ବଢ଼ୁଛି ଖରା, କମୁଛି ଜଳସ୍ତର: ବରଗଡ଼ ଜିଲ୍ଲାର ଉଚ୍ଚ ଇଲାକାରେ ଜଳସଂକଟ

ବରଗଡ଼ : ଓଡ଼ିଶାର ଭାତହାଣ୍ଡି ଭାବେ ବରଗଡ଼ ଜିଲ୍ଲାର ପରିଚିତି ରହିଛି। କିନ୍ତୁ ଜିଲ୍ଲାର ବିଡ଼ମ୍ବନା ହେଲା ଏଠାରେ ପାଣିପାଗ ଆକଳନ ପାଇଁ କୌଣସି ସ୍ଥାୟୀ କିମ୍ବା ଅସ୍ଥାୟୀ କେନ୍ଦ୍ର ନାହିଁ। ଜିଲ୍ଲାରେ କେତେ ଖରା ହେଲା, କେତେ ବର୍ଷା ହେଲା, ସେସଂପର୍କରେ ଆଂଚଳିକ ପାଣିପାଗ କେନ୍ଦ୍ରରୁ କିଛି ସୂଚନା ମିଳେ ନାହିଁ। ଇଣ୍ଟରନେଟ୍‌ ଏବଂ ବିଭିନ୍ନ ଆପ୍‌ରୁ ଜିଲ୍ଲାବାସୀ ପାଣିପାଗର ପୂର୍ବାନୁମାନ ପାଇଥାନ୍ତି। ଜିଲ୍ଲାରେ ପାରଦ ଏବେ ୪୦ ଉପର ଡେଇଁଲାଣି। ଆଗକୁ ପାରା ଆହୁରି ବଢ଼ିବ। ଏଥର ବି ଜିଲ୍ଲା ଚିରାଚରିତ ଭାବେ ଜଳସଂକଟର ସମ୍ମୁଖୀନ କରିବ।

ବରଗଡ଼ ଜିଲ୍ଲାର ୧୨ରୁ ମାତ୍ର ୩ଟି ବ୍ଲକ୍‌ ହୀରାକୁଦ କମାଣ୍ତ ଇଲାକାରେ ରହିଛି। ଅନ୍ୟ ବ୍ଲକ ଗୁଡ଼ିକର ଚାଷବାସ ଉଠା ଜଳସେଚନ ଏବ˚ ବର୍ଷା ଉପରେ ହିଁ ନିର୍ଭର କରୁଛି। ହେଲେ ଅସ୍ବାଭାବିକ ବର୍ଷା ଯୋଗୁଁ କ୍ରମାଗତ ମରୁଡ଼ି ଲାଗି ରହୁଛି। ଜିଲ୍ଲାର ଅଣଜଳସେଚିତ ଇଲାକାରେ ଆଶାନୁରୂପକ ବର୍ଷା ନହେଲେ ଚାଷୀ ପାଖରେ ଚାଷ ବ˚ଚାଇବା ପାଇଁ ଅନ୍ୟ ବିକଳ୍ପ ନାହିଁ। ମହାନଦୀ ଅବବାହିକାରେ ମଧ୍ୟ ଖରା ବଢ଼ିବା ସାଂଗକୁ ପାଣି ନିଅଣ୍ଟ ହେବାକୁ ଲାଗିଛି। ଛତିଶଗଡ଼ର ମାତ୍ରାଧିକ ବ୍ୟାରେଜ ନିର୍ମାଣ ଯୋଗୁଁ ମହାନଦୀର ସ୍ରୋତ ଓଡ଼ିଶା ପଟେ ପତଳା ହୋଇଗଲାଣି। ଯାହାର ଗୁରୁତର ପ୍ରଭାବ ଭୂତଳ ଜଳସ୍ତର ଉପରେ ପଡ଼ିଛି। ଅମ୍ବାଭୋନା ଏବ˚ ଆଖାପାଖ ଅ˚ଚଳରେ ଗଭୀର ଖନନ ପରେ ବି ପାଣି ବାହାରୁ ନାହିଁ। ସ୍ଥାୟୀ ଜଳସ୍ରୋତ ନଥିବାରୁ ଏଠାରେ ଚାଷୀଙ୍କୁ ପାଣି ଯୋଗାଡ଼ କରିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଅନ୍ୟପକ୍ଷରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବା ଯୋଗୁଁ ପାଣି ଚିନ୍ତା ଆହୁରି ଉତ୍କଟ ହେବାକୁ ଲାଗିଛି। ଯେଉଁ ଉଚ୍ଚ ସ୍ଥାନଗୁଡ଼ିକରେ ଚେକ୍‌‌ଡ୍ୟାମ୍‌ ଥିଲା, ସେଥିରେ ବି ପାଣି ଶୁଷ୍କ ହେବା ଆରମ୍ଭ ହୋଇଛି। ତେଣୁ ଲୋକଙ୍କୁ ଗାଧୋଇବା ପାଇଁ ବି ସମସ୍ୟା ଦେଖାଦେଇଛି। କେବଳ ଗ୍ରାମାଞ୍ଚଳ ନୁହଁ, ସହରାଞ୍ଚଳ‌େରେ ବି ଜଳକଷ୍ଟ ଆରମ୍ଭ ‌ହେଲାଣି। ବରଗଡ଼ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ସେଲ୍‌ସିଅସ୍‌ ଉପରେ ରହୁଛି। ଗୁରୁବାର ଏହା ୪୦.୨ ଡିଗ୍ରି ରହିିଛି। କିନ୍ତୁ ସହରରେ ବର୍ତମାନ ଯାଏ ଜଳଛତ୍ର ଖୋଲା ଯାଇନାହିଁ। ସହରକୁ ଆସୁଥିବା ଯାତ୍ରୀମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଥିବା ଅମୃତ ଧାରାରୁ ପାଣି ଝରୁନାହିଁ। ଶୀଘ୍ର ଜଳଛତ୍ର ଖୋଲିବାକୁ ସଚେତନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର