ବରଗଡ଼: ଖରା ପ୍ରକୋପ ବଢୁଛି। ଆଗକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଏଭଳି ସ୍ଥିତିରେ ବରଗଡ଼ରେ ଏଥର ଗ୍ରୀଷ୍ମ ପୂର୍ବରୁ ଜଳ ସଂକଟ ଦେଖାଦେଇଛି। କେଉଁ ଜଳାଶୟ ଶୁଖିଗଲାଣି ତ ଆଉ କେଉଁଠି ପୋତି ହୋଇଗଲାଣି। ଯେଉଁ କିଛି ଜଳାଶୟରେ ପାଣି ଅଛି ତାହା ପୂର୍ଣ୍ଣିପତ୍ରରେ ଭର୍ତ୍ତି ହୋଇଯାଇଛି। ସହରରେ ପାଖାପାଖି ୨୩ଟି ଜଳାଶୟ ଥିଲେ ମଧ୍ୟ ସେ ସବୁ ଲୋକଙ୍କ କାମରେ ଆସୁନି। ବର୍ଷ ବର୍ଷ ହେଲା ଜଳାଶୟଗୁଡ଼ିକର ପୁନରୁଦ୍ଧାର ବି ହେଉନି। ପୌରପାଳିକା ଅଧୀନରେ ଥିବା ଜଳାଶୟଗୁଡ଼ିକ ଆଉ ଗାଧୋଇବା ଉପଯୋଗୀ ରହିନାହିଁ।   ବରଗଡ଼ ପୌରପାଳିକା ଅଧୀନରେ ମନାବନ୍ଧ, ପୂର୍ଣ୍ଣିବନ୍ଧ, ଦାନୀକଟା, ନୀଲିବନ୍ଧ, ମଝଲିବନ୍ଧ, ବଡ଼ସାର ବନ୍ଧ, ବ୍ରହ୍ମଚାରୀ କଟା, ଅଏଁଲାକଟା, ଘୁଲିପାଲି ବନ୍ଧ, ମହାନ୍ତି ବନ୍ଧ, ଖଜୁରକଟା, ମହାଦେବ ବନ୍ଧ, ଭୁରସୁଡ଼ ବନ୍ଧ, ତାଲବନ୍ଧଲି, ସମଲେଇସର, ନାଗାବନ୍ଧଲି, କୁମ୍ଭାର ବନ୍ଧ, ନୂଆବନ୍ଧ, ରାଣୀବନ୍ଧ ଆଦି ୨୩ଟି ଜଳାଶୟ ରହିଛି। ଏସବୁ ଭିତରୁ ଭୁରସୁଡ଼ ବନ୍ଧରେ ଆଉ ପାଣି ନାହିଁ। ତାହା ପୂରା ଶୁଖିଗଲାଣି। ସେଠାରେ ଏବେ ଗୋରୁଗାଈ ଚରୁଥିବା ଦେଖିବାକୁ ମିଳୁଛି। ଦୁରାବନ୍ଧରେ ପାଣି ଦିଶୁନି। ଅନାବନା ଘାସରେ ପୋଖରୀ ପୋତି ହୋଇଯାଇଛି।

Advertisment

ପୋତି ହୋଇଗଲାଣି ଅଧିକାଂଶ ଜଳାଶୟ
ଖରା ପୂର୍ବରୁ ଶୁଖିଲାଣି, ପୁନରୁଦ୍ଧାର ଠପ୍‌

ନୀଲିବନ୍ଧ, ଦାନିକଟା, ମହାବଟବନ୍ଧ ପତ୍ର ଓ ଦଳରେ ଭର୍ତ୍ତି ହୋଇଥିବା ବେଳେ ମଝଲି ବନ୍ଧର ଅଧା ଜମି ମାଫିଆ ଜବରଦଖଲ କରି ନେଇଛନ୍ତି। ମନା ବନ୍ଧ ଓ ପୂର୍ଣ୍ଣିବନ୍ଧର ପାଣି ଗାଧୋଇବା ଉପଯୋଗୀ ନୁହେଁ। ତାହା ପ୍ରବଳ ଗନ୍ଧାଉଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ମହିଳା ସମିତି ସଦସ୍ୟା ରାଧାରାଣୀ ମିଶ୍ର କହିଛନ୍ତି, ପୂର୍ବରୁ ବରଗଡ଼କୁ ଆସୁଥିବା ଲୋକେ ଏଠାକାର ପାଣିକୁ ଗାଧୋଇବାଠାରୁ ଆରମ୍ଭ କରି ରୋଷେଇବାସରେ ବ୍ୟବହାର କରୁଥିଲେ। ହେଲେ ଏବେ କୌଣସି ଜଳାଶୟର ପାଣି ବ୍ୟବହାର କରିହେଉନି। ଗାଧୋଇବା ମଧ୍ୟ କଷ୍ଟକର। ପୁନରୁଦ୍ଧାର ପାଇଁ ପୌର ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ବି ଫଳ ଶୂନ। ପ୍ରତିକାର ନ ହେଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ସେହିପରି ବରଗଡ଼ ସହରର ବାସନ୍ତୀ ନିଆଲ କହିଛନ୍ତି, ପୋଖରୀ ଥିଲେ ବି ଗାଧୋଇବା ମୁସ୍କିଲ। ଅଳିଆ ଆବର୍ଜନା ପଡ଼ିଥିବାରୁ ଜଳାଶୟ ଭିତରକୁ ଯାଇ ହେଉନି। 

ମୋଟାମୋଟି ସହରର ଏକାଧିକ ଜଳାଶୟର ଏକର ଏକର ଜମି ଜବରଦଖଲ ହୋଇସାରିଲାଣି। ପୌରପାଳିକା ଜବରଦଖଲକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁନଥିବାରୁ ଜଳାଶୟ ଜମି ଜବରଦଖଲରେ ରହିଛି। କିଛି ଜଳାଶୟର ନାଁ ଗନ୍ଧ ବି ଆଉ ନାହିଁ। ସଂପୂର୍ଣ୍ଣ ପୋତି ହୋଇଗଲାଣି। ପୌରପାଳିକା ଅଧୀନରେ ଥିବା ଜଳାଶୟର ମୋଟ ଜମି ୧୦୬ ଏକର ରହିଛି। ସେଥିରୁ କେତେ ଜବରଦଖଲ ହୋଇଛି ତା’ର ହିସାବ କାହା ପାଖରେ ନାହିଁ। ପୂର୍ବରୁ ଅବସ୍ଥାପିତ ନିର୍ବାହୀ ଅଧିକାରୀ ଜଳାଶୟ ଜମି ଚିହ୍ନଟ କରାଯିବ ବୋଲି କହିଥିଲେ। ହେଲେ କୌଣସି ପଦକ୍ଷେପ ନିଆଗଲା ନାହିଁ। କିଛି ଦିନ ହେଲା ନୂଆ ନିର୍ବାହୀ ଅଧିକାରୀ ଭାବରେ ଦେବାନନ୍ଦ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତାଙ୍କ କହିବା ମୁତାବକ ବରଗଡ଼ରେ ୨୦ରୁ ୨୨ଟି ଜଳାଶୟ ଅଛି। କିଛି ଜଳାଶୟର ପୁନରୁଦ୍ଧାର କାମ ହୋଇଛି। ଅନ୍ୟ ଜଳାଶୟର କାମ ପାଇଁ ଚିଠି କରାଯାଇଛି। ଖରାଦିନରେ କିଭଳି ଜଳ ସଂକଟ ନ ହେବ, ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।