ପାଟପୁର: ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମଋତୁ ଆଗରୁ ପିଇବା ପାଣି ସଂକଟକୁ ନେଇ ସବୁଠି ଧୀରେ ଧୀରେ ଅସନ୍ତୋଷ ତେଜିବାରେ ଲାଗିଛି। ପିଇବା ପାଣି ଯୋଗାଣରେ ସମସ୍ୟାକୁ ନେଇ ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମର ମହିଳାମାନେ ଆଜି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟାଣଖରାରେ ମହିଳାମାନେ ମାଠିଆ ଓ ହାଣ୍ଡି ରଖି ଜଗନ୍ନାଥପୁର-କଙ୍କୋରଡ଼ା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଯିବା ସାଙ୍ଗକୁ ପରିସ୍ଥିତି ଅଶାନ୍ତ ହୋଇଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ୧ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ଟାଙ୍କି ନିର୍ମାଣ ସହ ପାଇପଲାଇନ୍ ବିଛାଯାଇ ଷ୍ଟାଣ୍ଡପୋଷ୍ଟ୍କୁ ୪ଟି ମୋଟର୍ ଯୋଗେ ପାଣି ଉଠାଯାଉଥିଲା। ସେଥିରୁ ୨ଟି ମୋଟର୍ ପୋଡ଼ିଯାଇଛି। ଏଭଳି ପରିସ୍ଥିତିରେ କଉଡ଼ିଆ ଗ୍ରାମରେ ଉପରମୁଣ୍ଡରେ ରହୁଥିବା କିଛି ଲୋକ ଷ୍ଟାଣ୍ଡପୋଷ୍ଟ୍ରୁ ମୋଟର୍ ଲଗାଇ ମନଇଚ୍ଛା ପାଣି ବ୍ୟବହାର କରୁଛନ୍ତି। ତଳମୁଣ୍ଡକୁ ପାଣି ଆସିପାରୁନି। ଫଳରେ ଏଥିରେ ଉତ୍କ୍ଷିପ୍ତ ହୋଇ ମହିଳାମାନେ ଆଜି ହାଣ୍ଡିମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଥିଲେ। ଆଗକୁ ଗ୍ରୀଷ୍ମଋତୁ ଆସୁଥିବାରୁ ମୋଟର୍ ମରାମତି କରିବା ଓ ଷ୍ଟାଣ୍ଡପୋଷ୍ଟ୍ରେ ମୋଟର୍ ଲଗାଇବା ଉପରେ ଅଙ୍କୁଶ ଜାରି କରିବାକୁ ଦାବି ହୋଇଥିଲା। ପାଟପୁର ପୁଲିସ ଟିମ୍ ଓ ଗ୍ରାମ୍ୟ ଜଳଯୋଗାଣ କନିଷ୍ଠଯନ୍ତ୍ରୀ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଜଳଯୋଗାଣ ସ୍ବାଭାବିକ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/14/s99U2HeCVM1hCH4icoZH.jpg)