ଭୁବନେଶ୍ବର : ରାଜଧାନୀରେ ୨୪ ଘଣ୍ଟା ପିଇବା ଜଳ ଯୋଗାଣ ପାଇଁ ସବୁ ଦିଗରୁ କସରତ ଚାଲିଛି। କିନ୍ତୁ ରାଜଧାନୀରୁ ମାତ୍ର ୧୫ କିଲୋମିଟର ଦୂରରେ ମେଣ୍ଢାଶାଳ ପଞ୍ଚାୟତ ଅନ୍ତର୍ଗତ ବାରାପିଠା ଗାଁର ସ୍ଥିତି ସାଂଘାତିକ। ଏଠାକାର ଅଧିବାସୀଙ୍କ ପାଇଁ ମଶା, ମାଛି ଭଣଭଣ, କୀଟ ଭାସୁଥିବା ଚୁଆ ପାଣି ହିଁ ଏକମାତ୍ର ଭରସା। ଏଥିପ୍ରତି କାହାରି ନିଘା ନାହିଁ। ଏଭଳି ପାଣି ଯେ ମଣିଷ ପିଉଛନ୍ତି ନ ଦେଖିଲେ, ବିଶ୍ବାସ ହେବନାହିଁ। ଗାଁକୁ ଆଜି ପର୍ଯ୍ୟନ୍ତ ପାଣି ପାଇପ ସଂଯୋଗ ହୋଇପାରି ନାହିଁ। କିଛି ବର୍ଷ ହେଲା ଖୋଳାଯାଇଥିବା ନଳକୂଅ ପାଣିରୁ ଏଭଳି ଗନ୍ଧ ବାହାରୁଛି ଯେ ପିଇବା ସମ୍ଭବ ନୁହେଁ ବୋଲି କହନ୍ତି ସ୍ଥାନୀୟ ଅଧିବାସୀ। ତେଣୁ ଚୁଆ ପାଣିକୁ ଝରଣା ପାଣି କହି ଘରେ ଫୁଟାଇ ପିଅନ୍ତି ବୋଲି କହନ୍ତି ସେମାନେ।କିଛି ଦିନ ପୂର୍ବରୁ ଏକ ସାମାଜିକ ସଙ୍ଗଠନ ପକ୍ଷରୁ ମୋଟର ଏବଂ ଟାଙ୍କି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ତାହା ମଧ୍ୟ ଅଚଳ ହୋଇପଡ଼ିଛି। ଉଭୟ ଟାଙ୍କି ଏବଂ ମୋଟର ମଧ୍ୟ ଆଉ ନାହିଁ।
/sambad/media/post_attachments/wp-content/uploads/2023/03/baripitha-622x430.jpg)
ମେଣ୍ଢାଶାଳ ସରପଞ୍ଚ କୌଶଲ୍ୟା ବଳିଆରସିଂହ ମଧ୍ୟ ଗାଁର ଏହି ସ୍ଥିତିକୁ ସ୍ବୀକାର କରନ୍ତି। ଉପଯୁକ୍ତ ଜଳ ଯୋଗାଣ ବ୍ୟବସ୍ଥା ଅଭାବରୁ ଗାଁର ୫୦୦ ଲୋକଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହେଉଥିବା କହନ୍ତି ସେ। ଏପରିକି ମ୍ୟାଲେରିଆ, ଡେଙ୍ଗୁ ଓ କିଡ୍ନି ରୋଗ ମଧ୍ୟ ଚିହ୍ନଟ ହେଉଛି। ସ୍ବାସ୍ଥ୍ୟ ଟିମ ଆସିଲେ ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ସାମାଜିକ କର୍ମକର୍ତ୍ତାମାନେ ମତ ଦିଅନ୍ତି।ରାଜଧାନୀର ଚାକଚକ୍ୟରେ କୋଣଠେସା ହୋଇ ରହିଯାଇଛି ଆଦିବାସୀ ଗାଁ ବାରାପିଠା। ସ୍ଥାନୀୟ ଅଧିବାସୀ ନାରାୟଣ ଶାମାକ(୫୦)ଙ୍କ କହିବା ଅନୁସାରେ ପ୍ରାୟ ୫୦ରୁ ୬୦ ଦଶକ ମଧ୍ୟରେ ମୟୂରଭଞ୍ଜ ଏବଂ କେନ୍ଦୁଝରର କିଛି ଆଦିବାସୀ ପରିବାର ଭୁବନେଶ୍ବରକୁ ରୋଜଗାର ଅନ୍ବେଷଣରେ ଆସି ଏଠାରେ ରହି ଯାଇଛନ୍ତି। ସେତେବେଳେ ଏହି ଅଞ୍ଚଳଟି ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା। ୬୦ ଦଶକରେ ଡେରାସରେ ନିର୍ମାଣ କରାଯାଇଥିବା କୃଷି ଫାର୍ମରେ ଅଧିକାଂଶ ବ୍ୟକ୍ତି କାର୍ଯ୍ୟ କରିବାକୁ ଲାଗିଲେ। ବର୍ତ୍ତମାନ ଏଠାରେ ରହୁଥିବା ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଜନ୍ମ ଏହି ଅଞ୍ଚଳର। ଅଧିକାଂଶ ଚାଷ କରି ଜୀବିକା ନିର୍ବାହ କରନ୍ତି। ଗୋଟିଏ ସମୟରେ ଏହି ଅଞ୍ଚଳଟି କୁପୋଷଣ ନେଇ ଚର୍ଚ୍ଚାରେ ଥିଲା। ସକରାତ୍ମକ ସରକାରୀ ଯୋଜନା ଭାବରେ ୨୦୧୫ ମସିହାରେ ପ୍ରଥମ କରି ଏଠାରେ ରାଜ୍ୟର ସୌର ବିଜୁଳି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଅନେକ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିଥିଲା। ଗାଁ ସ୍ଥିତି ସମସ୍ତେ ଦେଖିଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୌର ବିଜୁଳି ପ୍ରକଳ୍ପର ସରଞ୍ଜାମ ଭାଙ୍ଗିଗଲାଣି। ସୌର ପ୍ରକଳ୍ପ ତ ଆଜି ଅଚଳ ହୋଇପଡ଼ିଛି। କିନ୍ତୁ ଗାଁ ସ୍ଥିତି ଦେଖିବା ପରେ ମଧ୍ୟ ଗାଁ ସ୍ଥିତିର ବିଶେଷ ସୁଧାର ହେଲା ନାହିଁ।
/sambad/media/post_attachments/wp-content/uploads/2023/03/water-bbsr2-711x430.jpg)
ସ୍ଥାନୀୟ ଅଧିବାସୀ ବୁଦୁଲିଙ୍କ ଅନୁସାରେ ସୌର ପ୍ରକଳ୍ପଟି ଅଚଳ ରହିବା ଯୋଗୁଁ ଅନେକ ଦିନ ଧରି ସେମାନେ ଅନ୍ଧାରରେ ରହିବା ପରେ କିଛି ବର୍ଷ ପୂର୍ବରୁ ଘରକୁ ସାଧାରଣ ବ୍ୟବସ୍ଥାର ବିଜୁଳି ଆସିଛି। ସେମାନଙ୍କ ମୁଖ୍ୟ ଅସୁବିଧା ନେଇ ଜଳ ଯୋଗାଣ ସୁବିଧା ନେଇ ପ୍ରଶାସନ ଯେମିତି ଆଖି ବୁଜି ଦେଇଛି। ୧୫ ବର୍ଷିୟା ଗୁରୁବାରୀଙ୍କ ମତରେ ସ୍ବଚ୍ଛ ପାଣି ଅପେକ୍ଷା ବର୍ଷା ଦିନରେ ପାଣି ନେବା ପାଇଁ ଅସୁବିଧା ନେଇ ବେଶି ଚିନ୍ତିତ। ପଞ୍ଚାୟତ ନିର୍ବାଚନ ପରେ ଗତ ବର୍ଷ ଏହି ଚୁଆକୁ ଯିବା ପାଇଁ ପାହାଚ ନିର୍ମାଣ ହୋଇଛି। ତା ପୂର୍ବରୁ ଚୁଆକୁ ଯାଇ ପାଣି ନେବା ବି କଷ୍ଟକର ଥିଲା। ରାସ୍ତା ଏବଂ ପାହାଚଟି କଂକ୍ରିଟ ହୋଇନଥିବାରୁ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରି ନାହିଁ। ଏଭଳି ପାଣି ଯୋଗୁଁ ଛୁଆଙ୍କ ଜୀବନ ହିଁ ବାଜିରେ ଲାଗୁଛି। କେବେ ଏହି ଅଞ୍ଚଳକୁ ସ୍ଥାନୀୟ ଅଧିବାସୀ ଗୁରୁତ୍ବ ଦେବେ ତାକୁ ନେଇ ସନ୍ଦିହାନ ରହିଛି।
/sambad/media/post_attachments/wp-content/uploads/2023/03/water-22-750x430.jpg)
ମେଣ୍ଢାଶାଳ ସରପଞ୍ଚଙ୍କ ଅନୁସାରେ, କେବଳ ବାରାପିଠା ନୁହେଁ, ଏହାର ନିକଟସ୍ଥ ଆହୁରି କିଛି ଗାଁରେ ଜଳ ଯୋଗାଣର ଏହିଭଳି ସମସ୍ୟା ରହିଛି। ବସୁଧା ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଗତରେ ଏଠାରେ ଜଳ ଯୋଗାଣ ପାଇଁ ପ୍ରସ୍ତୁତି ଚାଲିଛି। ମହାନଦୀ ପାଣି ଏଠାକୁ କିଭଳି ଆସିବ, ସେଥିପାଇଁ କିଛି ଦିନ ପୂର୍ବରୁ ପ୍ରଶାସନିକ ଦଳ ପହଞ୍ଚିଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ପଞ୍ଚାୟତ ତରଫରୁ ସ୍ଥାନ ଚିହ୍ନଟ ହୋଇଛି। ପ୍ରଶାସନ ପକ୍ଷରୁ କେବେ କାର୍ଯ୍ୟ ଆରମ୍ଭ ହେବ ତାକୁ ହିଁ ଭରସା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/water-bbsr.jpg)