ସମ୍ବଲପୁର(ଜ୍ଞାନରଂଜନ ମିଶ୍ର): ମାତ୍ର ୨ ଦିନ ଅର୍ଥାତ୍ ୪୮ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଚିଲିକା ହ୍ରଦଠୁ ଅଧିକ ପାଣି ମହାନଦୀରେ ଛାଡ଼ିଲା। ଉକ୍ତ ମଧୁର ପାଣି ଯାଇ ସମୁଦ୍ରରେ ମିଶି ନଷ୍ଟ ହୋଇଗଲା। ବିଶ୍ବାସ ନ ହେଲେ ବି ଏହା ସତ। ଏହା ନୂଆ କଥା ନୁହେଁ। ପ୍ରତି ବର୍ଷ ମୌସୁମୀ ଋତୁରେ ହୀରାକୁଦରୁ ୫ରୁ ୧୦ ମିଲିୟନ୍ ଏକର ଫୁଟ୍ ଅର୍ଥାତ୍ ୫୦ ଲକ୍ଷରୁ ୧ କୋଟି ଏକର ଫୁଟ୍ ପର୍ଯ୍ୟନ୍ତ ବନ୍ୟା ପାଣି ସମୁଦ୍ରକୁ ଛାଡ଼ି ଦିଆ ଯାଇଥାଏ। ଏତିକି ପାଣିରେ ସାରା ରାଜ୍ୟର ସଂପୂର୍ଣ୍ଣ ଚାଷ ଜମିକୁ ବର୍ଷ ସାରା ଦୁଇ ଫସଲ ଜଳସେଚନ କଲେ ବି ବଳିବ। କିନ୍ତୁ ମହାନଦୀ ମଧ୍ୟ ଭାଗରେ ଥିବା ହୀରାକୁଦରୁ କେବଳ ପ୍ରତି ବର୍ଷ ଏତିକି ଜଳ ଅପଚୟ ହେଉଥିବାବେଳେ ଏହାର ତଳ ମୁଣ୍ଡ ଅବବାହିକାର ପାଣି, ତଳ ଭାଗରେ ମିଶିଥିବା ଶତାଧିକ ଉପ ନଦୀ ତଥା ରାଜ୍ୟର ଅନ୍ୟ ଶହଶହ ଛୋଟବଡ଼ ନଦୀ ପାଣିର ପରିମାଣ କେତେ ଅଧିକ ତାହା ଜଣେ ସାଧାରଣ ଲୋକ କଳନା ବି କରି ପାରିବ ନାହିଁ। ମହାନଦୀ ଉପର ମୁଣ୍ଡ ଜଳ ପାଇଁ ଛତିଶଗଡ଼ ସହ ଲଢ଼େଇରେ ଲିପ୍ତ ଓଡ଼ିଶା ନିଜ ଭାଗର ଜଳ ପରିଚାଳନା ଦିଗରେ କେତେ ସଚେତନ ନିମ୍ନରେ ପ୍ରଦତ୍ତ ପରିସଂଖ୍ୟାନରୁ ତାହା ସହଜରେ ବୁଝି ହେବ।
ଗତ ଅଗଷ୍ଟ ୨୮ ତାରିଖ ସକାଳୁ ହୀରାକୁଦ ବନ୍ଧର ଗୋଟିଏ ପରେ ଗେଟିଏ ଗେଟ୍ ଖୋଲି ଚାଲିଲା। ଦିନ ୧୨ଟାରୁ ୩ଟା ମଧ୍ୟରେ ହାରାହାରି ୫ ଲକ୍ଷ କ୍ୟୁସେକ୍, ଦିନ ୩ଟା ପରଠାରୁ ହାରାହାରି ୬.୫ ଲକ୍ଷ କ୍ୟୁସେକ୍ ଓ ତାପର ଦିନ ସକାଳୁ ୭ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ନିଷ୍କାସନ କରାଗଲା। ୨୮ ତାରିଖ ଦିନ ୪ଟା ବେଳକୁ ୪୦ଟି ଗେଟ୍ ଖୋଲିଥିଲା ଯାହା ୨୯ ତାରିଖ ଦିନ ଗୋଟାଏ ବେଳକୁ ୪୬ଟି ଗେଟ୍କୁ ବୃଦ୍ଧି ପାଇଥିଲା। ୨୯ ତାରିଖ ଦିନ ୧ଟାରୁ ୩୦ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୨୯ ଘଣ୍ଟା ଧରି ସର୍ବାଧିକ ୪୬ଟି ଗେଟ୍ ଖୋଲା ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ୩ଟି ଲେଖାଏଁ କରି ଗେଟ୍ ବନ୍ଦ ହୋଇଥିଲା। ୩୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪୦ଟି ଯାଏ ଗେଟ୍ ଖୋଲା ରହିଥିଲା। ୨୯ ତାରିଖ ଦିନ ୩ଟାରୁ ୩୧ ସକାଳ ୬ଟା ମଧ୍ୟରେ ହୀରାକୁଦରୁ ସର୍ବାଧିକ ଜଳ ନିଷ୍କାସିତ ହୋଇଥିଲା।
ଏହି ସମୟ ମଧ୍ୟରେ ୨୮-୨୯ ତାରିଖ ମଧ୍ୟରାତ୍ରୀ ୧୨ଟାରୁ ୩୦-୩୧ ତାରିଖ ମଧ୍ୟରାତ୍ରୀ ୧୨ଟା ମଧ୍ୟରେ ନିଷ୍କାସିତ ଜଳର ପରିମାଣ ହିସାବ କରାଯାଉ। ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷରୁ ପ୍ରଦତ୍ତ ୩ ଘଣ୍ଟିଆ ହାରାହାରି ଜଳ ନିଷ୍କାସନ ପରିମାଣକୁ ଯୋଡ଼ି ହିସାବ କଲେ ଏହି ୪୮ ଘଣ୍ଟା ମଧ୍ୟରେ ମହାନଦୀକୁ ୩୩ ଲକ୍ଷ ଏକର ଫୁଟ୍ରୁ ଅଧିକ ଜଳ ନିଷ୍କାସିତ ହୋଇଛି, ଯାହା ଚିଲିକା ହ୍ରଦରେ ଥିବା ସମୁଦାୟ ଜଳଠାରୁ ବି ଅଧିକ। ଚିଲିକା ହ୍ରଦର ମୋଟ ଜଳର ପରିମାଣ ୪ ଘନ କିଲୋମିଟର ବା ପ୍ରାୟ ୩୨ ଲକ୍ଷ ଏକର ଫୁଟ୍। ତେଣୁ ୪୮ ଘଣ୍ଟା ମଧ୍ୟରେ ହୀରାକୁଦରୁ କେବଳ ଗୋଟିଏ ଚିଲିକାର ପାଣି ନିଷ୍କାସିତ ହୋଇଛି ତାହା ନୁହେଁ; ବାଟରେ ଆହୁରି ବହୁ ଉପନଦୀର ଜଳ ମିଶି ମହାନଦୀ ଓ ତଳ ମୁଣ୍ଡ ବିଭିନ୍ନ ଶାଖା ନଦୀ ମୁହାଣ ଦେଇ କେତେ ଯେ ପାଣି ବଙ୍ଗୋପସାଗରକୁ ଚାଲିଯାଇଛି ତାର ହିସାବ ନାହିଁ।
ଅଗଷ୍ଟ ୨୮ ତାରିଖ ଦିନ ୧୨ଟାରୁ ସେପ୍ଟେମ୍ବର ୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ୪ ଦିନ ହିସାବକୁ ନେଲେ ପ୍ରଥମ ଦିନ ୧୨ ଲକ୍ଷ ୯୬ ହଜାର ଏକର ଫୁଟ୍, ଦ୍ବିତୀୟ ଦିନ ୧୫ ଲକ୍ଷ ୧୨ ହଜାର ଏକର ଫୁଟ୍, ତୃତୀୟ ଦିନ ୧୩ ଲକ୍ଷ ୩୬ ହଜାର ଏକର ଫୁଟ୍ ଓ ଚତୁର୍ଥ ଦିନ ୧୦ ଲକ୍ଷ ୪୨ ହଜାର ଏକର ଫୁଟ୍ ଜଳ ହୀରାକୁଦ ବନ୍ଧ ଦେଇ ମହାନଦୀକୁ ନିଷ୍କାସିତ ହୋଇଛି। ଏହି ୯୬ ଘଣ୍ଟା ମଧ୍ୟରେ ପ୍ରାୟ ୫.୨ ମିଲିୟନ୍ ଏକର ଫୁଟ୍ ଜଳ ଛଡ଼ା ଯାଇଛି ଯାହା ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତାର ଦେଢ଼ ଗୁଣରୁ ବି ଅଧିକ। ହୀରାକୁଦ ବନ୍ଧର ସର୍ବାଧିକ ଜଳଧାରଣ କ୍ଷମତା (ବିନା ପଟୁ ମାଟିରେ ଜଳସ୍ତର ୬୩୦ ଫୁଟ୍ ଥିଲାବେଳେ) ପ୍ରାୟ ୪୭ ଲକ୍ଷ ୮୦ ହଜାର ଏକର ଫୁଟ୍ ଯାହା ଡ୍ୟାମ୍ ତିଆରିର ପ୍ରାରମ୍ଭିକ ସମୟରେ ଥିଲା। କିନ୍ତୁ ଡ୍ୟାମ୍ ନିର୍ମାଣର ୬ ଦଶନ୍ଧିରୁ ଅଧିକ ସମୟ ଭିତରେ ପ୍ରତି ବର୍ଷ ଉପର ମୁଣ୍ଡର ବନ୍ୟାକୁ ନିଜ ଭିତରେ ସାଉଁଟୁଥିବା ହୀରାକୁଦ ଜଳଭଣ୍ଡାରର ମୋଟ କ୍ଷମତାର ପ୍ରାୟ ୨୮%ରୁ ୩୦% ପର୍ଯ୍ୟନ୍ତ ପଟୁ ମାଟିରେ ପୋତି ହୋଇ ସାରିଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଜଳଭଣ୍ଡାରରେ ଗଚ୍ଛିତ ସର୍ବାଧିକ ପାଣିର ପରିମାଣ ପ୍ରାୟ ୩୪ ଲକ୍ଷ ୪୦ ହଜାର ଏକର ଫୁଟ୍। ଯାହାର ଦେଢ଼ ଗୁଣ ଅର୍ଥାତ୍ ୫୧ ଲକ୍ଷ ୬୦ ହଜାର ଏକର ଫୁଟ୍ରୁ ବି ଅଧିକ ପାଣି ଉପରୋକ୍ତ ୯୬ ଘଣ୍ଟା ମଧ୍ୟରେ ସେହି ଜଳଭଣ୍ଡାରରୁ ହିଁ ନିଷ୍କାସିତ ହୋଇଛି।
ଉଲ୍ଲେଖଯୋଗ୍ୟ, ଲଘୁଚାପ କାରଣରୁ ଅଗଷ୍ଟ ଶେଷ ସପ୍ତାହରେ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା। ହୀରାକୁଦ ଜଳଭଣ୍ଡାରରେ ମିଶିଥିବା ମହାନଦୀର ଦୁଇ ଉପନଦୀ ଇବ୍ ଓ ଭେଡେନ୍ର ଜଳ ନିଷ୍କାସନ ବୃଦ୍ଧି ପରେ ୨୭ ତାରିଖ ରାତି ୧୨ଟା ସୁଦ୍ଧା ହୀରାକୁଦର ୨୦ ପର୍ଯ୍ୟନ୍ତ ଗେଟ୍ ଖୋଲିଥିଲା। ହେଲେ ତାପର ଦିନ ଛତିଶଗଡ଼ ପାଣି ବଢ଼ିବା ଆରମ୍ଭ ହେବାରୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ୨୮ ଓ ୨୯ ତାରିଖରେ ପର୍ଯ୍ୟାୟ କ୍ରମେ ଅଧିକ ଗେଟ୍ ଖୋଲି ପାଣି ଛାଡ଼ିବାକୁ ବାଧ୍ୟ ହେଲେ। ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୁଧୁରି ନ ଥିବା ବେଳେ ହୀରାକୁଦର ୪୬ଟି ସ୍ଲୁଇସ୍ ଗେଟ୍ ଖୋଲି ସେକେଣ୍ଡ ପିଛା ହାରାହାରି ୭.୫ ଲକ୍ଷ ଘନଫୁଟ୍ (କ୍ୟୁସେକ୍) ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଗଲା। ଯାହା ତଳ ମୁଣ୍ଡର ବନ୍ୟାକୁ ଅଧିକ ଗମ୍ଭୀର ଓ ଲମ୍ବା କରିଥିଲା। ଏଥି ସହ ବନ୍ଧର ଠିକ୍ ତଳେ ଥିବା ସମ୍ବଲପୁର ସହରକୁ ବି ଜଳପ୍ଳାବିତ କଲା। ୨୭ ତାରିଖରୁ ସମ୍ବଲପୁରରେ ଲଘୁଚାପ ବର୍ଷା ଛାଡ଼ି ଯାଇଥିଲେ ବି ୨୮ ତାରିଖ ମଧ୍ୟାହ୍ନରୁ ୧ ତାରିଖ ସକାଳ ଯାଏ ୪ ଦିନ ପର୍ଯ୍ୟନ୍ତ ଟାଣ ଖରାରେ ବି ଅଧା ସମ୍ବଲପୁର ସହର ବନ୍ୟା ଜଳରେ ଉବୁଟୁବୁ ହେଲା।