ଝାରସୁଗୁଡ଼ାରେ ଜଳସଂକଟର ନିଚ୍ଛକ ଦୃଶ୍ୟ : ବୁନ୍ଦାଏ ପାଣିକୁ ଘଣ୍ଟାଏ ଅପେକ୍ଷା; ଗିନାରେ ତୋଳି ଗରାରେ ଭର୍ତ୍ତି କରନ୍ତି 

ବ୍ରଜରାଜନଗର : ପିଇବା ପାଣି ପାଇଁ ଗରା, ମାଠିଆ ମୁଣ୍ଡେଇ ଲମ୍ବା ଧାଡ଼ିରେ ଯାଉଥିବାର ଦୃଶ୍ୟ ରାଜସ୍ଥାନର କିମ୍ବା ଅନ୍ୟ ମରୁଭୂମି ଥିବା ଅଞ୍ଚଳରେ ଦେଖିବାକୁ ମିଳେ। କିନ୍ତୁ ଏହାର ଅବିକଳ ଦୃଶ୍ୟ ଦେଖିବାକୁ ମିଳୁଛି ଝାରସୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ରାଜପୁର ପଞ୍ଚାୟତରେ। ଏପରି ଦୃଶ୍ୟ ଦେଖିଲେ ସରକାରଙ୍କ ପ୍ରତିଶ୍ରୁତି ଓ ଯାବତୀୟ ଯୋଜନାର ବାସ୍ତବତା କେତେ ତାହା ସ୍ପଷ୍ଟ ଅନମାନ କରିହୁଏ।

ସକାଳ ୫ଟାରୁ ୮ଟା ଏବଂ ଅପରାହ୍‌ଣ ୫ଟାରୁ ୬ଟା ପର୍ଯ୍ୟନ୍ତ ଏପରି ଦୃଶ ଦେଖାଯାଏ। ଗାଁର ମହିଳା ଓ ଯୁବତୀମାନେ ମୁଣ୍ଡରେ ଗରା, ମାଠିଆ ମୁଣ୍ଡେଇ ଧାଡ଼ି ବାନ୍ଧି ପାଣି ସଂଗ୍ରହ କରିବାକୁ ବାହାରି ପଡ଼ନ୍ତି। ବୁନ୍ଦାଏ ପାଣି ପାଇଁ ସମସ୍ତଙ୍କୁ ସଂଘର୍ଷ କରିବାକୁ ପଡ଼େ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ହଏ। ପାହାଡ଼ ସନ୍ଧିରୁ ପାଣି ଝରିଲେ ତାକୁ ଛୋଟ ଗିନାରେ ସଂଗ୍ରହ କରି ଗରାରେ ଭର୍ତ୍ତି କରିବାକୁ ହୁଏ। ପାଣି ମିଳୁଥିବା ଏପରି ଏକ ସ୍ଥାନରେ ଗାଁର ମହିଳାମାନେ ମେଳି ବାନ୍ଧି ପାଣି ଝରିବାକୁ ଅପେକ୍ଷା କରନ୍ତି। ତେବେ ଏହା କେବଳ ଖରା ମାସରେ ନୁହେଁ। ବର୍ଷ ସାରା ଏପରି କସରତ କରିବାକୁ ପଡ଼େ। ବର୍ଷା ଦିନେ ଉପରୁ ପାଣି ଗଡ଼ିଲେ ତାକୁ ଅଟକାଇ ରଖି ଅନ୍ୟ ଦିନ ପାଇଁ ସଂଚୟ କରିବାକୁ ହୁଏ। ମଜୁରି ଲାଗି ଚଳୁଥିବା ଏହି ମହିଳାଙ୍କ ସକାଳ ଓ ସନ୍ଧ୍ୟା ଏପରି କଟେ।

ରାଜପୁର ପଞ୍ଚାୟତ ୬ ନମ୍ବର ୱାର୍ଡରେ ରହିଛି ଜୁନାନିମୁଣ୍ଡା ଗ୍ରାମ। ଗ୍ରାମଟି ୨ଟି ପଡ଼ାରେ ବିଭକ୍ତ। ତାଳପଡ଼ା ଓ ଉପରପଡ଼ା। ଅଧିବାସୀ ଅଧ୍ୟୁଷିତ ଏହି ଗ୍ରାମର ଲୋକସଂଖ୍ୟା ପ୍ରାୟ। ଅଧିକାଂଶ ଦିନ ମଜୁରିଆ। ଗ୍ରାମର ମାଟି ତଳେ ରହିଛି ଓରିଏଣ୍ଟ କୋଇଲା କ୍ଷେତ୍ରର  ୪ ନମ୍ବର ପୁରୁଣା ଭୂଗର୍ଭ କୋଇଲା ଖଣି। ଉପର ପଡ଼ାଟି ଜାତୀୟ ରାଜପଥ ୪୯କୁ ଲାଗି ରହିଛି। ଉପରପଡ଼ାରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ମାଟି ତଳେ ଭୂଗର୍ଭ କୋଇଲା ଖଣି ଯୋଗୁଁ ବର୍ଷକ ୧୨ ମାସ ଜଳ ସମସ୍ୟା ରହିଥାଏ। ଏଠାରେ କୂଅ କିମ୍ବା ନଳକୂପ ନାହିଁ। ସ୍ନାନ ଶୌଚ ପାଇଁ ଦୁଇ ପଡ଼ା ମଝିରେ ଥିବା ପୋଖରୀ ଏକମାତ୍ର ଭରସା। ଉପରପଡ଼ାରେ ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତଳପଡ଼ାରେ ଥିବା ଶିବ ମନ୍ଦିର ନିକଟରେ ଏକ ସରୁ ଝରଣା ରହିଛି। ସେଥିରୁ ଗିନାରେ ଜଳ ସଂଗ୍ରହ କରି ବାଲ୍‌ଟି, ଗରା ଓ ମାଠିଆ ଭର୍ତ୍ତି କରିବାକୁ ହୁଏ। ସେହି ପାଣିକୁ ପିଇବା ଓ ରୋଷେଇ କାମରେ ବ୍ୟବହାର କରାଯାଏ। ଏହି ପାଣି ବିଶୁଦ୍ଧ କି ନାହିଁ ତାହା ଚିନ୍ତା କରିବାକୁ ସେମାନଙ୍କ ପାଖରେ ସମୟ ନଥାଏ। ତୃଷ୍ଣା ମେଣ୍ଟାଇବା ଓ ଆବଶ୍ୟକତା ପୂରଣ କରିବାକୁ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କୁହନ୍ତି ପଡ଼ାବାସୀ।

ଝାରସୁଗୁଡ଼ା ପରି ଶିଳ୍ପ ଓ ଖଣି ବହୁଳ ସମୃଦ୍ଧଶାଳୀ ଅଞ୍ଚଳରେ ଏପରି ବିକଳ ଅବସ୍ଥା ରହିଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ପଡ଼ାକୁ ଇବ ନଦୀରୁ ଜଳ ଯୋଗାଣ ପାଇଁ ପାଇପ ସଂଯୋଗ କରାଯାଇଛି। ଏଥି ପାଇଁ ଉପରପଡ଼ାରେ ଟାଙ୍କି ରହିଛି, କିନ୍ତୁ ପାଣି ଆସୁନାହିଁ। ଏକ ଅନୁସନ୍ଧାନରୁ ଜଣା ଯାଏ ଇବ୍‌ ନଦୀରେ ତିଆରି ହୋଇଥିବା ପମ୍ପ ଦେଢ଼ ବର୍ଷ ତଳେ ଚାଲୁ କରାଯାଇଛି। କିନ୍ତୁ ନିମ୍ନମାନର ପାଇପ୍‌ ଯୋଗୁଁ ଜଳ ଯୋଗାଣ ପାଇପ୍‌ ବିଭିନ୍ନ ସ୍ଥାନରେ ଫାଟି ଯିବାରୁ ପାଣି ପହଞ୍ଚି ପାରି ନଥିଲା। ସେହି ଦିନରୁ ପଡ଼ାବାସୀ ପାଣି ପାଇଁ ଏପରି ସଂଘର୍ଷ କରୁଛନ୍ତି ବୋଲି ରାଜପୁର ସମିତିସଭ୍ୟ ଗଣେଶରାମ ବାଗ କହିଛନ୍ତି।

ସମ୍ବନ୍ଧିତ ଖବର