ଖରା ବଢୁଛି, ପାଣି ସମସ୍ୟା ଦେଖାଦେଲାଣି,ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ଲେଫ୍ରିପଡ଼ା : ଲେଫ୍ରିପଡ଼ା ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମପ୍ରବାହ ପ୍ରକୋପରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଇତିମଧ୍ୟରେ ଅଧିକାଂଶ ନଈନାଳ ଶୁଖି ଗଲାଣି। ଅଧିକାଂଶ ନଳକୂଅ ଅଚଳ ହେଲାଣି। ପାଣି ପାଇଁ ଡହକବିକଳ ହେଲେଣି ଲୋକେ। ବ୍ଲକ୍‌ର ଜୀବନରେଖା କୁହାଯାଉଥିବା ଇଚ୍ଛାନାଳ ପାଣି ଶୁଖିଯିବାରୁ ନଈକୂଳିଆ ଲୋକଙ୍କ ପାଇଁ ପାଣି ସମସ୍ୟା ଦେଖାଦେଇଛି। ଚାଷବାସ ଠାରୁ ଆରମ୍ଭ କରି ଗାଧୁଆପାଧୁଆ ତଥା ଗାଈଗୋରୁ ସମସ୍ତେ ଏହି ନାଳ ଉପରେ ନିର୍ଭର କରିଥାନ୍ତି। ସରକାର ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରିଛନ୍ତି। ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଲୋକେ ଏହାର ସୁଫଳ ପାଉନାହାନ୍ତି।

ବ୍ଲକ୍‌ର ବହୁ ପଞ୍ଚାୟତରେ ଏବେଠାରୁ ଜଳ ସମସ୍ୟା ଉତ୍କଟ ହେଲାଣି। ତଥାପି ବିଭାଗ ପକ୍ଷରୁ ମରାମତି କିମ୍ବା ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି। କିନ୍ତୁ ଯୋଜନା ସମୂହର କାର୍ଯ୍ୟକାରିତାକୁ ଠିକ୍ ରୂପେ ତଦାରଖ କରାଯାଉନଥିବା ଅଭିଯୋଗ ହେଉଛି। ଫଳରେ ଖରା ଆରମ୍ଭରୁ ହିଁ ଲେଫ୍ରିପଡ଼ାର ବିଭିନ୍ନ ସ୍ଥାନରେ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳୁଛି। କେଉଁଠି ନଳକୂପ ଖରାପ ତ କେଉଁଠି ଗ୍ରାମକୁ ପାଣି ଯୋଗାଣ ଦୁଇ ଦିନରେ ମାତ୍ର ଥରେ। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ ପମ୍ପ ହାଉସ ଭିତରେ ସୀମିତ ରହିଛି। ପ୍ରକଳ୍ପ ଥିଲେ ବି ସାଧାରଣ ଲୋକମାନେ ପାଇପ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।

ବିଶେଷ କରି ହୁର୍ମେଇ, ସରଫଗଡ଼, ଡୁମାବାହାଲ ଓ ରାଜବାହାଲ ପଞ୍ଚାୟତର ସଂଖ୍ୟାଧିକ ଗାଁରେ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁମାନଙ୍କରେ ଥିବା ନଳକୂଅ ଓ ସୋଲାର ଡୁଆଲ ପମ୍ପଗୁଡିକ ଖରାପ ହୋଇ ପଡିଛି। ପଞ୍ଚାୟତଗୁଡିକ ପକ୍ଷରୁ ଜଳଛତ୍ର, ମୋବାଇଲ ଟ୍ୟାଙ୍କର, ଚହଳା ଖନନ ଓ କ୍ରସବନ୍ଧ ବ୍ୟବସ୍ଥା କରିବା ଦିଗରେ ଆଦୌ ତତ୍ପରତା ଦେଖା ଯାଉନି। ଦାୟିତବରେ ଥିବା ସ୍ଥାନୀୟ କର୍ମଚାରୀ ନା ନା ଆଳ ଦେଖାଇ ନଳକୂଅ ମରାମତି କରୁ ନ ଥିବାବେଳେ ସ୍ଥାନୀୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଦେଖା ମିଳୁନି। ଆଗକୁ ଖରା ଆହୁରି ବଢ଼ିବାକୁ ଥିବାରୁ ଜିଲ୍ଲା ଜଳ ଓ ପରିମଳ ବିଭାଗ ସଜାଗ ରହିବା ସହ ଖରାପ ଥିବା ନଳକୂପର ମରାମତି ସହ ପ୍ରତ୍ୟେକ ଗ୍ରାମକୁ ଦୈନିକ ଜଳ ଯୋଗଣ କରାଯିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର