ବୈପାରିଗୁଡା: ଗାଁ ଗୋଟିଏ ସାହି ଦୁଇଟି। ଗୋଟିଏ ସାହିର ଲୋକେ ନଳକୂପର ପାଣି ବ୍ୟବହାର କରୁଥିବା ବେଳେ ତଳସାହି ଲୋକଙ୍କ ଭରସା ଚୁଆ ପାଣି। ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ମୂଷାପଦର ଗ୍ରାମରେ। ଗ୍ରାମରେ ରହୁଥିବା ଉପର ସାହିର ଲୋକେ ନଳକୂପର ପାଣି ବ୍ୟବହାର କରୁଛନ୍ତି ଅଥଚ ତଳ ସାହିର ଲୋକେ ଚୁଆ ପାଣି ଉପରେ ନିର୍ଭର କରି ବଞ୍ଚୁଛନ୍ତି।
Advertisment
ତଳସାହି ବାସିନ୍ଦାଙ୍କ କହିବା ଅନୁଯାୟୀ, ସେମାନଙ୍କ ସାହିର ଘର ସଂଖ୍ୟା ୩୫ ଥିବାବେଳେ ଜନସଂଖ୍ୟା ୧୪୦। ଅନ୍ୟଦିଗରେ ଉପର ସାହିର ଲୋକସଂଖ୍ୟା କମ୍ ଥିବାବେଳେ ସେଠି ନଳକୂପ ରହିଛି। ସେମାନଙ୍କ ସମସ୍ୟା ହେଉଛି ଉପର ସାହିର ନଳକୂପରୁ ପାଣି ଆଣିବା ପାଇଁ ହେଲେ ଅତି କମରେ ୪୦୦ ମିଟର ଘାଟି ଚଢ଼ିବାକୁ ପଡ଼ିଥାଏ। ଅସୁସ୍ଥ ଏବଂ ଗର୍ଭବତୀ ମହିଳା ଘାଟି ଚଢି ପାଣି ଆଣିବା ସମ୍ଭବ ହୋଇ ପାରୁନଥିବା ବେଳେ ବର୍ଷା ଦିନେ ପାଣି ଆଣିବା ଖୁବ କଷ୍ଟକର। ତେଣୁ ବାଧ୍ୟ ହୋଇ ତଳସାହିର ମହିଳାମାନେ ପାଖ ଚୁଆରୁ ପାଣି ଆଣିଥାନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଚୁଆର ପାଣି ଶୁଖି ଯିବାର ଆଶଙ୍କା ରହିଛି। ଏହାର ବିକଳ୍ପ ଭାବେ ବାଲିଗାଁ ଛକରେ ଯେଉଁ ନଳକୂପ ରହିଛି, ତାହା ମଧ୍ୟ ଏକ କିଲୋମିଟର ଦୂରରେ ରହିଥିବାରୁ ସବୁ ସମୟରେ ସେଠାକୁ ଯିବା ସମ୍ଭବପର ନୁହେଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଆଁରେ ରହିଥିବା ସ୍କୁଲ ନଳକୂପରୁ ପାଣି ମନା ହେତୁ ଚୁଆ ପାଣି ହିଁ ଗ୍ରାମବାସୀଙ୍କ ଶେଷ ଭରସା।
ତଳସାହିରେ ନଳକୂପଟିଏ ଖୋଳେଇବା ପାଇଁ ଓ୍ବାର୍ଡ ମେମ୍ବରଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କେହି ଶୁଣୁନାହାନ୍ତି। ନଳକୂପ ପାଇଁ ବିଡିଓଙ୍କ ନିକଟରେ ଗୁହାରି କରାଯାଇଥିଲା। ତଥାପି ଆଜିଯାଏ ତଳସାହିରେ ନଳକୂପ ଟିଏ ଖୋଳା ଯାଇପାରିଲା ନାହିଁ। ଆଗାମୀ ଦିନରେ ଜଳକଷ୍ଟକୁ ଆଖି ଆଗରେ ରଖି ତୁରନ୍ତ ତଳ ସାହିରେ ନଳକୂପ ଖୋଳା ହେବାର ବ୍ୟବସ୍ଥା କରିବା ପାଇଁ ସାହିବାସିନ୍ଦା ଦାବି କରିଛନ୍ତି।