଜୟପ୍ରକାଶ ହସ୍ପିଟାଲରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ୧୨ ଶିଶୁଙ୍କ ସମେତ ମୋଟ ୧୩୬ ଜଣ ଚିକିତ୍ସିତ ହେଉଛନ୍ତି। ସଂକ୍ରମଣର କାରଣ ଖୋଜା ଚାଲିଥିବା ବେଳେ ଆର୍ଜିଏଚ୍ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ କହିଛନ୍ତି, ପାଣିରୁ ଡାଇରିଆ ସଂକ୍ରମଣ ହେଉଛି। ମାକ୍ରୋ ବାୟୋଲୋଜିକାଲ୍ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟ ଅନୁଯାୟୀ ଡାଇରିଆ ପାଣିରୁ ହିଁ ସଂକ୍ରମଣ ହେଉଛି। ହେଲେ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଡାକ୍ତର ଶୁଭଙ୍କର ମହାପାତ୍ର ଏହାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ପାଣିରେ ରୋଗ ବ୍ୟାପିଛି କି ନାହିଁ ତର୍ଜମା ଚାଲିଛି। କିଛି ଦିନ ପରେ ଏହା ଜଣାପଡ଼ିବ। ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଅନ୍ୟ ୪ ଜଣଙ୍କ ବିସ୍ତୃତ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କେଉଁ କାରଣପାଇଁ ମୃତ୍ୟୁ ହୋଇଛି ଜଣାପଡ଼ିବ। ଏଥିସହ ଘରୋଇ ହସ୍ପିଟାଲରେ କେତେ ଡାଇରିଆ ରୋଗୀ ଭର୍ତ୍ତି ହୋଇଛନ୍ତି, ତାର ମଧ୍ୟ ବିସ୍ତୃତ ତଥ୍ୟ ମଗାଯାଇଛି।
ମୃତ୍ୟୁ ସଂଖ୍ୟା ୯ ଛୁଇଁଲା
ଆର୍ଜିଏଚ୍ରେ ୧୩୬ ଭର୍ତ୍ତି
୧୨ ହଟ୍ସ୍ପଟ୍ ଜୋନ୍ ଚିହ୍ନଟ
ସଚେତନ କରିବାକୁ ୪୦ ଗାଡ଼ି ନିୟୋଜିତ
ସହରରେ କୋଏଲନଗର, ନାଲାରୋଡ, ବାଲୁଘାଟ, ଉଦିତନଗର, ଛେଣ୍ଡକଲୋନି, ବାସନ୍ତୀକଲୋନି, ପାନପୋଷ ଏମିତି ୧୨ଟି ହଟ୍ ସ୍ପଷ୍ଟ ଜୋନ୍ ଚିହ୍ନଟ ହୋଇଛି। ଏସବୁ ସ୍ଥାନରୁ ପାଣି ନମୁନା ପରୀକ୍ଷା କରାଯାଇଛି। ହେଲେ କୌଣସି ସ୍ଥାନରେ ପାଣି ଦୂଷିତ ନାହିଁ। ଏହା ଖାଦ୍ୟରୁ ହୋଇଥାଇ ପାରେ ବୋଲି
ଅନୁମାନ କରାଯାଉଛି। ୱାଟ୍କୋର ନିର୍ବାହୀ ଅଧିକାରୀ ଶରତ ମିଶ୍ର ମଧ୍ୟ ପାଣିରୁ ଡାଇରିଆ ବ୍ୟାପୁନାହିଁ ବୋଲି କହିଛନ୍ତି। ଭୁବନେଶ୍ବର ୱାଟ୍କାରୁ ୮ ଜଣିଆ ଟିମ୍ ପାଣି ନମୁନା ସଂଗ୍ରହକାରୀ ଭ୍ୟାନ୍ ସହ ସହରର ବିଭିନ୍ନ ସ୍ଥାନରେ ପରୀକ୍ଷା କରିଛନ୍ତି। ଉଭୟ ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ କଥାରେ ତାଳମେଳ ରହୁନାହିଁ। ତେବେ କାହା କଥାର ସତ୍ୟତା ଅଛି, ତାକୁ ନେଇ ସହରବାସୀ ଦ୍ବନ୍ଦ୍ବରେ ପଡିଛନ୍ତି।
ଏସବୁ ଭିତରେ ଡାଇରିଆ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ଆର୍ଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଶଯ୍ୟା ଅଭାବ ପୂରଣ କରିବାକୁ ମାତୃ ଓ ଶିଶୁ ହସ୍ପିଟାଲରେ ଗୋଟିଏ ୱାର୍ଡକୁ ଡାଇରିଆ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ ମେଡ଼ିକାଲ କଲେଜରୁ ୮ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଘରୋଇ ନର୍ସିଂ କଲେଜରୁ ୪୦ରୁ ଅଧିକ ନର୍ସଙ୍କୁ ଚିକିତ୍ସା ସେବାରେ ନିୟୋଜିତ କରାଯାଇଛି। ସହରର କଲୋନି ଓ ବସ୍ତିରେ ଲୋକମାନଙ୍କୁ ସଚେତନ କରିବାକୁ ଆର୍ଏମ୍ସି ପକ୍ଷରୁ ୪୦ଟି ଗାଡି ନିୟୋଜିତ ହୋଇଛି। ୨୫ ଜଳ ସାଥୀ, ଆଶାକର୍ମୀ, ଏଏନ୍ଏମ୍ କର୍ମଚାରୀ ଘରେ ଘରେ ବୁଲି ପାଣିର ନମୁନା ସଂଗ୍ରହ କରୁଛନ୍ତି। ଆବଶ୍ୟକସ୍ଥଳେ ସଂକ୍ରମଣ ରୋଗୀଙ୍କୁ ଆର୍ଜିଏଚ୍ ପଠାଇବାର ବ୍ୟବସ୍ଥା କରୁଛନ୍ତି। ଏହାଛଡା ଆର୍ଏମ୍ସିର ସ୍ବାସ୍ଥ୍ୟବିଭାଗ ନିର୍ଦ୍ଦେଶରେ ଖାଦ୍ୟନିରୀକ୍ଷକ ନେତୃତ୍ବରେ ଗଠିତ ଟିମ୍ ସହରର ହୋଟେଲ, ରେସ୍ତୋରାଁ ଓ ଫାଷ୍ଟଫୁଡ୍ ଦୋକାନରେ ନିୟମିତ ଭାବେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି। କିଛି ସ୍ଥାନରୁ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଉଛନ୍ତି। ହେଲେ ୧୧ ତାରିଖରୁ ସହର ଓ ଏହାର ଆଖପାଖରେ ବ୍ୟାପିଥିବା ଡାଇରିଆକୁ ନିୟନ୍ତ୍ରଣ କରାଯାଇପାରିନି।