ଜଳ ସମୁଦ୍ରକୁ ଚାଲିଯାଉଛି, ସରକାର ବେଫିକର

ଅସନ୍ତୋଷ ଅଜାଡ଼ିଲେ ବିରୋଧୀ ଓ ଶାସକ ସଭ୍ୟ, ଆଡ଼ିବନ୍ଧ ସଂଖ୍ୟା ବଢ଼ୁଛି, କିନ୍ତୁ କାମରେ ଲାଗୁନି

ଭୁବନେଶ୍ବର : ଉପଲବ୍ଧ ଜଳର ଅଧିକାଂଶ ଭାଗ ସମୁଦ୍ରକୁ ବୋହିଯାଉଛି। ସରକାର ଜଳ ପରିଚାଳନା ଠିକ୍ ଭାବେ କରିପାରୁ ନାହାନ୍ତି। ଅନେକ ଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇପାରୁନି। କିଛି ଜାଗାରେ କେବଳ ଘୋଷଣାରେ ପ୍ରକଳ୍ପ ଅଟକି ଯାଇଛି। ୧୪ ହଜାରରୁ ଅଧିକ ଆଡ଼ିବନ୍ଧ ନିର୍ମାଣ ହେଲାଣି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ କାମରେ ଲାଗୁନି।

ଆଜି ବିଧାନସଭାର ପ୍ରଶ୍ନକାଳରେ ଶାସକ ଓ ବିରୋଧୀ ଦଳର ସଭ୍ୟମାନେ ଜଳସମ୍ପଦ ବିଭାଗ ଉପରେ ଏମିତି ଅଭିଯୋଗମାନ ଗଦା କରିଦେଇଥିଲେ। ନିର୍ଦ୍ଦିଷ୍ଟ ଭାବେ ବିଭିନ୍ନ ଉଦାହରଣ ଦେଇ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୂଆ କରି ଜଳସମ୍ପଦ ବିଭାଗର ଦାୟିତ୍ବ ନେଇଥିବା ମନ୍ତ୍ରୀ ରଘୁନନ୍ଦନ ଦାସ ସଭ୍ୟମାନଙ୍କର ପ୍ରଶ୍ନର ରୋକ୍‌ଠୋକ୍ ଉତ୍ତର ଦେବାକୁ ସକ୍ଷମ ହୋଇ ନ ଥ‌ିଲେ। କିଛି କାମଚଳା ଉତ୍ତର ଦେଇ ବିଭାଗ ପକ୍ଷରୁ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଓଡ଼ିଶାରେ ଭୂପୃଷ୍ଠ ଓ ଭୂତଳ ଜଳ ପରିମାଣ ଏବଂ ଭୂତଳ ଜଳ ହ୍ରାସ ନେଇ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଓଡ଼ିଶାର ସମସ୍ତ ନଦୀ ଅବବାହିକାର ଭୂପୃଷ୍ଠ ଜଳର ପରିମାଣ ୯୫ ହଜାର ୫୪୦ ମିଲିଅନ୍ ଘନ ମିଟର। ଏ ସମସ୍ତ ଜଳର ବିଭିନ୍ନ ବ୍ୟବହାର ପରେ ସମୁଦ୍ରକୁ ବୋହିଯାଉଛି ବଳକା ୫୦ ହଜାର ୬୪୬ ମିଲିଅନ୍ ଘନ ମିଟର ଜଳ। ଓଡ଼ିଶାର ଉପଲବ୍ଧ ଭୂତଳ ଜଳର ପରିମାଣ ୨୦୧୭ ମସିହାରେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ତଥ୍ୟ ଅନୁଯାୟୀ ୧୫ ହଜାର ୫୭୦ ମିଲିଅନ୍ ଘନ ମିଟର ଅଟେ। ଭୂପୃଷ୍ଠ ଓ ଭୂତଳ ଜଳର ସଂରକ୍ଷଣ କରିବା ପାଇଁ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଲମ୍ବା ତାଲିକା ମନ୍ତ୍ରୀ ଦେଇଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ୧୪ ହଜାର ୫୮୮ଟି ଆଡ଼ିବନ୍ଧ ନିର୍ମାଣ କରାଯାଇଛି। ରାଜ୍ୟରେ ୭ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୬୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଜଳଭଣ୍ଡାର ସୃଷ୍ଟି କରାଯାଇଛି। ଭୂତଳ ଜଳର ସଂରକ୍ଷଣ ନିମନ୍ତେ ୨୦୧୫ ମସିହାରୁ ଛାତ ଉପରେ ଜଳ ଅମଳ ପ୍ରକଳ୍ପ କରାଯାଇ ବର୍ଷା ଜଳ ଦ୍ବାରା ଭୂତଳ ଜଳର ପୁନର୍ଭରଣ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମାଝୀ କହିଲେ, ଭୂପୃଷ୍ଠ ଜଳକୁ ସଂରକ୍ଷିତ ରଖିବା ପାଇଁ ଅନ୍ୟ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଠାରେ ସରକାର ଅଧିକାଂଶ ଜଳ ସମୁଦ୍ରକୁ ଛାଡ଼ି ଦେଉଛନ୍ତି। ଏଥିରୁ ସରକାରଙ୍କ ଜଳ ପରିଚାଳନାର ଦୁର୍ବଳତା ଧରାପଡ଼ିଯାଉଛି। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଲେ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ଆଡ଼ିବନ୍ଧ ପକାଉଛି। ଫଳରେ ତଳେ ଜଳ କମିଯାଉଥିବା କୁହାଯାଉଛି। ତେଣୁ ସରକାର ଜଳ ସଂରକ୍ଷଣ ପାଇଁ ଠୋସ୍ ପଦକ୍ଷେପ ନିଅନ୍ତୁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ବଲାଙ୍ଗୀର ଜିଲ୍ଲା ଏକ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ। କିନ୍ତୁ ଏଠାରେ ଜଳସେଚନ ମାତ୍ର ୩ ପ୍ରତିଶତ ହୋଇଛି। ଲୋୟର୍ ଇନ୍ଦ୍ର ପ୍ରକଳ୍ପ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି। ଏହି ପ୍ରକଳ୍ପ ଦ୍ବାରା ପ୍ରଭାବିତ ଅଞ୍ଚଳର ବିଧାୟକମାନଙ୍କୁ ଡାକି ମନ୍ତ୍ରୀ ବୈଠକ କରି ଏହାକୁ ତୁରନ୍ତ ସାରିବା ପାଇଁ ପଦକ୍ଷେପ ନିଅନ୍ତୁ। ସଂପୃକ୍ତ ଅଞ୍ଚଳର ବିଧାୟକମାନଙ୍କୁ ଡାକି ବୈଠକ କରିବା ପାଇଁ ବାଚସ୍ପତି ଜଳସମ୍ପଦ ମନ୍ତ୍ରୀଙ୍କୁ କହିଥିଲେ। ମନ୍ତ୍ରୀ ମଧ୍ୟ ଏଥିରେ ସମ୍ମତି ଜଣାଇଥିଲେ।

ଶାସକ ଦଳ ସଭ୍ୟ ବିଷ୍ଣୁବ୍ରତ ରାଉତରାୟ କହିଥିଲେ, ଜଳବାୟୁ ପରିବର୍ତ୍ତନ ‌େଯାଗୁ ବର୍ଷା, ଖରା, ଶୀତ ଠିକ୍ ଭାବେ ହେଉ ନାହିଁ। ତେଣୁ ବର୍ଷା କମ୍ ହେଲେ ଆମେ କିପରି ଚାଷ ଠିକ୍ କରିପାରିବା, ସେ ଦିଗରେ ପଦକ୍ଷେପ ନିଆଯାଉ। ତାଙ୍କ ନିର୍ବାଚନମଣ୍ଡଳୀରେ ଆଡ଼ିବନ୍ଧଗୁଡ଼ିକ ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ତାହା କାମରେ ଲାଗୁ ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ବିଜେପିର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର ରାଜ୍ୟର ଜଳନୀତି ନେଇ ପ୍ରଶ୍ନ କରିବା ସହ ବଳକା ଜଳର ପରିଚାଳନା ପାଇଁ ଠୋସ୍ ଯୋଜନା ସମ୍ପର୍କରେ ପଚାରିଥିଲେ। ଲତିକା ପ୍ରଧାନ ଅତିରିକ୍ତ ପ୍ରଶ୍ନ କରିଥିଲେ।

ଆଡ଼ିବନ୍ଧ ରକ୍ଷଣାବେକ୍ଷଣ ହେଉ ନ ଥିବା ଅଭିଯୋଗ ଉପରେ ମନ୍ତ୍ରୀ ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନ ଥିଲେ। ଜଳସମ୍ପଦର ପରିଚାଳନା ତଥା ଜଳ ସଙ୍କଟ ସମୟରେ ମୁକାବିଲା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର