ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ କଳସପୁର ପଞ୍ଚାୟତ ୧ ନମ୍ବର ୱାର୍ଡ ଅନ୍ତର୍ଗତ ଆୟତପୁର ଜେନାସାହିର ୧୦୦ ପରିବାର ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ପିଇବା ପାଣି ପାଇଁ ସାରାଗାଁରେ ହାହାକାର ପଡ଼ିଛି। ଆୟତପୁର ପମ୍ପ୍‌ ହାଉସରୁ ଗତ ୬ ମାସ ହେଲା ଗାଁକୁ ପାଇପ୍ ପାଣି ଆସୁନି। ଏମିତି ପରିସ୍ଥିତିରେ ୨ ମାସ ହେଲା ଗାଁର ଦୁଇଟି ନଳକୂପ ଅଚଳ। ବାରମ୍ବାର ଜଳଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ପଦକ୍ଷେପ ନିଆ ନ ଯିବାରୁ ଶୁକ୍ରବାର ଦିନ ଶତାଧିକ ମହିଳା ଗରା, ମାଠିଆ ଧରି ରାସ୍ତାକୁ ଆସି ପ୍ରତିବାଦ ଜଣାଇବା ସହିତ ଆୟତପୁର ପମ୍ପ୍ ହାଉସରେ ତାଲା ଝୁଲାଇ ଦେଇଛନ୍ତି।

Advertisment

ଆୟତପୁର ଜେନାସାହିର ଏହି ଆନ୍ଦୋଳନକାରୀ ମହିଳା ସୁମିତ୍ରା ଜେନା, ମମତା ଜେନା, କାଳୀ ଜେନା, ମିତାଲି ସୂତାର, ସାବିତ୍ରୀ ବେହେରା, ବେଣୀ ଦାସ, ବାସନ୍ତୀ ଜେନା, ଭାରତୀ ଜେନା,ବାଇଧର ବେହେରା, ସର୍ବେଶ୍ବର ଜେନା, ସରୋଜ ସୂତାର, କାଳନ୍ଦୀ ଦାସ, ସନ୍ତୋଷ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଗତ ୬ ମାସ ହେଲା ପାଇପ୍ ଲାଇନରେ ପାଣି ଆସୁନାହିଁ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ଅନ୍ୟପକ୍ଷ‌ରେ, ଆଳି ବିଡିଓ ଦିବ୍ୟେନ୍ଦୁ ଦାସ କହିଛନ୍ତି ଯେ ତାଙ୍କ ନିକଟକୁ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ଆସିନାହିଁ। ଆଜି ଏହି ସମସ୍ୟା ବାବଦରେ ଅବଗତ ହୋଇଛନ୍ତି। ଖୁବ୍‌ଶୀଘ୍ର ଲୋକଙ୍କୁ ପାଣି ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।