ବଲାଙ୍ଗୀର : ଖରା ଦିନ ଆସିଛି। ଗାଁଠୁ ନେଇ ସହର ସବୁଠି ପିଇବା ପାଣି ସମସ୍ୟା। ଯାହାକୁ ନେଇ ଶୁକ୍ରବାର ଦିନ ଜିଲ୍ଲା ପରିଷଦ ବୈଠକରେ ବାଦବିବାଦ ଦେଖାଦେଇଥିଲା। ସବୁଠି ପାଣି ସମସ୍ୟା ଦେଖାଦେଇଥିବା ବେଳେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପ୍ରସ୍ତାବକୁ ନେଇ କଥା କଟାକଟି ହୋଇଥିଲା। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରି ବୈଠକ ଅଧାରୁ ଚାଲିଆସିଥିବା ବେଳେ ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟା ମାଠିଆ ଧରି ବୈଠକରେ ପ୍ରତିବାଦ କରିଥିଲେ।

Advertisment

ଆଜି ଏସ୍‌ଆଇଏଚ୍‌ଏମ୍‌ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରମୁଖ ଉପସ୍ଥିତଥିଲେ।

ପ୍ରଥମେ କାର୍ଯ୍ୟସୂଚୀ ଅନୁସାରେ ପିଇବା ପାଣି ଓ ପରିମଳ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ପିଇବା ପାଣି ସମସ୍ୟା ସବୁଠି ଥିବା ନେଇ କଥା ଉଠିଥିଲା। ବୈଠକରେ ବେଲପଡ଼ା ବ୍ଲକ୍‌ର ୨୫ ଓ ୨୬ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ ଓ ଶବ୍ଦ ମିର୍ଧା ମାଠିଆ ଧରି ନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିଥିଲେ। ସେହିପରି ଅନ୍ୟ ଜନପ୍ରତିନିଧିମାନେ ବି ପିଇବା ପାଣି ପ୍ରକଳ୍ପ ଅଚଳ ଥିବା ଏବଂ ବହୁ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇନଥିବା କହିଥିଲେ। ଯାହାକୁ ନେଇ ବୈଠକରେ କିଛି ସମୟ ଟେନ୍‌ସନ୍‌ ଦେଖାଦେଇଥିଲା। ବିଧାୟକ ନରସିଂହ ମିଶ୍ର ଆଲୋଚନା ଅଧାରୁ ବାହାରି ଆସିଥିଲେ। ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ପିଇବା ପାଣିର ସବୁଠି ଘୋର ଅବ୍ୟବସ୍ଥା ରହିଛି। ଏପଟେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ସଭାପତି ଆଗତ କରୁଛନ୍ତି। ଏଣୁ ଧୈର୍ଯ୍ୟହରା ହୋଇ ବୈଠକରୁ ଚାଲିଆସିଥିବା କହିଥିଲେ।