ରା.ଉଦୟଗିରି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ର ଅତ୍ୟନ୍ତ ଦୁର୍ଗମ ସୁନ୍ଦରଡ଼ାଙ୍ଗ ପଞ୍ଚାୟତ ଗଠନ ହୋଇ ୫ବର୍ଷ ବିତିଲାଣି। ସୁନ୍ଦରଡ଼ାଙ୍ଗରେ ବସତି ସ୍ଥାପନ ହେବାର ୯୦ବର୍ଷରୁ ଅଧିକ ହେଲାଣି। ଏବେ ଗାଁରେ କନ୍ଧସାହି ଓ ପାଣସାହିକୁ ମିଶାଇ ଶହେ ପରିବାରରୁ ଅଧିକ ବସବାସ କରୁଛନ୍ତି। ତେବେ ଦୁଃଖ ଓ ପରିତାପର ବିଷୟ, ପାଣସାହିରେ ୭୦ରୁ ଅଧିକ ପରିବାରଙ୍କ ପାଇଁ ଜଳକଷ୍ଟ ଦିନକୁ ଦିନ ବଢୁଛି ସିନା ସମାଧାନର ନାଁ ଧରୁନି। ଏହି ସାହିରେ ଅଧିକାଂଶ ଶିକ୍ଷିତ। ନିୟମିତ ବ୍ୟବଧାନରେ ଏମାନେ ସମସ୍ତେ ବାରମ୍ବାର ନୂଆଗଡ଼ ବିଡିଓଙ୍କୁ ଲିଖିତ ଓ ମୌଖିକ ଆକାରରେ ଅଭିଯୋଗ ଦେଲେଣି।
/sambad/media/post_attachments/wp-content/uploads/2021/03/IMG_20210321_102953.jpg)
୬ ମାସ ତଳେ ଜଳକଷ୍ଟ ଲାଘବ ପାଇଁ ୫ଲକ୍ଷ ବ୍ୟୟରେ ସୌରଶକ୍ତି ବ୍ୟବସ୍ଥାରେ ଜଳଯୋଗାଣ ହାଇଥିଲା। ପ୍ରକଳ୍ପ ଆରମ୍ଭ ହୋଇ ୫ ଦିନ ପାଣି ମିଳିଲା, ୬ ଦିନ ଯାଇନି ପାଣି ଯୋଗାଣ ବନ୍ଦ ହୋଇଗଲା। ବହୁ ବର୍ଷ ପୂର୍ବେ ଏହି ଗ୍ରାମରେ ୨୫ଲକ୍ଷ ଟଙ୍କା ବ୍ୟୟରେ ଏକ ଚେକ୍ଡ୍ୟାମ୍ ହୋଇଥିଲା l ତେବେ ଏଥିରେ ଲୋକେ କିଭଳି ଉପକୃତ ହେଉଛନ୍ତି ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହି ପ୍ରକଳ୍ପ ପରିତ୍ୟକ୍ତ ହୋଇ ପଡ଼ିରହିଛି। ଏ ନେଇ ସମିତିସଭ୍ୟା ତଥା ସାହିବାସିନ୍ଦା ସୁଜାତା ବୀର ମଧ୍ୟ ସାହିରେ ଜଳକଷ୍ଟ ଉପଲବ୍ଧ ହୋଇ ନପାରିବା ନେଇ କ୍ଷୋଭ ପ୍ରକାଶ କରନ୍ତି। ଗ୍ରାମର ବୟୋଜ୍ୟେଷ୍ଠ ଚିତ୍ରସେନ ନାୟକ, ପୁଷ୍ପା ବୀର, ମାମିତା ମଣ୍ଡଳ ନାୟକ, ହାନାମା ବୀର ପ୍ରମୁଖଙ୍କ ସହ ସାହିର ସମସ୍ତ ମହିଳା ଗ୍ରାମରେ ଥିବା ଏକମାତ୍ର ଗୋଳିଆ କୂଅରୁ ପାହାନ୍ତିଆ ପହରରୁ ଗୋଳିଆ ପାଣି ପାଇଁ ଠୁଳ ହୁଅନ୍ତି। ଯେଉଁଠି ପିଇବା ପାଣି ଟିକିଏ ମିଳୁନି ସେଠି ଗାଧୁଆପାଧୁଆ ପାଇଁ କିଭଳି ପାଣି ମିଳୁଥିବ ତାହା ସହଜରେ ଅନୁମେୟ।
କିଛିଦିନ ତଳେ ବିଡିଓ ଗ୍ରାମକୁ ଯାଇ ଲୋକଙ୍କ କଷ୍ଟ ଦେଖିଥିଲେ। ଠିକାସଂସ୍ଥା କହିବା ପ୍ରକାରେ, କାମ ସାରିବା ପରେ ୫ବର୍ଷ ରକ୍ଷଣାବେକ୍ଷଣ ଦାୟିତ୍ବ ଥିଲେ ମଧ୍ୟ ବ୍ଲକ୍ରୁ ବିଲ୍ ହୋଇନଥିବା ଅଭିଯୋଗ ଆଣିଛନ୍ତି। ଏପଟେ କନିଷ୍ଠଯନ୍ତ୍ରୀ ବିଷ୍ଣୁପଦ ମହାନ୍ତି କହିଛନ୍ତି, ୫ ଲକ୍ଷ ବ୍ୟୟ ହେଲା ପରେ ଲୋକଙ୍କୁ ପାଣି ମିଳୁନି, ବିଲ୍ କେମିତି ହେବ? ତେଣୁ ଯେତେ ଶୀଘ୍ର ହେବ ଅଂଚଳବାସୀଙ୍କ ପାଇଁ ପାନୀୟ ଜଳଯୋଗାଣ ଏବଂ ବନ୍ଧ ଖୋଳାଇବା ବନ୍ଦୋବସ୍ତ କରାଯିବ। ଏହି ବ୍ୟବସ୍ଥା ଚଳିତ ଗ୍ରୀଷ୍ମ ସରିବା ମଧ୍ୟରେ କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/IMG_20210321_104020-1.jpg)