ପାଳଲହଡ଼ା : ଥମୁନି ଖରା, କମୁନି ପାଣି ସଙ୍କଟ। ପାଳଲହଡ଼ା ଗୋପପୁର ପାଣିସାହିରେ ଚିନ୍ତା ବଢ଼ାଇଛି ପିଇବା ପାଣି ସମସ୍ୟା। ଗାଁରେ ଥିବା ଏକମାତ୍ର ନଳକୂଅରୁ ନାଲିପାଣି ବାହାରୁଥିବାରୁ ଏଠିକାର ଲୋକେ ବହୁଦୂର ଏକ ନାଳରୁ ପିଇବା ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଜମରଡିହ ପିବିଡିଏ ଅଫିସ୍ ପାଖରୁ ୧୦୦ ମିଟର ଦୂରରେ ରହିଛି ଆଦିବାସୀ ବସ୍ତି ଗୋପପୁର-ପାଣୁସାହି। ଏଠାରେ ପ୍ରାୟ ୭୦ ଲୋକ ବସବାସ କରନ୍ତି। ବସ୍ତିରେ ପାଣି ସମସ୍ୟା ଦୂର ପାଇଁ ୪ବର୍ଷ ତଳେ ଖୋଳା ହୋଇଥିଲା ନଳକୂଅ। କିନ୍ତୁ, ଏଠାରେ ସୌରପ୍ରକଳ୍ପ ଲାଗିଲା ନାହିଁ। ଆରମ୍ଭରୁ ହିଁ ଏହି ନଳକୂଅରୁ ନାଲିପାଣି ବାହାରୁଥିବାରୁ ତାହା ପିଇବା ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ଏହାକୁ ପିଇଲେ କିଡ୍ନି ରୋଗ ହେବାର ଆଶଙ୍କା କରି ଏହାକୁ ବ୍ୟବହାର କରନ୍ତିନି ଲୋକେ। ୩୦ବର୍ଷ ତଳେ ଗାଁର ନନ୍ଦ ନାଏକ ନିଜ ଜମିରେ ଖୋଳିଥିବା କୂଅ ଗାଁ ଲୋକଙ୍କ ଶୋଷ ମେଣ୍ଟାଉଥିଲା। କିନ୍ତୁ, ଏବେ ତାହା ଶୁଖିବାକୁ ବସିଲାଣି। ଶେଷରେ, ସେମାନେ ବାଧ୍ୟହୋଇ ଗରା, ମାଠିଆ ଧରି ୨ କିମି ଦୂର ଜଙ୍ଗଲ ରାସ୍ତାରେ ଚାଲିଚାଲି ନାଳରୁ ପାଣି ସଂଗ୍ରହ କରୁଥିବା ଗାଁର ପାଣୁ ମୁଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ, ଆସନ୍ତା ୪ ଦିନ ଭିତରେ ଏହି ବସ୍ତିକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବେ ବୋଲି ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ କହିଛନ୍ତି।