ଜଗତସିଂହପୁର,(ସନ୍ଦୀପ ଲେଙ୍କା): ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପିଇବା ପାଣି ସମସ୍ୟା। ବିଶେଷ କରି ବନ୍ଦର ନଗରୀ ପାରାଦୀପ ଓ ବାଲିକୁଦା ଆଉ ଏରସମା ବ୍ଲକ୍‌ର ୨୨ରୁ ଅଧିକ ପଞ୍ଚା‌ୟତରେ ଏବେ ପିଇବା ପାଣି ସମସ୍ୟା ସୃଷ୍ଟି ହୋଇଛି। ଯେଉଁଠି ପୂର୍ବରୁ ୨୦୦ରୁ ୨୫୦ ମିଟର ମାଟି ତଳୁ ମଧୁର ଜଳ ମିଳୁ ଥିଲା ଏବେ ୩୫୦ ମିଟରରୁ ଅଧିକ ଖୋଳିଲା ପରେ ବି ଅନେକ ସ୍ଥାନରେ ମଧୁର ପାଣି ବଦଳରେ ଲୁଣି ପାଣି ବାହାରୁଛି। ଏହିସବୁ ଅଞ୍ଚଳରେ ପୂର୍ବରୁ ରହି ଆସିଥିବା କୁଅ, ଟ୍ୟୁୱେଲ୍‌ରୁ ଏବେ ଲୁଣି ପାଣି ବାହାରୁ ଥିବାରୁ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂଆ ଟ୍ୟୁୱେଲ୍ ଅଥବା କୁଅ ଖୋଳିବାକୁ ଲୋକେ ବାଧ୍ୟ ହେଉଛନ୍ତି। ଯେଉଁ ମାନଙ୍କର ସେଭଳି ସମ୍ବଳ ନାହିଁ, ସେମାନେ ପାଣି ଟୋପେ ପାଇଁ ଦୀର୍ଘ ରାସ୍ତା ଅତିକ୍ରମ କରି ପାଣି ସଂଗ୍ରହ କରିବାକୁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ଅନେକ ଅଞ୍ଚଳର ଲୋକେ ଲୁହା ମିଶା ଲୁଣି ପାଣି ପିଇ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।

Advertisment

ଏରସମା ବ୍ଲକ୍‌ ଗଡ଼ହରିଶପୁର ପଞ୍ଚାୟତ ‌ସମେତ ଗୋଡ଼ା, ପଦ୍ମପୁର, ଆମ୍ବିକି, ଜାନକାଦେଇପୁର, ଗଡ଼ବିସୁନପୁର, ନାରଦିଆ, ସଁପୁର, ପୋଖରୀଆପଡ଼ା, ପଇଦା ଆଦି ପଞ୍ଚାୟତରେ ପିଇବା ପାଣିର ଉତ୍କଟ ସମସ୍ୟା ଅନେକ ଦିନ ହେଲା ଲାଗି ରହିଛି। ଏହି ପଞ୍ଚାୟତ ଗୁଡ଼ିକରେ ଯେତେ ସବୁ ନ​ଳକୂପ ରହିଛି, ଗୋଟିଏରୁ ବି ଶୁଦ୍ଧ ପାନୀୟ ଜଳ ବାହାରୁ ନାହିଁ। ଗଡ଼ହରିଶପୁର ପଞ୍ଚାୟତରେ ଏକ ପମ୍ପ ହାଉସରୁ ଏହି ପଞ୍ଚାୟତ ଗୁଡ଼ିକୁ ପାଣି ଯୋଗାଇ ଦିଆଯାଉଥିଲା। ମାତ୍ର ‌କିଛି ଦିନ ପରେ ଉକ୍ତ ପମ୍ପ ହାଉସରୁ ବି ଲୁଣି ପାଣି ଆସିଯିବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ଫଳରେ ଏହି ୧୨ ପଞ୍ଚାୟତର ଅବସ୍ଥା ଏବେ ସଙ୍ଗିନ ହୋଇପଡ଼ିଛି। ଏରସମା ପଞ୍ଚାୟତର ସିହା ଗ୍ରାମରେ ଲୁହା ମିଶା ପାଣି ପିଇ ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।

publive-image adb.org

ସେହିପରି ବାଲିକୁଦା ବ୍ଲକ୍‌ରେ ଓଷକଣା, ଖାଲଣା, ଅପଣ୍ଡରା, ରାହଣ, ଅନନ୍ତପୁର, କୁଶୁପୁର, ବରମୁଣ୍ଡୁଳି, ମରିଚିପୁର ଓ ନହରଣା ଆଦି ପଞ୍ଚାୟତରେ ସମାନ ଅବସ୍ଥା। ଏହି ଅଞ୍ଚଳରେ ପ୍ରାୟ ୧୨୦୦ ନଳକୂପ ରହିଛି। କିନ୍ତୁ ଏଥିମଧ୍ୟରୁ ଗୋଟିଏ ବି ପିଇବା ପାଣି ଯୋଗ୍ୟ ନୁହେଁ। ରାହଣ ପଞ୍ଚାୟତର ବସନ୍ତ ପାଟପୁର ଗାଁରେ ଥିବା ଗୋଟିଏ ନଳକୂପରୁ ପିଇବା ଉପଯୋଗୀ ପାଣି ଆସୁଥିବାରୁ ପାଣି ପାଇଁ ସେଠାରେ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ବାଲତି, ଗରା ଓ ଅନ୍ୟ ସାମଗ୍ରୀ ଧାଡ଼ିରେ ରଖି ଲୋକେ ପାଣି ପାଇଁ ଅପେକ୍ଷା କରିଥାନ୍ତି। ଏହି ଅଞ୍ଚଳକୁ ମେଗା ଜଳ ପ୍ରକଳ୍ପ ଯୋଜନାରେ ପାଇପ୍‌ ଲାଇନ୍‌ ଯୋଗେ ପାଣି ଯୋଗାଇ ଦିଆଯିବ ‌ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ବନ୍ଦର ନଗରୀ ପାରାଦୀପରେ ମଧ୍ୟ ଅବସ୍ଥା ସଙ୍ଗିନ ହେଲାଣି। ଏ ସବୁ ଅଞ୍ଚଳରେ ୨୦୧୫-୧୬ରେ ମାତ୍ର ୨୦୦-୨୫୦ ମିଟର ଖୋଳିବା ପରେ ମଧୁର ଜଳ ମିଳୁଥିଲା। ବର୍ତ୍ତମାନ ୩୫୦ ମିଟର ପର୍ଯ୍ୟନ୍ତ ଖୋଳିବାକୁ ପଡ଼ୁଛି। ପାରାଦୀପ ପୌରପାଳିକା ଅଧୀନରେ ନୂଆବଜାର ଅଞ୍ଚଳରେ ୨୫୦-୨୭୦ ମିଟର ତଳେ ମଧୁର ଜଳ ମିଳୁଛି। ଷଣ୍ଢକୁଦରେ ୨୦୦-୨୫୦ ମିଟର, ଭିତରଗଡ଼ରେ ୩୫୦–୪୦୦ ମିଟର, ବିଜୟଚନ୍ଦ୍ରପୁରରେ ୩୦୦-୩୧୫ ମିଟର ତଳେ ମଧୁର ଜଳ ମିଳୁଛି। ୫ ବର୍ଷ ପୂର୍ବରୁ ଏହି ସ୍ଥାନରେ ୫୦-୧୦୦ ମିଟର ଖୋଳିଲେ ମଧୁର ଜଳ ମିଳୁଥିଲା। ମାତ୍ର ଧୀରେ ଧୀରେ ଭୂତଳ ଜଳସ୍ତର ଖସି ଚାଲିଥିବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆ ନଗଲେ ପାଣି ପାଇଁ ଆଗାମୀ ଦିନରେ ଯେ ଗୁରୁତର ସ୍ଥିତି ସୃଷ୍ଟି ହେବ, ସେଥିରେ ସନ୍ଦେହ ନାହିଁ।