ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନିଜ ହେଡ୍ କ୍ବାର୍ଟର୍ସ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ନିର୍ବାହୀ ଯନ୍ତ୍ରୀମାନେ ସେମାନଙ୍କ ଅଧୀନରେ ଥିବା ନଦୀବନ୍ଧଗୁଡ଼ିକୁ ପରିଦର୍ଶନ କରି ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ବାଲିବସ୍ତା, ବହ୍ଲା, ବାଉଁଶ ଇତ୍ୟାଦି ଯଥେଷ୍ଟ ପରିମାଣର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଆବଶ୍ୟକ ସଂଖ୍ୟକ ଟ୍ରାକ୍ଟର, ଏସ୍କାଭେଟର ଓ ଅନ୍ୟ ଯନ୍ତ୍ରପାତି ସହିତ ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ୧୧ଟି ଜିଲ୍ଲାର କର୍ମଚାରୀମାନଙ୍କ ଛୁଟି ବାତିଲ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ କମିସନର ମଧ୍ୟ ଚିଠି ଲେଖିଛନ୍ତି। ବନ୍ୟା ସମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ପାଇଁ ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟଯନ୍ତ୍ରୀ ଏବଂ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

ଅନ୍ୟପଟେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ। ବନ୍ୟା ସମୟରେ ସମ୍ପୃକ୍ତ ଜିଲ୍ଲାର କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତ କ୍ଷେତ୍ରୀୟ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଶ୍ରୀ ସେଠୀ ଉଲ୍ଲେଖ କରିଛନ୍ତି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଉଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସେଜିଅର (ଏସଓପି) ଅନୁଯାୟୀ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ନିୟୋଜିତ କରିବାକୁ ଏସ୍‌ଆରସି ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରୁ ବନ୍ୟା ପ୍ରଭାବିତ ଜିଲ୍ଲାରେ ଥିବା ନଦୀବନ୍ଧଗୁଡ଼ିକର ନିୟମିତ ଯାଞ୍ଚ କରିବା ସହ ପୁଲିସ, ପଞ୍ଚାୟତ କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ। ପ୍ରଭାବିତ ଅଞ୍ଚଳରେ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ସର୍ବନିମ୍ନ ପାଣି, ବିଜୁଳି ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ରିଲିଫ ଯୋଗାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମହଜୁଦ ରଖିବାକୁ ମଧ୍ୟ ଶ୍ରୀ ସେଠୀ ଜଣାଇଛନ୍ତି। ବୃଦ୍ଧାଶ୍ରମ, ସ୍କୁଲ, ଆବାସିକ ବିଦ୍ୟାଳୟଗୁଡ଼ିକରେ ପ୍ରଚୁର ଖାଦ୍ୟ ମହଜୁଦ ପାଇଁ ତ୍ବରିତ୍ ପଦକ୍ଷେପ ନେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର