ପାଣି ଚିନ୍ତା ଘାରିଲାଣି: ୧୩ ଶିଳ୍ପ ଟାଣୁଛନ୍ତି ବ୍ରାହ୍ମଣୀ ପାଣି, ତଳମୁଣ୍ଡରେ ଶୁଖିଯିବ ଜଳସ୍ରୋତ

ଅନୁଗୁଳ : ବ୍ରାହ୍ମଣୀ ପାଣି ଉପରେ ଏବେ ସମସ୍ତଙ୍କର ଆଖି। ଉପର ଏବଂ ତଳମୁଣ୍ଡରେ ଏ ଚିରସ୍ରୋତାର ଜଳ ସମ୍ପଦକୁ ଟାଣୁଛନ୍ତି ପ୍ରାୟ ଦୁଇ ଗଣ୍ଡା ଶିଳ୍ପ। ତା’ବାଦ୍‌ ବ୍ରାହ୍ମଣୀ ଉପରେ ଗୋଟିଏ ବ୍ୟାରେଜ୍‌ ନିର୍ମାଣ ଚାଲିଥିବା ବେଳେ ନାଲ୍‌କୋ ତଳମୁଣ୍ଡରେ ପୁଣି ଗୋଟିଏ ବ୍ୟାରେଜ୍‌ କରିବାକୁ ପ୍ରସ୍ତାବ ଦେଲାଣି। ଉପର ମୁଣ୍ଡରେ ବ୍ରାହ୍ମଣୀ ପାଣିକୁ ଯେଉଁଭଳି ଭାବେ ଶୋଷଣ କରାଗଲାଣି ଏବଂ ଗୋଟିଏ ପରେ ଗୋଟିଏ ବ୍ୟା‌ରେଜର ପରିକଳ୍ପନା ହେଲାଣି, ତଳମୁଣ୍ଡରେ ଯେ, ଆଗକୁ ବ୍ରାହ୍ମଣୀର ଜଳସ୍ରୋତ ଆହୁରି କମିବ, ଏବେଠୁ ତାହା ଜଳଜଳ ଦିଶିଲାଣି।

ବ୍ରାହ୍ମଣୀ ଉପରେ ରେଙ୍ଗାଳିଠାରେ ନିର୍ମିତ ନଦୀବନ୍ଧ ନଦୀର ପ୍ରାୟ ଜଳରାଶିକୁ ଅଟକାଇଛି। କୃଷିଠାରୁ ଆରମ୍ଭ କରି ଶକ୍ତି ଏବଂ ବନ୍ୟା ଆଦି ଘଟଣା ପାଇଁ ବେଶ୍ ଉପକାରୀ ହୋଇଛି ଏହି ନଦୀବନ୍ଧ। ରେଙ୍ଗାଳି ନଦୀବନ୍ଧର ଠିକ୍‌ ତଳକୁ ନିର୍ମିତ ସମଲ ବ୍ୟାରେଜ୍‌ ବ୍ରାହ୍ମଣୀ ପାଣିକୁ ଭାଗ ଭାଗ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ବ୍ୟାରେଜ୍‌ ପାଇଁ ବ୍ରାହ୍ମଣୀ ନଦୀର ପାଣି ଅନ୍ୟ ସ୍ଥାନ ଅପେକ୍ଷା ଏଠି ଅଧିକ। ସାରାବର୍ଷ ଏଠାରେ ଭରପୂର ପାଣି ରହୁଛି। ପ୍ରାୟ ଗଣ୍ଡାଏ ଶିଳ୍ପ ସଂସ୍ଥା ବଡ଼ ବଡ଼ ପାଇପ୍‌ ଯୋଗେ ଏଠାରୁ ପାଣି ଟାଣୁଛନ୍ତି। ଏନ୍‌ଟିପିସି ଭଳି ତାପଜ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ଏହି ବ୍ୟାରେଜ୍‌ ଉପରେ ନିର୍ଭରଶୀଳ। ସେହିପରି ଛେଣ୍ଡିପଦାସ୍ଥିତ ଜିନ୍ଦଲ କାରଖାନା ବି ଏହି ବ୍ୟାରେଜ୍‌ ଉପରେ ନିର୍ଭର କରୁଛି। ଏହା ସହିତ ଜେଆଇଟିପିଏଲ୍‌ ଏବଂ ଓପିଟିସିଏଲ୍ ଭଳି ଅନୁଷ୍ଠାନ ମଧ୍ୟ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଏହାର ପାଣି ଉପରେ ନିର୍ଭରଶୀଳ।

ନାଲ୍‌କୋ, ଏନ୍‌ଟିପିସି ଭାଗରେ ସିଂହଭାଗ ଜଳ
ଆଗକୁ ଏଫ୍‌ସିଆଇ, ସେକେଣ୍ଡ୍‌ ପିଛା‌ ଟାଣିବ ୩୦ କ୍ୟୁବିକ୍‌ ମିଟର
ସମଲ ପରେ ଆହୁରି ୨ଟି ବ୍ୟାରେଜ୍‌ର ପରିକଳ୍ପନା

ଏହି ବୃହତ୍‌ ଶିଳ୍ପସଂସ୍ଥା ବାଦ୍‌ ଏସିଆ ମହାଦେଶର ସର୍ବବୃହତ୍‌ ଆଲୁମିନିୟମ୍‌ କାରଖାନା ନାଲ୍‌କୋ ବ୍ରାହ୍ମଣୀରୁ ହିଁ ପାଣି ଗ୍ରହଣ କରୁଛି। ନାଲ୍‌କୋ ସିପିପି ଏବଂ ସ୍ମେଲ୍‌ଟର ନାଁରେ ନାଲ୍‌କୋ ଦୁଇ ଦୁଇଟା କାରଖାନା ଚଳାଉଛି। ଅନୁଗୁଳ ଜଳ ସମ୍ପଦ ବିଭାଗ ତଥ୍ୟ ମୁତାବକ, ନାଲ୍‌କୋ ପ୍ରତି ସେକେଣ୍ଡରେ ୪୭.୬୯୬ କ୍ୟୁବିକ୍‌ ଫୁଟ୍‌ ପାଣି ଉଠାଇବାକୁ ଅନୁମତି ନେଇଛି। ମୋଟ୍ ଉପରେ ହିସାବ କଲେ, ନାଲ୍‌କୋ ପ୍ରତି ମାସରେ ହାରାହାରି ପ୍ରାୟ ୩୫ ଲକ୍ଷ କ୍ୟୁବିକ୍‌ ମିଟର ପାଣି ବ୍ରାହ୍ମଣୀରୁ ଟାଣୁଛି।

YouTube

ସେହିପରି ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍‌(ଟିଟିପିଏସ୍‌) ବି ବ୍ରାହ୍ମଣୀ ପାଣିରୁ ବିଦ୍ୟୁତ୍‌ ଉତ୍ପାଦନ କରୁଥିଲା। ସେଥିପାଇଁ ଟିଟିପିଏସ୍‌କୁ ପ୍ରତି ସେକେଣ୍ଡ୍‌ରେ ୫୫. ୪୯୬ କ୍ୟୁବିକ୍‌ ଫୁଟ୍‌ ପାଣି ଉଠାଇବାକୁ ଅନୁମତି ଦିଆଯାଇଥିଲା। ଟିଟିପିଏସ୍‌ର ପୁରୁଣା ପ୍ଲାଣ୍ଟ୍ ଭଙ୍ଗାଯିବା ପରେ ଟିଟିପିଏସ୍ କର୍ତୃପକ୍ଷ ଗଲା ପ୍ରାୟ ବର୍ଷେ ହେଲା ଏତେ ସଂଖ୍ୟାରେ ପାଣି ଉଠାଣ କରୁ ନାହାନ୍ତି। ଅନୁମତିଠାରୁ ମାତ୍ର ୧୦ପ୍ରତିଶତ ଅର୍ଥାତ୍‌ ପ୍ରତି ସେକେଣ୍ଡରେ ୬କ୍ୟୁବିକ୍‌ ମିଟର ପାଣି ବ୍ୟବହାର କରୁଥିବା ଜଣାପଡ଼ିଛି।

ଏହି ଦୁଇ ଅନୁଷ୍ଠାନ ବାଦ୍‌ ପୁଣି ଯଦି କିଏ ବ୍ରାହ୍ମଣୀ ପାଣି ଟାଣିବାକୁ ବସିଛି, ସେ ହେଲା ତାଳଚେର ଏଫ୍‌ସିଆଇ। ବର୍ତ୍ତମାନ କାରଖାନା ଚାଲୁ ହୋଇନାହିଁ, କିନ୍ତୁ ଏ କାରଖାନା ଚାଲିବା ପାଇଁ କାରଖାନା କର୍ତୃପକ୍ଷ ଜଳ ସମ୍ପଦ ବିଭାଗଠାରୁ ପ୍ରତି ସେକେଣ୍ଡ୍‌ରେ ୩୦କ୍ୟୁବିକ୍‌ ମିଟର ପାଣି ଉଠାଇବାକୁ ଅନୁମତି ନେଇ ସାରିଛି। ସେହିପରି ଏମ୍‌ସିଏଲ୍ ପ୍ରତି ସେକେଣ୍ଡ୍‌ରେ ୧୨.୧୧ କ୍ୟୁବିକ୍‌ ମିଟର ପାଣି ନେବାକୁ ଅନୁମତି ପାଇଥିବା ଜଣାପଡ଼ିଛି।

ଇଏ କେବଳ ଅନୁଗୁଳ ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପର ତଥ୍ୟ। ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ସୀମାକୁ ଆସିଲେ, ଆହୁରି ପ୍ରାୟ ଗଣ୍ଡାଏରୁ ଅଧିକ ଶିଳ୍ପ ବ୍ରାହ୍ମଣୀରୁ ପ୍ରତି ସେକେଣ୍ଡ୍‌ରେ ପାଣି ଟାଣୁଛନ୍ତି। ଗଲା ଦଶନ୍ଧି ମଧ୍ୟରେ ବ୍ରାହ୍ମଣୀ କେବଳ ଶିଳ୍ପ ଜଗତର ଆର୍ଥିକ ମେରୁଦଣ୍ଡ ହୋଇନାହିଁ, ବରଂ ସାଧାରଣ ଜନଜୀବନର କେମିତି ଜୀବନରେଖା ପାଲଟିବାକୁ ଯାଉଛି ଏହି ସବୁ ତଥ୍ୟ ତାହା ସ୍ପଷ୍ଟ କରୁଛି।

ସମ୍ବନ୍ଧିତ ଖବର