ଇସ୍ପାତ ରାଜଧାନୀ କଳିଙ୍ଗନଗର ସ୍ଥିତି ସଙ୍ଗିନ୍ : ଭୂତଳ ଜଳ ଶୋଷୁଛି ଶିଳ୍ପ, ବସ୍ତିକୁ ଚୁଆ ଭରସା

ଶିଳ୍ପାଞ୍ଚଳରେ ଶହଶହ ବେଆଇନ୍ ବୋର୍‌ ୱେଲ୍‌

ଯାଜପୁର/ଦାନଗଦୀ : ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପା‌ଞ୍ଚଳର ସ୍ଥିିତି ସଙ୍ଗିନ। କଳିଙ୍ଗନଗରର ବିକାଶ ପାଇଁ ବର୍ଷ ବର୍ଷ ହେଲା ରଙ୍ଗିନ ସ୍ବପ୍ନ ଦେଖାଯାଉଛି। ଅଥଚ ଶିଳ୍ପାଞ୍ଚଳବାସୀଙ୍କୁ ସର୍ବନିମ୍ନ ପିଇବା ପାଣି ଯୋଗାଣ ହୋଇପାରୁନି। ଦୁର୍ଗମ ଅଞ୍ଚଳ ଭଳି ଶିଳ୍ପାଞ୍ଚଳବାସୀ ପିିଇବା ପାଣି ପାଇଁ ଚୁଆ ଉପରେ ନିର୍ଭର କରିବା ଘଟଣା ଇସ୍ପାତ ରାଜଧାନୀର ବିକଳ ଚିତ୍ରକୁ ପଦାରେ ପକାଇଦେଇଛି। ଅପରପକ୍ଷରେ ନଦୀନାଳ ସହିତ ଭୂତଳ ଜଳକୁ ଶିଳ୍ପାନୁଷ୍ଠାନଗୁଡ଼ିକ ବେଆଇନ ଭାବେ ଶୋ‌ଷି ଚାଲିଛନ୍ତି। ଫଳରେ ସ୍ଥନୀୟ ଅଞ୍ଚଳର କୂଅ ଓ ନଳକୂଅଗୁଡ଼ିକ ଖୁଖିଲା ପଡୁଛି।

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ପାନୀୟଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଶିଳ୍ପା‌ଞ୍ଚଳରେ ଗଢ଼ି ଉଠିଥିବା ୧୩ଟି ବଡ଼ କାରଖାନା ମଧ୍ୟରୁ ଅଧିକାଂଶ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଫଳରେ ସମଗ୍ର ଅଞ୍ଚଳରେ ଜଳସ୍ତର କମିବାରେ ଲାଗିଛି। ଅନ୍ୟପଟେ ନିକଟସ୍ଥ ଗଣ୍ଡାନାଳର ପାଣି କାରଖାନାର ବର୍ଜ୍ୟ ସାମଗ୍ରୀ ପଡ଼ି ପ୍ରଦୂଷିତ ହେଉଛି। ଏହାର ପାଣି ପୂର୍ବ ଭଳି ଲୋକେ ବ୍ୟବହାର କରିପାରୁ ନାହାନ୍ତି। ଦାନଗଦୀ ବ୍ଲକରେ ଥିବା ୨୩ ଟି ପଞ୍ଚାୟତର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବା‌ରେ ଲାଗିଛି। ବନ୍ଦ ହୋଇଯାଇଥିବା ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନା ନିକଟ ସାରଙ୍ଗପୁର ହଟିଂରେ ରହୁଥିବା ପ୍ରାୟ ୪ଶହରୁ ଅଧିକ ପରିବାର ପିଇବା ପାଣି ପାଇଁ ନିକଟରେ ଥିବା ଚୁଆ ଉପରେ ନିର୍ଭର କରୁଛନ୍ତି। ସେଠାରେ ଏକ ଚୁଆ ଖୋଳି ବର୍ଷ ସାରା ସେଥିରୁ ପାଣି ପିଉଥିବା ବେଳେ ପ୍ରଶାସନ କିମ୍ବା କାରଖାନାଗୁଡ଼ିକର ନିଘା ନାହିଁ। ଶିଳ୍ପାନୁଷ୍ଠାନକୁ ଲକ୍ଷ୍ୟ କରି ରାଜ୍ୟ ଓ ରାଜ୍ୟ ବାହାର ବହୁ ଲୋକ ଏଠି ଆସ୍ଥାନ ଜମାଇଛନ୍ତି। ହେଲେ ପାଣି ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରଯାଇନି। ଶିଳ୍ପକାରଖାନାଗୁଡ଼ିକର ପରିିସରରେ ବେଆଇନ୍ ଶହଶହ ଚୋରା ବୋର୍ ୱେଲ୍ ଓ ଇନଟେକ୍ ୱେଲ୍ ଖୋଳି ଗ୍ୟାଲନ୍ ଗ୍ୟାଲନ୍ ଭୂତଳ ଜଳ ଶୋଷୁଛନ୍ତି।

ସେହିପରି କାରଖାନାର ଦୂଷିତ ଜଳ ନଦୀନାଳରେ ମିଶୁଥିବାରୁ ପିଇବା ପାଣି ତ ଦୂରର କଥା ବାସନ ମାଜିବା, ଗାଧୋଇବା ସମ୍ଭବ ହେଉନାହିଁ। ବିଭିନ୍ନ ଖଣିରୁ ନିର୍ଗତ କ୍ରୋମିୟମ ଓ ସିଓବି ପ୍ଲାଣ୍ଟର ମଇଳା ପାଣି ଆଦି ମାରାତ୍ମକ ରସାୟନିକ ଦ୍ରବ୍ୟ ଜଳରେ ମିଶୁଥିବାରୁ ପେଟରୋଗ, ଚର୍ମରୋଗ, ରକ୍ତହୀନତା, କିଡ୍‌ନି ଭଳି ମାରାତ୍ମକ ରୋଗରେ ସ୍ଥାନୀୟ ଲୋକେ ଆକ୍ରାନ୍ତ ହେଉଛନ୍ତି। ସେହିପରି ରଣାଗୁଣ୍ତି ପଞ୍ଚାୟତର ଏକ ଚୁଆ ପାଣିରୁ ସ୍ଥାନୀୟ ଲୋକେ ପିଇବା ପାଣି ସଂଗ୍ରହ କରୁଛନ୍ତି। ଅଧିକାଂଶ ନଳକୂଅ ଅଚଳ ହୋଇପଡ଼ିଛି। ଶିଳ୍ପାଞ୍ଚଳରେ ଏହି ଭୟଙ୍କର ସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଆନ୍ଦୋଳନ ଦାନା ବାନ୍ଧୁଛି। ଅଞ୍ଚଳ ଶିଳ୍ପାନୁୁଷ୍ଠାନର ପାରିପାର୍ଶ୍ବିକ ଅନୁଦାନରେ ରାଜ୍ୟର ବିଭିନ୍ନ ସହର ସୌନ୍ଦର୍ଯ୍ୟୀକରଣ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲ ବିସ୍ମୟ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର