ଭୁବନେଶ୍ୱର : ଆଜି ଯାଏ ଜଣାପଡ଼ିଥିଲା ଯେ ସବୁ ନିୟମକାନୁନକୁ ଗିଳି ଦେଇ ଛତିଶଗଡ଼ ସରକାର ଗୋଟିଏ ପରେ ଗୋଟିଏ ଡ୍ୟାମ୍ କରିଛନ୍ତି। କେନ୍ଦ୍ର ସରକାର ତାଙ୍କୁ ଅଯାଚିତ ଭାବେ ସୁରକ୍ଷା ଦେଇ ଆସିଛନ୍ତି। ଏବେ ବି ବେଆଇନ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି।
ଛତିଶଗ଼ଡ ସରକାର କିଭଳି ବେପରୁଆ ଢଙ୍ଗରେ କାର୍ଯ୍ୟ କରୁଛନ୍ତି ଓ କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗ ଏହାକୁ ବରଦାସ୍ତ କରୁଛନ୍ତି, ତାହାର ଆଉ ଏକ ନଜିର ସାମ୍ନାକୁ ଆସିଛି।
ଗତ ୨୪ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯେଉଁ ସମନ୍ଵୟ ବୈଠକ ହୋଇଥିଲା, ତାହା ସୂଚାଉଛି ଯେ ମିନିମାତା ବାଙ୍ଗୋ ଓ ରବି ଶଙ୍କର ଭଳି ବୃହତ୍ ଡ୍ୟାମ୍ ଏଯାଏ ରୁଲ କର୍ଭ ପ୍ରସ୍ତୁତ କରିନଥିଲେ। ମିନିମାତା ବାଙ୍ଗୋ ଡ୍ୟାମ୍ର ଚିଠା କର୍ଭ ରୁଲ୍ ସେଦିନ ବୈଠକରେ କର୍ତ୍ତୃପକ୍ଷ ହସ୍ତାନ୍ତର କରିଛନ୍ତି। ବିଶଦ ରିପୋର୍ଟ ଖୁବ୍ଶୀଘ୍ର ଦେବେ। ସେହିଭଳି ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ରବିଶଙ୍କର ଡ୍ୟାମ୍ ଓ ସୋନ୍ଦୁର ଡ୍ୟାମ୍ର ରୁଲ୍ କର୍ଭ ତଥ୍ୟ ପ୍ରଦାନ କରିବେ ବୋଲି ଆଶା ଦେଖାଇଛନ୍ତି। ଏହାବ୍ୟତୀତ ଆହୁରି ଅନେକ ଡ୍ୟାମ୍ ରହିଛି, ଯାହାର ପରିଚାଳନା ନେଇ ଛତିଶଗଡ ନିରବ, ଓଡ଼ିଶା ଓ ଜଳଆୟୋଗ ଅନ୍ଧାରରେ।
ଜଳସଂପଦ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ଏମିତି ଶହ ଶହ ଡ୍ୟାମ୍ ରହିଛି, ଯାହାର ରୁଲ୍ କର୍ଭ ନାହିଁ। ଏଥିପାଇଁ ଆଇନରେ ନା ବ୍ୟବସ୍ଥା ରହିଛି ନା କିଛି ନିୟମାବଳୀ ରହିଛି। କିନ୍ତୁ ଜଳସେଚନ, ଶିଳ୍ପ ଏବଂ ବନ୍ୟା ଭଳି ପ୍ରମୁଖ ତିନିଟି କ୍ଷେତ୍ର ସହିତ ଡ୍ୟାମ୍ର ସଂପର୍କ ରହୁଛି ଓ ସିଧାସଳଖ ଲୋକଙ୍କ ସହିତ ଏହି ପ୍ରସଙ୍ଗ ଜଡିତ ଥିବା କାରଣରୁ ଡ୍ୟାମ୍ ପରିଚାଳନା ନେଇ ଠୋସ୍ ନୀତି ହେବା ଜରୁରୀ ହୋଇପଡିଛି। ବିଶେଷକରି ଛତିଶଗଡରୁ ଆସୁଥିବା ପାଣି ଉପରେ ଯେହେତୁ ହୀରାକୁଦ ଅତ୍ୟନ୍ତ ନିର୍ଭରଶୀଳ, ଏ କ୍ଷେତ୍ରରେ ସବୁ ପ୍ରମୁଖ ଡ୍ୟାମର ପରିଚାଳନା ନୀତି ହେବା ଅପରିହାର୍ଯ୍ୟ। ଏହା ଓଡ଼ିଶା ପାଇଁ ଯେତିକି ଉପଯୋଗୀ, କେନ୍ଦ୍ର ଜଳ ଆୟୋଗ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
କୌତୂହଳର କଥା ହେଉଛି, ଉଭୟ ମିନିମାତା ବାଙ୍ଗୋ ଓ ରବି ଶଙ୍କର ଡ୍ୟାମ୍ ବହୁ ପୁରୁଣା ଡ୍ୟାମ୍। ମାତ୍ର ଏହି ଡ୍ୟାମ୍ ପରିଚାଳନା ନୀତିଟି ଆଜି ଯାଏ ସ୍ଥିର ହୋଇପାରିନାହିଁ। କେନ୍ଦ୍ରୀୟ ଜଳ ଆୟୋଗ କିଭଳି ହାତବାନ୍ଧି ବସିଥିଲେ , ତାହା ବୁଝାପଡୁନାହିଁ। ଏହାର ଗମ୍ଭୀର ପ୍ରଭାବ ଏବେ ପଡିଲାଣି।
ଡ୍ୟାମ୍ର ପରିଚାଳନା ନିଷ୍ପତ୍ତି ଏକପାଖିଆ ଭାବେ ଛତିଶଗଡ ପାଖରେ ରହୁଛି। ପୂର୍ବଭଳି ସେମାନେ ପାଣି ଛାଡିବା ପୂର୍ବରୁ ରାୟଗଡ ଜିଲ୍ଲାପାଳ ଓଡ଼ିଶାକୁ ସୂଚନା ଦେଉଛନ୍ତି। ରାଜ୍ୟ ସରକାର ତା ଉପରେ ନିଜର ପ୍ରସ୍ତୁତି କରୁଛନ୍ତି। ହେଲେ ଏତେ ବଡ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କେନ୍ଦ୍ରୀୟ ଜଳ ଆୟୋଗ ଏ ଯାଏ କାହିଁକି ହସ୍ତକ୍ଷେପ କରିନଥିଲେ, ଛତିଶଗ଼ଡ ସରକାର ଡ୍ୟାମ୍କୁ ୧୦୦ ପ୍ରତିଶତ ପୂର୍ଣ୍ଣ କରିବା ରଖିବା ଉପରେ କାହିଁକି କଟକଣା ଜାରି କରୁନାହାନ୍ତି, ତାହା ଅତ୍ୟନ୍ତ ଗମ୍ଭୀର ବ୍ୟାପାର ବୋଲି ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି।
ଓଡ଼ିଶା ସରକାର ପାଖାପାଖି ୩୦ ବର୍ଷ ତଳୁ ହୀରାକୁଦ ଲାଗି ରୁଲ୍ କର୍ଭ ତିଆରି କରିଥିଲେ। ସେ ଅନୁସାରେ, କେଉଁ ସମୟରେ କେତେ ପାଣି ଜଳଭଣ୍ଡାରରେ ରହିବ, କେବେ ଛଡାଯିବ ତାହା ନିର୍ଣ୍ଣୟ ହୋଇଥିଲା। ହେଲେ ଇତିମଧ୍ୟରେ ସ୍ଥିତି ବଦଳିଛି। ସାନି ରୁଲ୍ କର୍ଭ ଆବଶ୍ୟକ ପଡିଲାଣି।
କେବଳ ଏହି ଗୋଟିଏ ପ୍ରସଙ୍ଗ ନୁହେଁ, ବୈଷୟିକ ଜ୍ଞାନକୌଶଳରେ ଅନେକ ଅଗ୍ରଗତି ହେଲାଣି। ତା ସତ୍ତ୍ୱେ ଉଭୟ ରାଜ୍ୟ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ନେଇ ଯେଉଁ ସମସ୍ୟା ରହିଛି, ତାହା ଗତ ୨୪ ତାରିଖ ବୈଠକରୁ ଜଳ ଜଳ ହୋଇ ଦିଶୁଛି। ଏ ଦିଗରେ ଆୟୋଗର ଭୂମିକା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଉଲ୍ଲେଖଯୋଗ୍ୟ, ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଛତିଶଗଡ କର୍ତ୍ତୃପକ୍ଷ ନିର୍ ନିଧି ଆପ୍ରେ ମିନିମାତା ବାଙ୍ଗୋ, ରବି ଶଙ୍କର ଡ୍ୟାମ୍ ତଥ୍ୟ ଦେହା ନେଇ ଗତ ବୈଠକରେ ହିଁ ନିଷ୍ପତ୍ତି ନେଇଛନ୍ତି। ମିନିମାତା ଓ ରବିଶଙ୍କର ଡ୍ୟାମ୍କୁ ବାଦ ଦେଲେ ଅନ୍ୟ ସବୁ ବଡ ଓ ମଧ୍ୟମ ଡ୍ୟାମ ସଂପର୍କରେ ଛତିଶଗଡ ସରକାର ଖୁବ୍ କମ ସମୟ ବ୍ୟବଧାନରେ ୧ ତାରିଖରୁ ତଥ୍ୟ ଦେବେ ବୋଲି ଏହି ବୈଠକରେ ଜଣାଇଛନ୍ତି। ଅର୍ଥାତ୍ ଏହି ବ୍ୟବସ୍ଥା ବି ଆଜିଯାଏ ନଥିଲା, ଏକଥା ବୁଝାପଡୁଛି।
ଉଭୟ ରାଜ୍ୟ ମଧ୍ୟରେ ବସୁଥିବା ସମନ୍ଵୟ ବୈଠକରେ ସମନ୍ଵୟର ଅଭାବ କେତେ ଦୂର ରହିଛି, କେନ୍ଦ୍ରୀୟ ଜଳ ଆୟୋଗ କିଭଳି ନିରବଦ୍ରଷ୍ଟା ସାଜିଛନ୍ତି, ତାହା ଏବେ ଓଡ଼ିଶାର ଚିନ୍ତା ବଢାଇ ଦେଲାଣି। ଏହି ବୈଠକରେ ସ୍ଥିର ହୋଇଛି, ୭୨ ଘଣ୍ଟା ପୂର୍ବରୁ ବନ୍ୟା ଆଶଙ୍କା ସଂପର୍କରେ ଆଗତୁରା ସତର୍କ କରାଇବା ଲାଗି କେନ୍ଦ୍ରୀୟ ଜଳ ଆୟୋଗକୁ ଓଡ଼ିଶା ସରକାର ଚିଠି ଲେଖିବେ। ଅର୍ଥାତ୍ ଏ ବ୍ୟବସ୍ଥାଟି ମଧ୍ୟ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/dam-10.jpg)
