ସୁନ୍ଦରଗଡ଼/ଫୁଲବାଣୀ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ରାଜ୍ୟର ବିଭିନ୍ନ ନଦୀ ଏବେ ଶୁଖିବା ଆରମ୍ଭ କରିଛି। ସୁନ୍ଦରଗଡ଼ରେ ଇବ୍‌ନଦୀ ଓ କନ୍ଧମାଳ ଜିଲ୍ଲାରେ ସାଲୁଙ୍କୀ ନଦୀ ଶୁଖିଯିବା ଫଳରେ ଏବେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି, ସୁନ୍ଦରଗଡ଼ ସହରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫୁଲବାଣୀ ସହରରେ ବି ଅନୁରୂପ ପରିସ୍ଥିତି ସୃଷ୍ଟିହୋଇଛି।

Advertisment

publive-image

ମିଳିଥିବା ସୂଚନା ଅନୁସାରେ, ଇବ୍‌ ନଦୀର କ୍ଷୀଣ ଜଳଧାର ଶୁଖିଯିବା ପରେ ଏହାର ସିଧାସଳଖ ପ୍ରଭାବ ସୁନ୍ଦରଗଡ଼ ସହର ଉପରେ ପଡ଼ିଛି। ସୁନ୍ଦରଗଡ଼ ପୌରାଞ୍ଚଳରେ  ପ୍ରାୟ ୧୬ ହଜାରରୁ ଅଧିକ ପରିବାରର ୫୮ ହଜାର ୫ ଶହ ଲୋକଙ୍କ ସହ ବ୍ୟବସାୟିକ ସଂସ୍ଥାଗୁଡିକୁ ପାନୀୟ ଜଳ ଯୋଗାଇଦେବାକୁ ୨୦୧୬ରୁ ୨୦୧୯ ମଧ୍ୟରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ପାଣି ପାଇପ୍, ଓଭରହେଡ୍ ଟ୍ୟାଙ୍କ, ବିଶୋଧନାଗାର ପାଇଁ କୋଟି କୋଟି ଖର୍ଚ୍ଚ କରାଯାଇଛି। ହେଲେ, ଆବଶ୍ୟକ ପାଣି ଯୋଗାଣର ପ୍ରମୁଖ ଜଳଉତ୍ସ ଇବ୍‌ନଦୀରେ ପାଣି ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ। ଉପରମୁଣ୍ଡରେ ଛତିଶଗଡ଼ ଇବ୍‌କୁ ବନ୍ଦୀ ବନାଇଥିବାବେଳେ କିଛିବର୍ଷ ହେଲା ବର୍ଷାଋତୁ ବ୍ୟତୀତ ଅନ୍ୟଋତୁରେ ନଦୀ ଶୁଖିଲା ରହୁଥିବା ପରିଲକ୍ଷିତ ହେଉଛି। ହେଲେ, ଏଯାଏଁ ପାଣି ସ୍ରୋତ ବା ଧାରକୁ ଅଟକାଇ ସଂରକ୍ଷିତ ରଖିବା ପାଇଁ ନଦୀ ବକ୍ଷରେ ଆନିକଟ କି କ୍ଷୁଦ୍ର ବନ୍ଧଟେ କରାଯାଇପାରିନାହିଁ। ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି। ଫଳ‌ରେ, ସହରକୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି।

ଏ ସମ୍ପର୍କରେ ଓଡ଼ିଶା ଜଳ ନିଗମର ଅଧିକାରୀଙ୍କୁ ପଚାରିବାରୁ ପାଣି ଯୋଗାଣରେ ସମସ୍ୟା ଦେଖା ଦେଇଥିବା ସ୍ବୀକାର କରିଛନ୍ତି। ନଦୀର ଜଳଧାରକୁ କିଏ ରୋକି ଦେଇଥିବାରୁ ପାଣି ଜଳଯୋଗାଣ କେନ୍ଦ୍ରକୁ ପହଞ୍ଚି ପାରି ନଥିବା ଜଣାପଡ଼ିଛି। ଟିମ୍ କାମ ଆରମ୍ଭ କରିଛନ୍ତି, ହେଲେ ନଦୀ ଶୁଖିଲା ପଡ଼ିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଧିକାରୀ କହିଥିଲେ।

publive-image

ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଉତ୍କଟ ହୋଇଛି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଆଜିର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରହିଛି। ଫୁଲବାଣୀ ଦେଇ ବହିଯାଉଥିବା ସହରବାସୀଙ୍କ ଜୀବନରେଖା ସାଲୁଙ୍କୀ ନଈ ଏବେ ଶୁଖିଯାଇଛି। ଫଳରେ, ସହରକୁ ପାଣିଯୋଗାଣ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ପିଏଚ୍‌ଡି ବିଭାଗ ଦ୍ବାରା ଯୋଗାଇ ଦିଆଯାଉଥିବା ପାଇପ ପାଣି ସମୁଦ୍ରକୁ ଶଙ୍ଖେ ଭଳି ହେଉଥିବାରୁ ସହରର ପ୍ରତି ପରିବାରରେ ଗୋଟିଏ ଲେଖାଏଁ କୂଅ ରହିଛି। ଫୁଲବାଣୀ ସହରରେ ଆନୁମାନିକ ୭୦୦ରୁ ଅଧିକ କୂଅ ରହିଛି। ଏସବୁ କୂଅ ବି ଚଳିତ ଗ୍ରୀଷ୍ମଋତୁରେ ଶୁଖିଯିବା ଫଳ‌ରେ ପାନୀୟ ଜଳସଂକଟ ଉତ୍କଟ ରୂପ ଧାରଣ କରିଛି।

ଏଠ‌ାରେ ଉଲ୍ଲେଖଯୋଗ୍ୟ ଯେ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ସାଲୁଙ୍କୀ ମଧ୍ୟମ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ଡ୍ୟାମ୍‌କୁ ଛାଡ଼ିଦେଲେ ବାକି ଶତାଧିକ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ନିର୍ମିତ ଜଳଭଣ୍ଡାରଗୁଡ଼ିକ ଶୁଖିଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ନିର୍ମିତ ପ୍ରମୁଖ ଜଳଭଣ୍ଡାର ଯଥା- ବାଲନ୍ଦାପଡ଼ା ଜଳଭଣ୍ଡାର, କାଳୀପେନୁ ଜଳଭଣ୍ଡାର, କୁଡୁକି ଜଳଭଣ୍ଡାର, ନୂଆପଦର ଜଳଭଣ୍ଡାର, ବିଶିପଡ଼ା ଜଳଭଣ୍ଡାର, ବୁଢ଼ାଦାନି ଜଳଭଣ୍ଡାର, ଗୁମାଗଡ଼ ଜଳଭଣ୍ଡାର, କଙ୍ଗେରନାଳ ଜଳଭଣ୍ଡାର, ଡକାଙ୍ଗି ଜଳଭଣ୍ଡାର, ମିଣିଆ ଜଳଭଣ୍ଡାର ଆଦି ଏବେ ଶୁଷ୍କ ଅବସ୍ଥାରେ ରହିଛି।