ଏବେ ମୁଣ୍ଡରେ ପଶିଲା ପାଣି ଚିନ୍ତା; ବହିଯାଉଥିବା ପାଣି ସଂରକ୍ଷିତ ହେବ, ୬ବର୍ଷରେ ୧୧ହଜାର ୭୦୦ କୋଟି ଖର୍ଚ୍ଚ ଯୋଜନା

କ୍ୟାବିନେଟ୍‌ ବୈଠକରେ ୮ ପ୍ରସ୍ତାବ ପାରିତ
କେନାଲ ପାଣି ତଳମୁଣ୍ଡରେ ପହଞ୍ଚିବାକୁ ୧୧୫୦ କୋଟି
ପଞ୍ଚାୟତ କରିବ ସ୍କୁଲ, ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ
ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତିକୁ ମଞ୍ଜୁରି
ଡ୍ରେନେଜ୍ ପୁନରୁଦ୍ଧାର ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ

ଭୁବନେଶ୍ବର : ବର୍ଷାଦିନରେ ପ୍ରବାହିତ ଜଳ ସମୁଦ୍ରକୁ ଚାଲିଯାଉଛି। ଏମିତି ଅଭିଯୋଗ ଆଣିଥିଲେ କେନ୍ଦ୍ର ସରକାର ଓ ବିରୋଧୀ ଦଳ। ମହାନଦୀ ପ୍ରସଙ୍ଗରେ ବିଜେଡି ଆନ୍ଦୋଳନକୁ ପ୍ରତିହତ କରିବା ଲାଗି ବିରୋଧୀଙ୍କ ଏ ଅସ୍ତ୍ରକୁ ଲୋକେ ପ୍ରତ୍ୟାଖ୍ୟାନ କରିନଥିଲେ। ମତ ଉଠିଥିଲା ଯେ ବିଭିନ୍ନ ନଦୀରେ ସରକାର ପାଣି ଅଟକାଇବା ଲାଗି ଛୋଟ ଛୋଟ ଜଳଭଣ୍ଡାର କରିବେନି କାହିଁକି? ଶେଷରେ ରାଜ୍ୟ ସରକାର ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି କ୍ୟାବିନେଟ୍ ବୈଠକରେ ପ୍ରବାହିତ ଜଳକୁ ସଂରକ୍ଷିତ ରଖିବା ଲାଗି ନଦୀ ଉପରେ ଛୋଟ ଛୋଟ ବ୍ୟାରେଜ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। କେଉଁଠି କରିବେ, କେତେ ପାଣି ରହିବ, ସେ ନେଇ ସ୍ପଷ୍ଟ କୁହାଯାଇନଥିଲେ ହେଁ, ୬ବର୍ଷରେ ୧୧ହଜାର ୭୦୦ କୋଟି ଟଙ୍କା ବିନିଯୋଗ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। କେବଳ ସେତିକି ନୁହେଁ, ସ୍କୁଲ ଗୃହ, ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ଓ ପ୍ରାଣୀ ସମ୍ପଦ ଚିକିତ୍ସାଳୟ ନିର୍ମାଣ ଓ ମରାମତି କାମ ଏଣିକି ପଞ୍ଚାୟତ ଅନୁଷ୍ଠାନ କରିବେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି କରିଥିବା ସୁପାରିସରେ ମଧ୍ୟ ମୋହର ଲାଗିଛି।

ଏଥିସହିତ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟସେବା ପାଇଁ ମେଡିକାଲ ନିର୍ମାଣ କରିବାକୁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂସ୍ଥାମାନଙ୍କୁ ସୁଯୋଗ ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି। ସେହିପରି ଜଳସମ୍ପଦ ବିଭାଗର ଅନ୍ୟ ୫ଟି ପ୍ରସ୍ତାବ ଉପରେ ମନ୍ତ୍ରିମଣ୍ଡଳ ହଁ ମାରିଛନ୍ତି। ଏହି କ୍ରମରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଧର୍ମୀୟ ଅନୁଷ୍ଠାନ ରାଜ୍ୟ ହଜ୍‌ କମିଟି ଗୃହ ନିର୍ମାଣ ପାଇଁ ଭୁବନେଶ୍ବର ପୋଖରୀପୁଟରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ୨୦୦ ଡିସିମିଲି ଜମି ପ୍ରଦାନ କରାଯିବ। ଏହି ଜମି ପଞ୍ଜୀକରଣ ବାବଦରେ ଲାଗୁଥିବା ୬ ଲକ୍ଷ ୩୦ ହଜାର ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟିକୁ ସରକାର ଛାଡ଼ କରିଛନ୍ତି।

ବିଧାନସଭା ବଜେଟ୍‌ ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସଂକ୍ରାନ୍ତ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇନି। ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଳସଂପଦ ବିଭାଗର ଏକ ବଡ଼ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ନଦୀସ୍ରୋତକୁ ଅଟକାଇ ନଦୀ ବକ୍ଷରେ ନିର୍ମାଣ ହେବ ଇନ୍‌-ଷ୍ଟ୍ରିମ୍‌-ଷ୍ଟୋରେଜ୍‌ ବ୍ୟାରେଜ୍‌। ଏଥିପାଇଁ ୨୦୧୯-୨୦ରୁ ୨୦୨୪-୨୫ ପର୍ଯ୍ୟନ୍ତ ୬ ବର୍ଷ ଅବଧି ଧାର୍ଯ୍ୟ କରାଯାଇଛି। ଏବାବଦରେ ଖର୍ଚ୍ଚ ହେବାକୁ ଥିବା ୧୧ ହଜାର ୭୦୦ କୋଟି ଟଙ୍କାରୁ କେଉଁ ବର୍ଷ କେତେ ଖର୍ଚ୍ଚ ହେବ, ସେ ସୂଚନା ମିଳିନାହିଁ। ଏବର୍ଷ କେଉଁ ନଦୀ ଉପରେ ପ୍ରଥମେ ବ୍ୟାରେଜ ନିର୍ମାଣ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି, ସେ ତଥ୍ୟ ବି ହସ୍ତଗତ ହୋଇପାରିନାହିଁ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଅଚଳ ହୋଇଥିବା ଏଲ.ଆଇ ପଏଣ୍ଟ୍‌ଗୁଡ଼ିକୁ ଆସନ୍ତା ୫ ବର୍ଷ ମଧ୍ୟରେ ସଚଳ କରିବା ପାଇଁ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା। କେନାଲ ଜରିଆରେ ତଳମୁଣ୍ଡରେ ପାଣି ପହଞ୍ଚାଇବା ପାଇଁ ସରକାର ୨୦୧୩-୧୪ରେ କେନାଲ୍‌ ଲାଇନିଂ ଆଣ୍ଡ୍‌ ସିଷ୍ଟମ୍‌ ରିହାବିଲିଟେସନ୍‌ ପ୍ରୋଗ୍ରାମ୍ ଆରମ୍ଭ କରିଥିଲେ। ଏଥିପାଇଁ ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଯେଉଁଥିରେ ୧୨ଟି ବଡ଼ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ସହ ୫୩୪.୫୮ କିଲୋମିଟର କେନାଲ ଲାଇନିଂ କାମ ହାତକୁ ନିଆଯାଇଥିଲା। ଏହାସହିତ ୪୨୧.୨୪ କିଲୋମିଟର କେନାଲ ପାଇଁ ୪୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ମଧ୍ୟ ସରକାର ଆରମ୍ଭ କରିଥିଲେ। ୨୦୧୮ ମାର୍ଚ୍ଚ ଶେଷସୁଦ୍ଧା ୬୧୩ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚରେ ୩୮୦ କିଲୋମିଟର କେନାଲ ଲାଇନିଂ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି। ଫଲରେ କମାଣ୍ଡ ଏରିଆରେ ୬୨ ହଜାର ୯୩୩ ହେକ୍ଟର ଜମିରେ ଜଳସେଚନ ସୁବିଧା ପହଞ୍ଚିପାରିଛି। ଏବେ ବାକି ରହିଥିବା କାମକୁ ଆସନ୍ତା ୫ ବର୍ଷ (୨୦୧୮-୧୯ରୁ ୨୦୨୨-୨୩) ଭିତରେ ସମ୍ପୂର୍ଣ୍ଣ କରିବାକୁ ୧୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଯାହାକୁ ଆଜି କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ମିଳିଛି। ଆସନ୍ତା ୪ ବର୍ଷ ଭିତରେ (୨୦୧୯-୨୦ରୁ ୨୦୨୨-୨୩) ଡ୍ରେନେଜ୍‌ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୫୦୦ କୋଟି। ସେହିପରି ଅଧପନ୍ତରିଆ ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଡବ୍ଲ୍ୟୁଏସ୍‌ଆଇଡିପି ଯୋଜନା ବାବଦରେ ୫ ହଜାର କୋଟି ଟଙ୍କାର ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ଲାଗିଥିବା ଜଣାପଡ଼ିଛି।

ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବ ଅନୁଯାୟୀ, ଗ୍ରାମାଞ୍ଚଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ ଓ ମରାମତି କାର୍ଯ୍ୟ ଗ୍ରାମ ପଞ୍ଚାୟତ କରିବ। ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲର ନିର୍ମାଣ ଓ ମରାମତି କାର୍ଯ୍ୟ ପଞ୍ଚାୟତ ସମିତି କରିବ। ଜିଲ୍ଲା ପରିଷଦ ଅଧୀନରେ ଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟ କୋଠା ନିର୍ମାଣ ଓ ମରାମତି ଦାୟିତ୍ବ ପୂର୍ବପରି ଅପରିବର୍ତ୍ତିତ ରଖାଯାଇଛି। ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ ଓ ମରାମତି ଗ୍ରାମ ପଞ୍ଚାୟତ କରିବ। ଅନୁଦାନ ପ୍ରାପ୍ତ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଯଥାକ୍ରମେ ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ହାତରେ ରହିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରସ୍ତାବ ଅନୁଯାୟୀ, ଗ୍ରାମୀଣ ସ୍ବାସ୍ଥ୍ୟ ସବ୍‌ ସେଣ୍ଟର ନିର୍ମାଣ ଓ ମରାମତି କାର୍ଯ୍ୟ ଏଣିକି ଗ୍ରାମ ପଞ୍ଚାୟତ କରିବ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କୋଠା ନିର୍ମାଣ ଓ ମରାମତି ପଞ୍ଚାୟତ ସମିତି ଉପରେ ନ୍ୟସ୍ତ କରାଯାଇଛି। ନବନିର୍ମିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୂର୍ତ୍ତ ବିଭାଗ ନିର୍ମାଣ କରି ପଞ୍ଚାୟତ ସମିତିକୁ ହସ୍ତାନ୍ତର କରିବେ ବୋଲି ବ୍ୟବସ୍ଥା କରାଯାଇଛି। ଜିଲ୍ଲା ସଦର ମହକୁମା ହସ୍ପିଟାଲର ନିର୍ମାଣ ପୂର୍ବପରି ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ରହିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରସ୍ତାବ ଅନୁଯାୟୀ, ପ୍ରାଣୀ ଆଶୁ ଚିକିତ୍ସା କେନ୍ଦ୍ର ନିର୍ମାଣ ଓ ମରାମତି ଏଣିକି ଗ୍ରାମପଞ୍ଚାୟତମାନେ କରିବେ। ବ୍ଲକ୍ ସ୍ତରରେ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ପଞ୍ଚାୟତ ସମିତିକୁ ପ୍ରଦାନ କରାଯାଇଛି। ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗର ପ୍ରସ୍ତାବ ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ର ଓ ମିନି ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ଗ୍ରାମ ପଞ୍ଚାୟତମାନେ କରିବା ସହିତ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବା ଦାୟିତ୍ବ ପଞ୍ଚାୟତ ସମିତିକୁ ପ୍ରଦାନ କରାଯାଇଛି। ରାଜ୍ୟ ପଞ୍ଚମ ଅର୍ଥ କମିସନ ଓ କେନ୍ଦ୍ର ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ ଅର୍ଥ ବିଭାଗ ପଞ୍ଚାୟତିରାଜ ବିଭାଗକୁ ପାଣ୍ଠି ପ୍ରଦାନ କରିବ। ପଞ୍ଚାୟତିରାଜ ବିଭାଗକୁ ଏସବୁ ବିଷୟ ଉପରେ କ୍ଷମତା ପ୍ରଦାନ କରିବାକୁ ଗତ ୨୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ସୁପାରିସ କରିଥିଲା।

ରାଜ୍ୟରେ ଗୁଣାତ୍ମକ ଓ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ କରିବାକୁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନଗୁଡ଼ିକୁ ସରକାର ସୁଯୋଗ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଭିତ୍ତିଭୂମି ନିର୍ମାଣ କରାଯିବ। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବେସରକାରୀ ସଂସ୍ଥାମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ନୀତିକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଏଥିପାଇଁ ଅନୁଷ୍ଠାନମାନଙ୍କୁ ‘କ’, ‘ଖ’ ଓ ‘ଗ’ ବର୍ଗରେ ଅନ୍ତର୍ଭୁକ୍ତ କରାଯିବ। ‘କ’ ବର୍ଗରେ ଚାରିଟେବୁଲ ଟ୍ରଷ୍ଟମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ ପାଇଁ ବିନା ପ୍ରିମିୟମରେ ଜମି ଯୋଗାଇଦିଆଯିବ। ଭିତ୍ତିଭୂମି ନିର୍ମାଣ ବାବଦରେ ଏକକାଳୀନ ଆର୍ଥିକ ସହାୟତା ଯୋଗାଇଦିଆଯିବ। ଏହି ଶ୍ରେଣୀର ସଂସ୍ଥାମାନେ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଲୋକଙ୍କ ପାଇଁ ମାଗାଣାରେ ଶିକ୍ଷା କିମ୍ବା ସ୍ବାସ୍ଥ୍ୟସେବା ଯୋଗାଇବେ। ଏ ନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ପରେ ସେମାନଙ୍କ ସହିତ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିବେ ବୋଲି ସ୍ବତନ୍ତ୍ର ନୀତିରେ ଉଲ୍ଲେଖ ରହିଛି। ସେହିପରି ‘ଖ’ ବର୍ଗ ପାଇଁ ଫିଲାନ୍‌ଥ୍ରପିକ୍‌ ଅନୁଷ୍ଠାନ ଏବଂ ‘ଗ’ ବର୍ଗ ପାଇଁ ବ୍ୟାବସାୟିକ ପ୍ରତିଷ୍ଠାନ କିମ୍ବା ଏଜେନ୍‌ସିକୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର