ବାଲିଗୁଡ଼ା ଗ୍ରାମରେ ଜଳ ସଙ୍କଟ ଉତ୍କଟ

ଗୋଟିଏ ନଳକୂଅରୁ ପାଣି ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗୁଛି ଭିଡ଼

ବାଲିଗୁଡ଼ା ଗ୍ରାମରେ ଜଳ ସଙ୍କଟ ଉତ୍କଟ

ବ୍ରହ୍ମବରଦା : ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ବାଲିଗୁଡ଼ା ଗ୍ରାମର ୧୨ ଓ ୧୩ ନମ୍ବର ୱାର୍ଡରେ ଜଳ ସଂକଟ ଗୁରୁତର ହୋଇପଡ଼ିଛି। ଦୁଇୱାର୍ଡର ଦଳିତ ସାହି ଓ ଗୋପାଳ ସାହିର ୫୦ରୁ ଅଧିକ ପରିବାର ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ପାଣି ପାଇ ପାରୁନାହାନ୍ତି। ଫଳରେ ଗୋପାଳ ସାହି ନିକଟରେ ଥିବା ଗୋଟିଏ ନଳକୂଅରୁ ପିଇବା ପାଣି ସଂଗ୍ରହ ପାଇଁ ଲୋକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଲଗାଉଛନ୍ତି।

ପୂର୍ବରୁ ଏହି ଦୁଇସାହିରେ ଦୁଇଟି ସରକାରୀ ନଳକୂଅ ଖୋଳାଯାଇଥିଲା। ଏବେ ଦଳିତ ସାହିର ନଳକୂଅଟି ଅଚଳ ହୋଇ ପଡ଼ିରହିଛି। ଏହାର ମରାମତି ପାଇଁ ଲୋକମାନେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଗୋଟିଏ ନଳକୂଅ ଉପରେ ଦୁଇଟି ସାହିର ଲୋକେ ନିର୍ଭର କରୁଛନ୍ତି। କିଛି ଲୋକଙ୍କ ନିଜ ବାଡ଼ିରେ ନଳକୂଅ ରହିଛି। ହେଲେ ସେଥିରୁ ଲୌହଯୁକ୍ତ ପାଣି ବାହାରୁଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ।

ଅନ୍ୟପକ୍ଷରେ ବାଲିଗୁଡ଼ା ଗାଁ ନିକଟରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଉକ୍ତ ଦୁଇସାହିକୁ ପାଇପ୍‌ ପାଣି ଯୋଗାଇ ଦିଆଯାଇନାହିଁ। ଏହି ପ୍ରକଳ୍ପରୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଦୁଇସାହିର ବିଚିତ୍ର ମଲ୍ଲିକ, ଦିଲୀପ ମଲ୍ଲିକ, ତୁଳସୀ ମଲ୍ଲିକ, ରଶ୍ମିତା ବେହେରା, ଟୁନି ବେହେରା, ପୁଷ୍ପଲତା ଦାସ, ଭାମାଦେବ ବେହେରା, ବିଳାସିନୀ ବେହେରା, ଜୁଳି ଦାସ, କୁନି ବେହେରା, ଶଙ୍କର ଦାସ, ମହେଶ୍ବର ମଲ୍ଲିକ, ଗଙ୍ଗାଧର ଦାସ, ତପନ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe