ପାଣି ଟୋପାଏ ପାଇଁ ସଂଘର୍ଷ କରୁଛନ୍ତି ୧୦୩ ପରିବାର, ଶୋଷ ମେଣ୍ଟାଉଛି ନଦୀର ଗୋଳିଆ ପାଣି

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ତାରସିଂ ପଞ୍ଚାୟତ ଅଧୀନ ଦୁର୍ଗମ କନ୍ଧସାରଳା ଗ୍ରାମ। କନ୍ଧମାଳ ସୀମାବର୍ତ୍ତୀ ଉପାନ୍ତ ଇଲାକା ଭାବେ ପରିଚିତ ଏହି ଗ୍ରାମର ୧୦୩ ପରିବାର ବର୍ଷତମାମ ଟୋପାଏ ପିଇବା ପାଣି ପାଇଁ ସଂଘର୍ଷ କରି ଆସୁଛନ୍ତି। ଏ ଯାଏ କିନ୍ତୁ ଗାଁରେ ଜଳଯୋଗାଣ ପାଇଁ କୌଣସି ସରକାରୀ ଯୋଜନା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ନେଉଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନଦୀରେ ଚୁଆ ଖୋଳି ଦୂଷିତ ଓ ଗୋଳିଆ ପାଣି ପିଉଛନ୍ତି। ଗତ ଦୁଇ ମାସରୁ ଅଧିକ ସମୟରେ ହେଲା ଗ୍ରାମରେ ଏହି ସ୍ଥିତି ଜାରି ରହିଛି। ରାତି ପାହିବା ମାତ୍ରେ ଗାଁର ମହିଳାମା‌ନେ ହାଣ୍ଡି ଓ ମାଠିଆ ଧରି ନଦୀ ଅଭିମୁଖେ ଯାଉଛନ୍ତି।

ପିଇବା ପାଣି ସମସ୍ୟାକୁ ନଜରରେ ରଖି ଗତ ପାଞ୍ଚ ବର୍ଷ ତଳେ ଗ୍ରାମବିକାଶ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଠାରେ ଏକ ବୋର୍‌ୱେଲ୍ ନିର୍ମାଣ ହୋଇଥିଲା। ଓଭରହେଡ୍ ଟାଙ୍କି ମାଧ୍ୟମରେ ଜଳ‌ ଯୋଗାଣ ହେବାରୁ ଗ୍ରାମବାସୀ ଆଶ୍ବସ୍ତ ହୋଇଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି। ଇନ୍‌ଟେକ୍ ୱେଲ୍ ପୋତି ହୋଇ ଯାଇଥିବା ବେଳେ ପାଣି ‌ମୋଟର୍ ବି ଅଚଳ। ଖରାଦିନେ ଅନ୍ୟ ଜଳାଶୟଗୁଡ଼ିକର ଜଳସ୍ତର ମଧ୍ୟ କମିଯାଇଛି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ କୋକଲବା ନିକଟ ବୋଡ଼ାନଦୀରେ ଚୁଆ ଖୋଳି ପାଣି ବାହାର କରି ଏହାକୁ ବ୍ୟବହାର କରୁଛନ୍ତି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଟୋପାଏ ପାଣି ପାଇଁ ମହିଳାମାନେ ନଦୀକୁ ଧାଡ଼ି ବାନ୍ଧି ଯାଉଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଦୁଇ ଦିନ ଧରି ବର୍ଷା ଯୋଗୁଁ ନଦୀରେ ପାଣି ଆସି ଚୁଆ ଗୁଡ଼ିକ ପୋତି ହୋଇଯାଇଛି। ନଦୀରେ ଗୋଳିଆ ପାଣି ସୁଅ କାଟୁଛି। ନିରୁପାୟ ଗ୍ରାମବାସୀ ଏହି ଗୋଳିଆ ପାଣିକୁ ହିଁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ଫଳରେ ଗ୍ରାମବାସୀ ଅସୁସ୍ଥ ହେବା ଆଶଙ୍କା ଦେଖାଦେଇଛି। ଏ ନେଇ ପ୍ରଶାସନ ଓ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର