ଯାଜପୁର ଉଠାଜଳସେଚନ ଡିଭିଜନ୍ ଦୁର୍ନୀତି : ସତ ଘୋଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ

କେଉଁଟି ଆଗ: ଜମି ନା କ୍ରସର୍‌?

ଯାଜପୁର/ଚଢେଇଧରା: ଯାଜପୁରରୋଡସ୍ଥିତ ଉଠାଜଳ‌େସଚନ ଡିଭିଜନରେ କୋଟି କୋଟି ଟଙ୍କା କେଳେଙ୍କାରୀ ଧରାପଡ଼ିବା ପରେ ସମ୍ପୃକ୍ତ ଅଧିକାରୀ ବିଭାଗୀୟ ସଚିବଙ୍କୁ ଭୁତାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଚାଷୀମାନଙ୍କ ଠାରୁ ଟଙ୍କା ନେଇ ୨ବର୍ଷ ହେବ ଠକି ଚାଲିଛନ୍ତି। ସେମାନଙ୍କ ଜମିରେ ଆଜି ପର୍ଯ୍ୟନ୍ତ ବୋରିଂ କରିନାହାନ୍ତି। ଏବେ ଚାଷଜମିରେ ନଳକୂପର ବସିଥିଲା, ପରେ ତାହା କ୍ରସର୍‌ରେ ପରିଣତ ହୋଇଛି ବୋଲି ମିଛ ସଫେଇ ଦେଇଛନ୍ତି। ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍‌ରେ ବେଆଇନ୍‌ ଭାବେ କ୍ରସର୍‌ରେ ନଳକୂପ ବସାଯାଇଛି। ଚାଷୀଙ୍କ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ରିହାତିରେ ଯୋଗାଇଥିବା ବୋରିଂ ନଳକୂପକୁ ବସାଯାଇଛି। ଶହ ଶହ କ୍ରସରରେ ଏହିଭଳି ଭାବେ ଚାଷୀମାନଙ୍କ ବୋରିଂ ନଳକୂପ ଉଠାଜଳ‌ସେଚନ ଅଧିକାରୀ ଓ ଠିକାଦାର ବସାଇ ମାଲାମାଲ ହେବା ସହିତ ଚାଷ ଓ ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି।

ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ସମ୍ପୃକ୍ତ ଅଧିକାରୀ ନଳକୂପ ବସାଇବା କଥାକୁ ସ୍ବୀକାର କରିଛନ୍ତି। ତେବେ, ଧରାପଡ଼ିବା ଭୟରେ ମିଛର ଆଶ୍ରୟ ନେବାକୁ ଉଦ୍ୟମ କରିଛନ୍ତି। ବିଭାଗୀୟ ସଚିବଙ୍କୁ କହିଛନ୍ତି ଯେ, ସେମାନେ ଚାଷ ଜମିରେ ବସାଇଥିଲେ। ପରେ ତାହା କ୍ରସର କ୍ୟାମ୍ପସରେ ପରିଣତ ହୋଇଛି। ସୂଚନା ଯୋଗ୍ୟ, ଜିଲ୍ଲାରେ ଉଠା ଜଳସେଚନ ଡିଭିଜନର ଏହି ସାଂଘାତିକ ଚକ୍ରାନ୍ତ ପାଇଁ ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସରକାରଙ୍କର ଜଳସେଚନ ଯୋଜନା ଫେଲ୍‌ ମାରିଛି। ଏହି ଡିଭିଜନ୍ ନିର୍ବାହୀ ଯନ୍ତ୍ରୀଙ୍କ ଦସ୍ତଖତରେ ସରକାରଙ୍କୁ ଅବଗତ କରାଯାଇଛି ଯେ, ୧୨୧୬ଗଭୀର ନଳକୂପ ଓ ୮୩୭ଟି ଅଗଭୀର ନଳକୂପ ଜରିଆ‌େର ଜିଲ୍ଲାରେ ମୋଟ୧୭ହଜାର ୪୦୦ ହେକ୍ଟର ଜମିରେ ଖରିଫ ଫସଲ ଜଳସେଚିତ ହେଉଛି। ଅନ୍ୟପକ୍ଷରେ, ନିର୍ବାହୀ ଯନ୍ତ୍ରୀ ଶିବରାମ ପଣ୍ଡା ‘ସମ୍ବାଦ’ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଖରିଫ ଋତୁ ସମୟରେ ଉଠାଜଳସେଚନ ପ୍ରକଳ୍ପକୁ ଚାଷୀମାନେ କାମରେ ଲଗାନ୍ତି ନାହିଁ। ନିର୍ବାହୀ ଯନ୍ତ୍ରୀଙ୍କ ତଥ୍ୟ ଓ ବକ୍ତବ୍ୟରେ ତାଳମେଳ ନଥିବାବେଳେ ଚାଷୀଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର