ଜୟପୁର: ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପ ଇନ୍ଦ୍ରାବତୀ ନଦୀରେ କରାଯାଇଛି। ୧୯୭୫ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ୧୯୭୮ ମସିହାରେ ଶିଳାନ୍ୟାସ କରାଯାଇଥିଲା। ୧ ଲକ୍ଷ ୨୮ହଜାର ହେକ୍ଟର ଜମିକୁ ଜଳସେଚନ ଓ ୬ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଥିଲା। ଏଭଳିକି ଡ୍ୟାମ ହେବା ପର ଠାରୁ ତଳମୁଣ୍ଡର ଚାଷୀ ପାଣି ପାଉନଥିବାରୁ ଆନ୍ଦୋଳନ, ଜନସ୍ବାର୍ଥ ମାମଲା ବି ରୁଜୁ ହେଲା। ଏହା ପରେ ବି ଫଳ ଶୁନ।  ତା’ପରେ ପୁଣି ଆନ୍ଦୋଳନ ମୁଣ୍ଡ ଟେକିବାରୁ ହାର୍ଜା କମିସନ୍ ଇନ୍ଦ୍ରାବତୀ ଓ ମୁରାନ୍ ଡ୍ୟାମରୁ ୭ କ୍ୟୁସେକ୍ ଜଳ ବର୍ଷ ତମାମ ଛାଡ଼ିବାକୁ ପଡ଼ିବ ବୋଲି ପ୍ରସ୍ତାବ ଦେଇଥିବା ବେଳେ ତାହା ବି ପ୍ରସ୍ତାବରେ ସୀମିତ।  କୋରାପୁଟଜିଲ୍ଲାର ମୁରାନ୍ ଡ୍ୟାମରୁ ବୁନ୍ଦାଏ ପାଣି ବି ଚାଷ ପାଇଁ ଛଡ଼ଯାଉନି। ତଳମୁଣ୍ଡର ଚାଷୀ  ପାଣି ନ ପାଇ ଗତ ୪୯ବର୍ଷ ହେବ ଶୁଖା ହୋଇ ରହିଛି।

Advertisment

ସୂଚନାଯୋଗ୍ୟ, ଗତ ୪୯ ବର୍ଷ ତଳେ ଆରମ୍ଭ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ କୋରାପୁଟଜିଲ୍ଲାର ଜୟପୁର ଉପଖଣ୍ଡର ଜୟପୁର , ବୋରିଗୁମ୍ମା, କୋଟପାଡ ବ୍ଲକର ୨୦ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମି ଆଜି ସୁଖା। ପୂର୍ବରୁ ମୁରାନରୁ ଏବଂ ଇନ୍ଦ୍ରାବତୀ ନଦୀରୁ ପାଣି ଆସୁଥିଲା। ଏହାକୁ ନେଇ ଏହି ତିନି ବ୍ଲକର ଚାଷୀ ମାନେ ଦୁଇ ଋତୁ ରବି ଓ ଖରିଫରେ ଚାଷ କରୁଥିଲେ। ବର୍ଷ ତମାମ ଉପରୋକ୍ତ ବ୍ଲକ ଗୁଡିକରେ ପନିପରିବା ଠାରୁ ଆରମ୍ଭ କରି  ଆଖୁ ଆଦି ଲାଭକାରୀ ଫସଲ ଉତ୍ପାଦିତ ହେଉଥିଲା। ‌ତେବେ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନାରେ ମୁରାନରେ ନଦୀବନ୍ଧ ହେବା ପରେ ଉପରୋକ୍ତ ବ୍ଲକର ଚାଷୀଙ୍କ ଚାଷ ଉଜାଡି ଦେଇଛି। ଜଳଭଣ୍ଡାରରେ ୬୩୯.୮ମିଟରର ଜଳଗଛିତ ହୋଇ ରହିଥିଲେ ହେଁ ତଳମୁଣ୍ଡର ଚାଷୀ ମାନେ ପାଣି ନଥିବାରୁ ଚାଷ କରି ପାରୁନାହାନ୍ତି। ଖରିଫରେ କିଛି ଜମିରେ ବର୍ଷା ପାଣିରେ ଚାଷ କରାଯାଉଛି।  ‌ତେବେ ତେଲିଙ୍ଗିରୀ ପ୍ରକଳ୍ପ ହେବା ପରେ କିଛି ମାତ୍ରାରେ କିଛି ପଂଚାୟତରେ ଏହି ସମସ୍ୟାର ସମାଧାନ ହେବ ବୋଲି ଚିନ୍ତା କରାଯାଉଥିବା ବେଳେ ଏହି ପ୍ରକଳ୍ପ କେବଳ ୪ହଜାର ହେକ୍ଟର ଜମିକୁ ହିଁ ପାଣି ଯୋଗାଉଛି। ତାହା ବି ରବିରେ ଦେବା ଅଂଚଳରେ ଖରିଫରେ ଦିଆଯାଉନି। ମୁରାନ ନଦୀବନ୍ଧ ପ୍ରକଳ୍ପର ତଳମୁଣ୍ଡରେ ଥିବା ଗାଁ ଗୁଡିକର ଚାଷୀ ମାନେ ବି ଚାଷ କରି ପାରୁନାହାନ୍ତି। ଅନ୍ୟ ପକ୍ଷରେ ଲଘୁଚାପ, ଅଦିନିଆ କିମ୍ବା ବଡ ବର୍ଷା ଲାଗି ରହିଲେ ମୁରାନ ଗେଟ୍ ଖୋଲିଲେ ତଳମୁଣ୍ଡରେ ଥିବା ଗାଁ ଗୁଡିକରେ ବନ୍ୟା ଦେଖାଦେବା ସହ ବହୁ ଗାଁ ଜଳବନ୍ଧୀ ହେଉଛନ୍ତି। ଏପରିକି ଏହି ବର୍ଷ ଅଦିନିଆ ବର୍ଷା ପରେ ୨ଟି ଗେଟ୍ ଖୋଲିବା ପରେ ବୋରିଗୁମ୍ମା, କୋଟପାଡ ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ଉଭୟ ଜଳସେଚନ ପ୍ରକଳ୍ପ ଦ୍ବାରା ତିନି ବ୍ଲକ ବିଶେଷ ଲାଭାନ୍ବୀତ ହୋଇ ପାରିନାହାନ୍ତି ବୋଲି ବହୁ ଚାଷୀ କହିଛନ୍ତି।