ଇନ୍ଦ୍ରାବତୀରେ ଜଳସଙ୍କଟ: ଜାନୁଆରି ୬ ଯାଏ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ

ଜୟପାଟଣା : ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସଂରକ୍ଷଣ ୬୩୪ ମିଟରରେ ପହଞ୍ଚିଥିଲା। ଆଗାମୀ ରବି ଜଳସେଚନ ପାଇଁ ଜଳସଙ୍କଟ ଦେଖା ଦେଇଥିବାରୁ ଖରିଫ ଜଳସେଚନ ବନ୍ଦ ହୋଇଥିଲା। ଗତ ୧୫ ତାରିଖରୁ ବିଦ୍ୟୁତ ଉତ୍ପାଦନକୁ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିବା ଜଣାପଡ଼ିଛି।

ସୂଚନାଥାଉ କି, ଇନ୍ଦ୍ରାବତୀ ଜଳଭଣ୍ଡାରର କ୍ୟାଚ୍‌ମେଣ୍ଟ ଇଲାକା ୨୬୩୦ ବର୍ଗ କିମି ଅଟେ। ଚଳିତ ବର୍ଷର ନିରାଶାଜନକ ବର୍ଷା ହେବାରୁ ଜଳଭଣ୍ଡାରର ସର୍ବୋଚ୍ଚ ସୀମା ୬୪୨ ମିଟର ଥିବା ସତ୍ୱେ ମାତ୍ର ୬୩୪ ମିଟର ଜଳ ସଂଗୃହୀତ ହୋଇଥିଲା। ଖରିଫ ଜଳସେଚନ ସମ୍ପନ୍ନ ହେଲା ବେଳକୁ ଇନ୍ଦ୍ରାବତୀ ଜଳସ୍ତର ୬୩୧.୩୧ ମିଟରକୁ ଖସି ସାରିଥିଲା। ଆଗାମୀ ରବିକୁ ନଜରରେ ରଖି ଗତ ୧୫ ତାରିଖରୁ ବିଦ୍ୟୁତ ଉତ୍ପାଦନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଓଡ଼ିଶା ପାଇଁ ଏକ ନିର୍ଣ୍ଣାୟକ ଭୂମିକା ନେଇ ଆସୁଥିଲା। ବର୍ତମାନର ଉତ୍ପାଦନ ରହିତ ଇନ୍ଦ୍ରାବତୀ ଓଡ଼ିଶା ଜଳ ବିଦ୍ୟୁତ ନିଗମ ପାଇଁ ଅନେକ କ୍ଷତି ସହୁଥିବା ଆଲୋଚନା ହେଉଛି। ରବି ଜଳସେଚନ ଜାନୁଆରି ୭ରୁ ଆରମ୍ଭ ହେବାକୁ ଥିବା ବେଳେ ବିଦ୍ୟୁତ ଉତ୍ପାଦନ ପୁଣିଥରେ ଜାନୁଆରି ୬ ତାରିଖରୁ କାର୍ଯ୍ୟକ୍ଷମ ହେବ ବୋଲି ଓଡ଼ିଶା ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର