ଗଞ୍ଜାମରେ ପାଣି ସଂକଟ: ୭ ଡ୍ୟାମ୍‌ ଶୁଖିଲା, କେନାଲରେ ପାଣି ନାହିଁ

ବ୍ରହ୍ମପୁର : କୃଷି ବିଭାଗ, ଜିଲ୍ଲା ପ୍ରଶାସନ କେବଳ ବ୍ଲକ୍‌ ଅଧିକାରୀଙ୍କ ଠାରୁ ଉପର ଠାଉରିଆ ରିପୋର୍ଟ ଆଣି ଜିଲ୍ଲାର ଖରିଫ୍‌ ଅଗ୍ରଗତି ରିପୋର୍ଟ ଦେଉଛନ୍ତି। ସବୁ ମନଗଢ଼ା, ମିଛ। କେହି କ୍ଷେତ୍ରକୁ ଯାଉ ନାହାନ୍ତି କି କ୍ଷେତ ଅବସ୍ଥା ଦେଖୁନାହାନ୍ତି। ବିଗତ ବର୍ଷ ଗୁଡ଼ିକରେ ଜୁଲାଇରେ ସ୍ବଳ୍ପବର୍ଷା ଯୋଗୁଁ ଖରିଫ୍‌ ଚାଷ ବିଳମ୍ବ ହେଉଥିଲା। ଏ ବର୍ଷ ଜୁଲାଇରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି, ବର୍ଷାଭାବ ଜନିତ ସମସ୍ୟା ଟଳିଯାଇଛି ବୋଲି ନିଃସଙ୍କୋଚରେ କହି ପାରୁଛନ୍ତି ଅଧିକାରୀମାନେ। କିନ୍ତୁ ଗଞ୍ଜାମ ଜିଲ୍ଲାର ଅସଲ ଚିତ୍ର ସମ୍ପୂର୍ଣ ଭିନ୍ନ। ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ଜିଲ୍ଲାରେ ଚାଷ କାର୍ଯ୍ୟ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାର ଡ୍ୟାମ୍‌ଗୁଡ଼ିକରେ ଜଳସ୍ତର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଫଳରେ କେନାଲ୍‌କୁ ପାଣି ଛାଡ଼ିବାରେ ସମସ୍ୟା ସୃଷ୍ଟି ହୋଇଛି। ଭାଗବଣ୍ଟା କରି ପାଣି ପଞ୍ଚାୟତର ନିଷ୍ପତ୍ତି କ୍ରମେ କେନାଲ୍‌ ଗୁଡ଼ିକରେ ପାଣି ଛଡ଼ାଯାଇ ଚାଷଜମିକୁ ଜଳସେଚିତ କରାଯିବାକୁ ଉଦ୍ୟମ ହେଉଛି। ହେଲେ ଦିଗପହଣ୍ଡି ଘୋଡ଼ାହାଡ଼ ପାଣି ପଞ୍ଚାୟତ ବ୍ୟତୀତ ଅନ୍ୟ କୌଣସି ପାଣି ପଞ୍ଚାୟତ ଏ ଦିଗରେ ସଫଳ ହୋଇ ନାହାନ୍ତି। ଜିଲ୍ଲାରେ ଥିବା ୭ଟି ଡ୍ୟାମ୍‌ ଶୁଖିଲା ପଡ଼ିଥିବା ବେଳେ ଜଳସ୍ତର ବିଶେଷ ମାତ୍ରାରେ ହ୍ରାସ ପାଇଛି। ଭଞ୍ଜନଗରରେ ଥିବା ଡହ ଡ୍ୟାମ୍‌ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବା ଜଳସେଚନ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଆଗକୁ ବର୍ଷା ନହେଲେ ପରିସ୍ଥିତି ଭୟଙ୍କର ହେବା ସହ ଚାଷ କାମ ପାଇଁ ପାଣି‌ର ଘୋର ଅଭାବ ପରିଲକ୍ଷିତ ହେବ ବୋଲି ଆଶଙ୍କା ଜଳ ଜଳ ଦିଶୁଛି।

ଜିଲ୍ଲା କୃଷି ବିଭାଗ ତରଫରୁ ଚଳିତ ଖରିଫ୍ ଋତୁରେ ମୋଟ ୪ଲକ୍ଷ ୮ହଜାର ୮୧୭ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ୧ଲକ୍ଷ ୯୯ହଜାର ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଧାନ ଚାଷ ପାଇଁ ଚାଷୀ ତଳି ପକାଇ ସାରିଛନ୍ତି। ତଳିଆ ଜମି ଗୁଡିକରେ ଧାନରୁଆ କାମ ଚାଲିଥିବା ବେଳେ ଆଉ କେତେକ ସ୍ଥାନରେ ପାଣି ଅଭାବ ଯୋଗୁଁ ତଳି ନଷ୍ଟ ହୋଇଯାଇଛି। ଶ୍ରାବଣ ମାସରେ ଜଳାଭାବକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷା ନଥିବାରୁ ଚାଷୀମାନେ କେନାଲ୍‌ ପାଣି ଉପରେ ନିର୍ଭର କରିଛନ୍ତି। କିନ୍ତୁ କେନାଲ୍‌ରୁ ଚାଷୀଙ୍କୁ ଆବଶ୍ୟକ ପରିମାଣ ପାଣି ମିଳୁ ନାହିଁ। ଭଞ୍ଜନଗର ଡ୍ୟାମ୍‌ର ଜଳଧାରଣ କ୍ଷମତା ୫ହଜାର ୭୬୬ ହେକ୍ଟୋମିଟର୍‌ ରହିଥିବା ବେଳେ ବର୍ତ୍ତମାନ ୧ହଜାର ୧୯୭.୫୯ ହେକ୍ଟୋମିଟର୍‌ (୨୦.୭୭ପ୍ରତିଶତ) ପାଣି ରହିଛି। ସୋରଡ଼ା ଡ୍ୟାମ୍‌ର କ୍ଷମତା ୪ହଜାର ୯୭୫ ହେକ୍ଟୋମିଟର୍‌ ରହିଥିବା ବେଳେ ମାତ୍ର ୭୩୭.୧୧ ହେକ୍ଟୋମିଟର୍‌ (୧୪.୮୨ ପ୍ରତିଶତ) ପାଣି ରହିଛି। ଡହ ଡ୍ୟାମ୍‌ର କ୍ଷମତା ୨ହଜାର ୧୯୫ ହେକ୍ଟୋମିଟର୍‌ ରହିଥିବା ବେଳେ ଏବେ ଡ୍ୟାମ୍‌ରେ ବ୍ୟବହାର ଉପଯୋଗୀ ପାଇଁ ଆଦୌ ପାଣି ନାହିଁ। ଘୋଡ଼ାହାଡ଼ ଡ୍ୟାମ୍‌ର କ୍ଷମତା ୩ହଜାର ୫୨ ହେକ୍ଟୋମିଟର୍‌ ରହିଥିବା ବେଳେ ୧ହଜାର ୫ଶହ ୭୯ ହେକ୍ଟୋମିଟର୍‌ ପାଣି ରହିଛି। ସେହିପରି ଧନେଇ ଡ୍ୟାମ୍‌ର କ୍ଷମତା ୧ହଜାର ୩ଶହ ୧୩ ହେକ୍ଟୋମିଟର୍‌ ରହିଥିବା ବେଳେ ୭୦୭.୨୧ ହେକ୍ଟୋମିଟର୍‌ ପାଣି ରହିଛି। ବାଘୁଆ ଡ୍ୟାମ୍‌ର କ୍ଷମତା ୩ହଜାର ଶହେ ହେକ୍ଟୋମିଟର୍‌ ରହିଥିବା ବେଳେ ମାତ୍ର ୫୮.୫୬ ହେକ୍ଟୋମିଟର୍‌ (୧.୮୯ପ୍ରତିଶତ) ପାଣି ରହିଛି। ବାଘଲଟି ଡ୍ୟାମ୍‌ର କ୍ଷମତା ୩ହଜାର ୮୯୧ ହେକ୍ଟୋମିଟର୍‌ ରହିଥିବା ବେଳେ ବର୍ତ୍ତମାନ ୧ହଜାର ୭୬୧ ହେକ୍ଟୋମିଟର୍‌ ପାଣି ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ଗଞ୍ଜାମ ଜିଲ୍ଲାରେ ସାଧାରଣତଃ ଜୁନ୍‌ ମାସରେ ହାରାହାରି ୧୬୮.୩ ମିମି ବର୍ଷା ହୋଇଥାଏ। ଚଳିତ ବର୍ଷ ମାତ୍ର ୧୦୨ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଜୁଲାଇ ମାସରେ ୨୨୦.୮ ମିମି ବର୍ଷା ହେଉଥିବା ବେଳେ ୨୩୬ମିମି ବର୍ଷା ହୋଇଛି। ସେହିପରି ଅଗଷ୍ଟ ମାସରେ ୨୪୬.୮ମିମି ବର୍ଷା ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦.୦୬ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ଦେଖା ଦେଇଥିବା ବେଳେ ଡ୍ୟାମ୍‌ଗୁଡ଼ିକରେ ପାଣି ନାହିଁ। ଡ୍ୟାମ୍‌ରେ ଗଚ୍ଛିତ ରହିଥିବା ପାଣିକୁ ବିଶୋଧନ କରି ପାନୀୟ ଜଳ ଭାବେ ମଧ୍ୟ ବ୍ୟବହାର କରାଯାଉଛି। ଏଣୁ ଚାଷ କାର୍ଯ୍ୟ ପାଇଁ କେନାଲ୍‌କୁ ଆବଶ୍ୟକ ପାଣି ଛାଡ଼ିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ୁଛି। ଆଗକୁ ବର୍ଷା ନହେଲେ ପରିସ୍ଥିତି ଅଣାୟତ ହୋଇପଡିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର