ଗୋଟିଏ ସାହିର ଲୋକ ଅନ୍ୟ ସାହିକୁ ଯିବାକୁ ୪ କିମି ଚାଲୁଛନ୍ତି, ବାଟ ଓଗାଳୁଛି ଦାମଲଦେଇ ନଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପାହାଡିଆ ଓ ଦୁର୍ଗମ ଅଂଚଳ ହୋଇଥିବା ବେଳେ ଏଠାରେ ରହିଥିବା ନଦୀଗୁଡିକ ବହୁ ସମୟରେ ଲୋକଙ୍କୁ ଦୁଃଖ ଦୁର୍ଦଶାରେ ପକାଉଛନ୍ତି। ବର୍ଷ ଦିନ ହେଲେ ଏହି ପାହାଡିଆ ନଦୀରେ କ୍ଷୀପ୍ର ଗତିରେ ପାଣି ବହୁଥିବାରୁ ଲୋକେ ଦିନ ଦିନ ଧରି ବାହ୍ୟ ଜଗତରୁ ବିଛନ୍ନ ହୋଇଯାନ୍ତି, ଯାହାର ଖବର ପ୍ରଶାସନ ନିକଟରେ ପହଞ୍ଚିପାରେ ନାହିଁ। ଏଭଳି ଏକ ଗ୍ରାମର ଦୁଃଖ ଆମେ ଏଠାରେ ବଖାଣୁଛୁ। ଖଇରପୁଟ ବ୍ଲକର ପୋଡାଘାଟ ଏକ ବଡ ଗ୍ରାମ ତଥା ଏକ ପଞ୍ଚାୟତ ସଦର ମହକୁମା ଅଟେ। ଏହି ଗ୍ରାମରେ ପ୍ରାୟ ୫ଟି ସାହି ରହିଛି। ସାହିଗୁଡିକ ହେଲା ବୁରି ସାହି, ବାଲି ସାହି, ଡୁର୍କା ସାହି, ମୁଞ୍ଜୁରି ସାହି ଏବଂ ଓଡି ସାହି।

ତେବେ ଏହି ସାହିମାନଙ୍କ ମଧ୍ୟରୁ ବୁରି ସାହି ନଦୀର ଆରପଟେ ରହିଛି। ଗୋଟିଏ ଗାଁର ଗୋଟିଏ ସାହିକୁ ବାଟ ଓଗାଳିଛି ଦାମଲଦେଇ ନଦୀ। ବୁରି ସାହିରେ ପ୍ରାୟ ୧୦ ଜଣ ପରିବାର ବସବାସ କରୁଛନ୍ତି। ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଲୋକ ରହିଛନ୍ତି। ତେବେ ନିଜ ଗାଁର ଗୋଟିଏ ସାହିରୁ ଅନ୍ୟ ସାହିକୁ ଯିବାକୁ ତାଂକୁ ପ୍ରାୟ ୪ କିଲୋମିଟର ବାଟ ଦେଇ ଯିବାକୁ ପଡୁଛି। ଦାମଲଦେଇ ନଦୀରେ ପ୍ରାୟତଃ ସବୁବେଳେ ପାଣି ରହୁଥିବାରୁ ଲୋକେ ନଦୀ ପାର ହେବାକୁ ଭୟ କରିଥାନ୍ତି। ତେଣୁ ବାଧ୍ୟ ହୋଇ ଚାରି କିଲୋମିଟର ଚାଲି ଚାଲି ପୋଡାଘାଟ ଗାଁରେ ପହଞ୍ଚିଥାନ୍ତି। ଏପରିକି ପୋଡାଘାଟ ଗାଁଟି ସଦର ପଞ୍ଚାୟତ ହୋଇଥିବାରୁ ପଞ୍ଚାୟତକୁ ଯିବାକୁ ହେଲେ ଚାରି କିଲୋମିଟର ବୁଲି ଏହି ଲୋକମାନଙ୍କୁ ଯିବାକୁ ପଡିଥାଏ। ମାତ୍ର ୫୦୦ ମିଟର ଦୂରତା ଅତିକ୍ରମ କଲେ ସଦର ପଞ୍ଚାୟତ ଏବଂ ନିଜ ଗାଁର ଅନ୍ୟସାହି ପଡୁଥିବା ବେଳେ ତାଂକୁ ନଦୀ ଯୋଗୁଁ ବୁଲିକି ଯିବାକୁ ପଡୁଛି।

ବର୍ଷାଦିନ ହେଲେ ବୁରି ସାହିର ଲୋକେ ଏକ ପ୍ରକାର ବିଛିନ୍ନ ହୋଇଯାନ୍ତି।ଏହି ଗାଁରେ ସରକାରଙ୍କର କୌଣସି ଯୋଜନା ପହଞ୍ଚିପାରି ନାହିଁ। ବିଶେଷକରି ପାଣିର ଘୋର ଅଭାବ ବର୍ଷ ବର୍ଷ ଧରି ଲାଗି ରହିଛି।ଲୋକେ ବର୍ଷ ସାରା ଏହି ନଦୀର ପଣିକୁ ବ୍ୟବହାର କରିବା ସହ ଖରାଦିନ ହେଲେ ନଦୀର ଗୋଟିଏ ସ୍ଥାନରେ ଚୁଆ ଖୋଳି ସେଥିରୁ ପାଣି ସଂଗ୍ରହ କରିଥାନ୍ତି।ଯଦ୍ବାରା କି ସଂକ୍ରାମକ ରୋଗର ଶିକାର ହୋଇ ଅକାଳରେ ଜୀବନ ହାରୁଥିବା ମଧ୍ୟ କହିଥାନ୍ତି। ଗାଁକୁ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ପହଞ୍ଚୁନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।ସେହିପରି ଏହି ସାହିର ପିଲାମାନେ ଅଂଗନବାଡି ଯିବାକୁ ହେଲେ ଖଇରପୁଟ ପଞ୍ଚାୟତର ଗଡିଆଗୁଡା ଗ୍ରାମକୁ ଚାଲି ଚାଲି ପ୍ରାୟ ଦୁଇ କିଲୋମିଟର ବାଟ ଅତିକ୍ରମ କରି ଯାଇଥାନ୍ତି।

ସେହିପରି ସ୍କୁଲକୁ ମଧ୍ୟ ଏହି ଗଡିଆଗୁଡା ଗ୍ରାମକୁ ହିଁ ଯାଇଥାନ୍ତି। ବର୍ଷ ବର୍ଷ ଧରି ଦାମଲଦେଇ ନଦୀରେ ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ବହୁ ନେତା ଏବଂ ଲୋକ ପ୍ରତିନିଧି ଏହି ଗ୍ରାମକୁ ଆସି ତୁରନ୍ତ ନଦୀରେ ବ୍ରିଜ ନିର୍ମାଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ପ୍ରତିଶ୍ରୁତି ପାଣର ଗାର ସଦୃଶ୍ୟ ହୋଇଛି। ଲେକେ ଯେଉଁ ଅବସ୍ଥାରେ ପୂର୍ବରୁ ରହୁଥିଲେ ଏବେ ବି ସେହି ଅବସ୍ଥାରେ ହିଁ ରହୁଛନ୍ତି। ପିଡିଏସ ଚାକଳ ହେଉ ବା କିରୋସିନି କିମ୍ବା ଭତ୍ତା ଟଂକା ହେଉ ନିଜ ଗାଁରେ ହିଁ ମିଳୁଥିବା ବେଳେ ସେମାନଙ୍କୁ ଚାରି କିଲୋମିଟର ବାଟ ଅତିକ୍ରମ କରି ଯିବାକୁ ପଡୁଥିବାରୁ ତୁରନ୍ତ ନଦୀରେ ଏକ ବ୍ରିଜ ନିର୍ମାଣ କରିବାକୁ ଦାବି କରିଆସୁଛନ୍ତି। ଏହି ବୁରି ସାହିର ଲୋକେ ବର୍ଷା ଦିନ ହେଲେ ସଂପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇଯାନ୍ତି।

 

ସମ୍ବନ୍ଧିତ ଖବର