ରାଜନଗର : ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଧୀରେ ଧୀରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଖରାର ପ୍ରକୋପ ବଢ଼ିବା ସହିତ ପିଇବା ପାଣି ସମସ୍ୟା ବଢ଼ିବ‌ାରେ ଲାଗିଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗାଁ ହରିଜନ ସାହିର ୮୦ ପରିବାର ଏବେ ପିଇବା ପାଣି ସଂଗ୍ରହ କରିବାକୁ ଗରା, ବାଲ୍‌ତି ଧରି ଖରାରେ ୨ କିଲୋମିଟର ଚାଲୁଛନ୍ତି।  ଗାଁରେ ଥିବା ନଳକୂପରୁ ଗଲା ୨ବର୍ଷ ହେଲା ପାଣି ବାହାରିବା ହ୍ରାସ ପାଇ ଚାଲିଥିଲା।‌ ୩ମାସ ହେଲା ପାଣିରେ ସମ୍ପୂର୍ଣ୍ଣ ଲୁଣି ପଡ଼ିଯାଇଛି। ଏଭଳି ସ୍ଥିତିରେ ଡହ ଡହ ଖରାରେ ମହିଳାମାନେ ପାଣି ପାଇଁ ଦୁଇ କିଲୋମିଟର ଚାଲିବାକୁ ବାଧ୍ୟ ହେଉଛନ୍ତି।

Advertisment

ତଥ୍ୟ ଅନୁଯାୟୀ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗାଁ ହରିଜନ ସାହିରେ ପ୍ରାୟ ୧୫ବର୍ଷ ତଳେ ନଳକୂପ ବସିଥିଲା। ସେଥିରୁ ଭଲ ପାଣି ବାହାରୁଥିଲା। କିନ୍ତୁ କିଛି ବର୍ଷ ହେଲା ସମୁଦ୍ର କୂଳିଆ ରାଜନଗର ଅଂଚଳରେ ପାନୀୟଯୋଗ୍ୟ ଭଲ ପାଣିର ସ୍ତର କମିବାରେ ଲାଗିଛି। ପୂର୍ବରୁ ଯେଉଁଠି ୪୦୦/୫୦୦ ଫୁଟ୍‌ ତଳେ ଭଲ ପାଣି ମିଳୁଥିଲା ଏବେ ସେଠାରେ ୭୦୦ଫୁଟ ତଳେ ଭଲ ପାଣି ମିଳିବା କଷ୍ଟ ହୋଇଗଲାଣି। ରାଜେନ୍ଦ୍ରନଗର ହରିଜନ ସାହିରେ ୮୦ ପରିବାରର ୫ଶହ ଲୋକ ବସବାସ କରୁଛନ୍ତି। ଏହି ଗୋଟିଏ ନଳକୂପ ଉପରେ ସେମାନେ ନିର୍ଭରଶୀଳ ଥିଲେ।

publive-image patrika.com

ଦୁଇବର୍ଷ ତଳୁ ଏହି ନଳକୂପରୁ ପାଣି ବାହାରିବା କମିଥିଲା। ପାନୀୟଜଳ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇ ପାଇପ୍‌ ବଦଳା ଯାଇଥିଲା। ମାତ୍ର ୩ ମାସ ହେଲା ନଳକୂପ ସମ୍ପୂର୍ଣ୍ଣ ଲୁଣି ହୋଇଯାଇଛି। ଯେଉଁ ପାଣି ବାହାରୁଛି ଗୃହପାଳିତ ପଶୁଙ୍କୁ ବି ଦେଇ ହେଉନି। ପୂର୍ବରୁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ନଳକୂପ ବସୁଥିଲା। ମାତ୍ର ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଅର୍ଥ ବରାଦ ହେବା ପରେ ନୂତନ ନଳକୂପ ପାଇଁ ଆଉ ଅର୍ଥ ମଂଜୁର ହେଉନି। ପୂର୍ବରୁ ବିଭିନ୍ନ ବିଭାଗ ନିଜେ ନଳକୂପ ବସାଉ ଥିବା ବେଳେ ଏବେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କେବଳ ଏହି ନଳକୂପ ବସାଉଛି। ନୂତନ ନଳକୂପ ବସୁ ନ ଥିବାରୁ ଏହି ୫ଶହ ଲୋକେ ହନ୍ତସନ୍ତ ହେଉଛନ୍ତି।

ଗାଁର ତାରା ବିବି, ଅଞ୍ଜଳି ଦାସ, ଯଶୋମା ବିବିଙ୍କ କହିବା କଥା ହେଲା ଯେ ପାଣି ପାଇଁ ସେମାନେ ବଜାର ଭିତରେ ଥିବା ଗୋଟିଏ କିଲୋମିଟରରୁ ଅଧିକ ଦୂର କାଳୀ ମନ୍ଦିର ନିକଟକୁ ଯାଉଛନ୍ତି। କିନ୍ତୁ ଏବେ ଖରାରେ ପାଣି ଗରାଏ ଆଣି ଘରେ ପହଞ୍ଚିବା ବେଳକୁ କାଠିକର ପାଠ ହୋଇଯାଉଛି। ମେନକା ମହାଳିକଙ୍କ କହିବା କଥା ହେଲା ଯେ ସେମାନେ ଦୁଇ କିମି ଦୂର ଗାଁ ସ୍କୁଲ ନିକଟକୁ ପାଣି ଆଣିବାକୁ ଯାଉଛନ୍ତି। ଏ ବୟସରେ ୨ କିମି ଯାଇ ପୁଣି ପାଣି ନେଇ ଫେରିବା ବେଳକୁ ଘରର ଅନ୍ୟ କାମ କରି ହେଉନି। ଗାଁର ସୁକ୍ସେଟ ଅଲ୍ଲୀ ଖାନ କହିଛନ୍ତି ଯେ ସେମାନେ ଏହି ପ୍ରସଙ୍ଗରେ ସ୍ଥାନୀୟ ବିଧାୟକଙ୍କୁ ଭେଟି ଜଣାଇଛନ୍ତି। ଖୁବ୍‌ଶୀଘ୍ର ନଳକୂପ ବସିବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଖରାଦିନେ ପାଣି ପାଇଁ ହନ୍ତସନ୍ତ ହେଉଥିବାରୁ ଖୁବ୍‌ଶୀଘ୍ର ନଳକୂପ ବସାଇବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।