ରାଉରକେଲା: ବନ୍ଧମୁଣ୍ଡା ରେଳବାଇ କଲୋନିରେ ଚାଲିଛି ବେଆଇନ ପାଣି ବେପାର। ତା’ପୁଣି ସରକାରୀ ନଳକୂପରେ ମୋଟର ଲଗାଇ। ଗୋଟିଏ କି ଦୁଇଟି ନୁହେଁ ଏକାଧିକ ସରକାରୀ ନଳକୂପକୁ କବ୍ଜା କରି ଏମିତି ପାଣି ବେପାର ହେଉଛି। ଅନେକବାର ସ୍ଥାନୀୟ ଲୋକ ପ୍ରତିବାଦ କରୁଛନ୍ତି। ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ର ଦୃଷ୍ଟି ଆକର୍ଷଣ କରୁଛନ୍ତି। ବିଭାଗ ପକ୍ଷରୁ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏମିତି ସାଂଘାତିକ ଅଭିଯୋଗ ଆସିଛି ବନ୍ଧମୁଣ୍ଡା ଡିଜେଲ କଲୋନି ସମେତ ଅନ୍ୟାନ୍ୟ ଅଞ୍ଚଳରେ। ଡିଜେଲ କଲୋନିରେ ୫ରୁ ଅଧିକ ନଳକୂପ ରହିଛି। ଯେଉଁସବୁ ନଳକୂପରୁ ମୋଟର ଲଗାଇ ପାଣି ଉଠାଯାଇ ବିକ୍ରି କରାଯାଉଛି।
ନିକଟରେ ରହୁଥିବା କିଛି ଲୋକଙ୍କ ଘରକୁ ଯୋଗାଣ ହେଉଛି। ପ୍ରଭାବଶାଳୀ ଲୋକମାନେ ହ୍ୟାଣ୍ଡ ପମ୍ପରେ ସମରସେବଲ ଲଗାଇ କେବଳ ନିଜର ପରିଚିତ ଲୋକଙ୍କୁ ପାଣି ଯୋଗାଉଛନ୍ତି। ବସ୍ତିର ସବୁ ଲୋକଙ୍କୁ ପାଣି ମିଳୁ ନଥିବାରୁ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ଦେଉଛନ୍ତି। ବେଳେ ଖାଲିଥିବା ନଳକୂପରୁ ପାଣି ନେବା ବେଳେ କଳିଝଗଡା ମଧ୍ୟ ହେଉଛି। ପ୍ରାୟ ଦୁଇ ବର୍ଷ ଧରି ଡିଜେଲ୍ କଲୋନୀରେ ଏଭଳି ବେଆଇନ ପାଣି କାରବାର ଚାଲିଥିଲେ ହେଁ କାହାରି ନଜର ନ ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବନ୍ଧମୁଣ୍ଡାର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଏପରି ବେଆଇନ ପାଣି କାରବାର ଖୋଲାଖୋଲି ଭାବରେ ଚାଲିଛି।
ଆର୍ଏମ୍ସି ବିଭାଗୀୟ ଅଧିକାରୀ ସବୁ ଜାଣିଥିଲେ ମଧ୍ୟ ନ ଜାଣିଲା ପରି ଚୁପ୍ ରହୁଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବନ୍ଧମୁଣ୍ଡା ଡିଜେଲ୍ କଲୋନିର ଏ- ଟାଇପ ପ୍ରଥମ ଲାଇନ,ବି -ଟାଇପ ପ୍ରଥମ ଲାଇନ, କେ - କେବିନ୍ ବସ୍ତି, ଡିଜେଲ୍ କଲୋନୀ ମୁଖ୍ୟ ବଜାରରେ ନଗରାଳିକା ଦ୍ଵାରା ବସାଯାଇଥିବା ହ୍ୟାଣ୍ଡପମ୍ପରେ ସମରସେବଲ୍ ଲଗାଇ କିଛି ଲୋକ ନିଜର ନିଜର ବେପାର ଆରମ୍ଭ କରି ଦେଇଛନ୍ତି। ହ୍ୟାଣ୍ଡ ପମ୍ପରେ ସମରସେବଲ୍ ଲାଗିଥିବାରୁ ହ୍ୟାଣ୍ଡ ପମ୍ପରୁ ପାଣି ପାଇବା କଷ୍ଟକର ହୋଇପଡିଛି। ଲୋକମାନେ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ବନ୍ଧମୁଣ୍ଡାର ବିଭିନ୍ନ ବସ୍ତିରେ ପାଣି ସମସ୍ୟା ରହିଥିବାବାରୁ ଲୋକଙ୍କୁ ପାଣି କିଣି ନେବାକୁ ବାଧ୍ୟ କରାଯାଉଛି। ବେଆଇନ କାରବାରକୁ ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/୪-1.jpg)