କେନ୍ଦୁଝର ଶୋଷ ମେଣ୍ଟାଇପାରୁନି କାନଝାରୀ

ଶିଳ୍ପକୁ ଦରଦ ଦେଖାଇ ବୈତରଣୀରୁ ପାଣି ଆଣିଲେନି!

ଏବେ ବିଦ୍ୟୁତ୍‌ ନଥି‌ଲେ ପାନୀୟ ଜଳ ଯୋଗାଣ ବନ୍ଦ
ଜଳ ଯନ୍ତ୍ରଣାରେ ଛଟପଟ ଲୋକେ, ଆଗକୁ ସ୍ଥିତି ସାଂଘାତିକ

କେନ୍ଦୁଝର : ଖରାଦିନ ଆସିଲେ କେନ୍ଦୁଝରରେ ଦେଖାଦେଉଛି ଉତ୍କଟ ଜଳାଭାବ। ସହରର ଅଧିକାଂଶ ସ୍ଥାନରେ ଭୂତଳ ଜଳସ୍ତର କମି ଯାଉଥିବା ବେଳେ ଗ୍ରାମାଞ୍ଚଳର ପାହାଡ଼ିଆ ସ୍ଥାନରେ ଥିବା ଜଳାଶୟ ଶୁଖିଯାଏ। ଗ୍ରାମାଞ୍ଚଳ ଅପେକ୍ଷା କେନ୍ଦୁଝର ସହରବାସୀ ଅଧିକ ଜଳକଷ୍ଟର ଶିକାର ହୋଇଥାନ୍ତି। ଜଳ ସମସ୍ୟାର ସମାଧାନ ପାଇଁ କାନ୍‌ଝାରୀ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ହେଁ, ସେଇଠି ସମସ୍ୟା ରହିଛି। ଶିଳ୍ପକୁ ପାଣି ଦେବା ପାଇଁ ବୈତରଣୀର ତଣ୍ଡିଯୋଡ଼ାରେ ପ୍ରସ୍ତାବିତ ପ୍ରକଳ୍ପଙ୍କୁ ପ୍ରତ୍ୟାଖାନ କରାଯିବାରୁ ଏବେ ଜଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କେନ୍ଦୁଝରବାସୀ।

କିଛିଦିନ ତଳେ କେନ୍ଦୁଝର ସହରର ଅଧିକାଂଶ ସ୍ଥାନକୁ ଦୁଇଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ଥିଲା। କାନ୍‌ଝରୀଠାରୁ ପମ୍ପ୍‌ ଯୋଗେ ସହରକୁ ପାନୀୟ ଜଳ ଯୋଗାଣ ହେଉଥିଲେ ହେଁ ବିଦ୍ୟୁତ୍‌ ସମସ୍ୟା ପାଇଁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଜେନେରେଟର ବ୍ୟବସ୍ଥା ନଥିବାରୁ ସହରବାସୀ ‌ପାଣି ପାଇଁ ଡହଳବିକଳ ହୋଇଥିଲେ। କେନ୍ଦୁଝର ସହରକୁ ବୈତରଣୀ ନଦୀର ତଣ୍ଡିଯୋଡ଼ାଠାରୁ ପାଣି ଯୋଗାଇବା ପାଇଁ ଦାବି ହେଉଥିଲା। ଯଦି ତାହା ହୋଇଥାନ୍ତା, ହୁଏତ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପାଇଁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇ ନଥାନ୍ତା। ଖାଲି ବିଦ୍ୟୁତ୍‌ ନୁହେଁ, ଆଗାମୀ ଦିନରେ ଡ୍ୟାମର ନିଅଣ୍ଟିଆ ପାଣି ସହରବାସୀଙ୍କୁ ଶୋଷରେ ରଖିପାରେ ବୋଲି ଆଶଙ୍କା କରାଯାଉଛି।

କେନ୍ଦୁଝର ସହରରେ ୧୯୭୮ ମସିହାରେ ୨୦ ହଜାର ଲୋକ ବାସ କରୁଥିଲେ। ସେତିକିବେଳେ ସହରବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବ୍ୟବସ୍ଥା ହୋଇଥିଲା। ବଡ଼ ଘାଗରା ଡ୍ୟାମ୍‌ରୁ ମାଛକାନ୍ଦଣା ନଦୀର ଜଳକୁ ନିକଟସ୍ଥ ଜୁଡ଼ିଆ ଘାଟିଠାରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରାଯାଇ ସହରବାସୀଙ୍କୁ ଯୋଗାଇ ଦିଆଯାଉଥିଲା। ଏହାଦ୍ବାରା ସହରକୁ ଦୈନିକ ୭ ମିଲିୟନ ଲିଟର ପାଣି ଯୋଗାଇ ଦିଆଯାଇଥିବା ବେଳେ ଖରାଦିନେ ଏହା ୫ ମିଲିୟନ ଲିଟରକୁ ଖସି ଆସୁଥିଲା। ୨୦୧୦ ମସିହା ବେଳକୁ ସହରର ଜନସଂଖ୍ୟା ୬୨ ହଜାରରେ ପହଞ୍ଚିଥିଲା। ନିୟମିତ ବିଭିନ୍ନ ସ୍ଥାନରୁ ଯାତାୟାତ କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୫ ହଜାର ଥିଲା। ସେହି ପୁରୁଣା ବ୍ୟବସ୍ଥାରେ ଲୋକଙ୍କୁ ଜଳ ଯୋଗାଇବା କଷ୍ଟସାଧ୍ୟ ହେଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ୟୁଆଇଡିଏମ୍‌ଏମ୍‌ଟିଏସ୍‌ ଯୋଜନାରେ କେନ୍ଦୁଝରକୁ ଜଳ ଯୋଗାଇବାକୁ ‌ପଦକ୍ଷେପ ନିଆଗଲା। ପ୍ରାରମ୍ଭିକ ପର୍ଯ୍ୟାୟ‌ରେ କେନ୍ଦ୍ର ସରକାର ଏଥି ପାଇଁ ୩୨ କୋଟି ଟଙ୍କା ପ୍ରଦାନ କରିଥିଲେ। ରାଜ୍ୟ ସରକାର ମଧ୍ୟ ତାଙ୍କ ଭାଗ କେନ୍ଦୁଝରଗଡ଼‌ ପୌର ପରିଷଦକୁ ପ୍ରଦାନ କରିଥିଲେ।

ଦିଲ୍ଲୀର ଟେ‌ଟ୍ରାଟେକ୍‌ ନାମକ ଏକ ସଂସ୍ଥାକୁ ଡିପିଆର୍‌ ପ୍ରସ୍ତୁତ ପାଇଁ ନିଯୁକ୍ତ କରାଯାଇଥିଲା। ଏହି ସଂସ୍ଥା ଡିପିଆର୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। ଏଥିରେ କୁହାଯାଇଥିଲା ଯେ, କେନ୍ଦୁଝର ସହରର ଉପର ମୁଣ୍ଡରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ବୈତରଣୀ ନଦୀ ଥିବାରୁ ତଣ୍ଡିଯୋଡ଼ାଠାରୁ ଅତିରିକ୍ତ ପାଣି ବଡ଼ ଘାଗରାକୁ ଯୋଗାଇ ଦିଆଗଲେ କେନ୍ଦୁଝରବାସୀ ଦୈନିକ ଆହୁରି ୧୨ ମିଲିୟନ ଲିଟର ପାଣି ପାଇବେ। ଏହି ସୁପାରିସ‌‌ର ସବୁଠୁ ବଡ଼ ଦିଗ ଥିଲା, ବୈତରଣୀର ତଣ୍ଡିଯୋଡ଼ାରୁ ପାଣି ଆଣିଲେ କେନ୍ଦୁଝର ସହର ୫ ଶହ ଫୁଟ ତଳେ ଥିବାରୁ ବିନା ବିଜୁଳି ଖର୍ଚ୍ଚରେ ସହରବାସୀଙ୍କ ପାଖରେ ପାଣି ପହଞ୍ଚି ପାରିବ। ଏହି ସୁପାରିସକୁ ଜିଲ୍ଲାର ବୁଦ୍ଧିଜୀବୀ ଗ୍ରହଣ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନଥିଲେ। ବୈତରଣୀ ନଦୀରୁ ବିଭିନ୍ନ ଶିଳ୍ପସଂସ୍ଥା ପାଣି ନେଉଥିବାରୁ ସେମାନଙ୍କ ପାଇଁ କାଳେ ପାଣି ନିଅଣ୍ଟିଆ ହେବ, ସେଥିପାଇଁ କେନ୍ଦୁଝର ସହରକୁ ବୈତରଣୀର ତଣ୍ଡିଯୋଡ଼ାଠାରୁ ପାଣି ଦିଆଯାଇ ନଥିବା କୁହାଯାଏ।

ପରବର୍ତ୍ତୀ ସମୟରେ ସରକାର କେନ୍ଦୁଝର ସହରର ୧୬ କିମି ଦୂରରେ ଏବଂ ୨୦୦ ଫୁଟ୍‌ ତଳେ ଥିବା କାନ୍‌ଝାରୀ ଡ୍ୟାମରୁ ପାଣି ଯୋଗାଇବା ବ୍ୟବସ୍ଥା କଲେ। ଏହି ବ୍ୟବସ୍ଥା ଦ୍ବାରା କେନ୍ଦୁଝରବାସୀ ଦୁଇଟି କ୍ଷତି ସହିଲେ। ପ୍ରଥମତଃ କାନ୍‌ଝାରୀ ‌ଡ୍ୟାମ କେନ୍ଦୁଝର ସହରଠାରୁ ୨୦୦ ଫୁଟ୍‌ ତଳ ଏବଂ ୧୬ କିମି ଦୂରରେ ଥିବାରୁ ପର୍ଯ୍ୟାପ୍ତ ବିଜୁଳି ଖର୍ଚ୍ଚ ହେଉଛି। ଯାହାର ବୋଝ କେନ୍ଦୁଝରବାସୀଙ୍କୁ ମୁଣ୍ଡାଇବାକୁ ପଡ଼ୁଛି। ଦ୍ବିତୀୟରେ ବାରମ୍ବାର ବଜୁଳି କାଟ୍‌ ଯୋଗୁଁ ସହରବାସୀଙ୍କୁ ନିୟମିତ ପାଣି ମିଳୁ ନାହିଁ। ଯାହାର ଉଦାହରଣ ଗତ ଦୁଇଦିନ ତଳେ ଦେଖିବାକୁ ମିଳିଥିଲା।

ସେହିପରି କାନ୍‌ଝାରୀ ଡ୍ୟାମ ବିଶେଷ କରି ଜଳସେଚନ ପାଇଁ ଆରମ୍ଭ ହୋଇଥିବାରୁ ଏଠାରେ ଆଗାମୀ ଦିନରେ ଖରାଦିନେ ପାଣି ଶୁଖିଗଲେ ସହରବାସୀ ଶୋଷରେ ରହିବେ। ୨୦୧୦ ମସିହାର ଯୋଜନା ଅନୁସାରେ, କେନ୍ଦୁଝର ସହରକୁ ପାଣି ଯୋଗାଇବାକୁ କାନ୍‌ଝାରୀଠାରେ ପ୍ରଳକ୍ପ ହୋଇଥିବାରୁ ଇତିମଧ୍ୟରେ ସହରର କଳେବର ବଢ଼ି ସାରିଲାଣି। ଅନ୍ୟପକ୍ଷରେ କେନ୍ଦୁଝର ସହରାଞ୍ଚଳରେ ଉପକଣ୍ଠରେ ଥିବା ଆହୁରି ୨୫ଟି ଗାଁ ମିଶିବାକୁ ମଧ୍ୟ ନୋଟିସ‌ ହେଲାଣି। ଏହାଦ୍ବାରା ଆଗାମୀ ଦିନରେ କାନଝାରୀ ପ୍ରକଳ୍ପ କେନ୍ଦୁଝର ସହରବାସୀଙ୍କ ତୃଷ୍ଣା ମେ‌ଣ୍ଟାଇବାରେ ବିଫଳ ହେବ। ଏ ସଂପର୍କରେ କେନ୍ଦୁଝର ପ୍ରଗତିଶୀଳ ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁଙ୍କୁ ପଚାରିବାରୁ, କାନ୍‌ଝାରୀ ଡ୍ୟାମରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଇବା ଏକ ବିଫଳ ଯୋଜନା। ଏହାଦ୍ବାରା ସହରବାସୀଙ୍କ ଉପରେ ଅଯଥା ବିଦ୍ୟୁତ୍‌ ‌ବ‌ୋଝ ପଡ଼ୁଥିବା ବେଳେ ସହରର ବର୍ଦ୍ଧିତ କଳେବରକୁ ପାଣି ଯୋଗାଇବାରେ କାନ୍‌ଝାରୀ ଆଗାମୀ ଦିନରେ ସମର୍ଥ ହେବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର