ଜୟପୁର: ଉପର କୋଲାବ  ବହୁମୁଖୀ ଜଳସେଚନ ପ୍ରକଳ୍ପ ରାଜ୍ୟର ପ୍ରମୁଖ ଗୋଦାବରୀ ନଦୀର ଶାଖା ନଦୀ କୋଲାବନଦୀରେ କରାଯାଇଛି। ଏହି ପ୍ରକଳ୍ପ କରିବା ପାଇଁ ଓଡିଶା ସରକାର ୧୯୬୧ମସିହାରେ ଯୋଜନା କରିଥିଲେ ହେଁ ଦୀର୍ଘ ୧୫ବର୍ଷ ପରେ ୧୯୭୬ମସିହାରେ କେନ୍ଦ୍ର ଯୋଜନା କମିସନ ଏହାକୁ ଅନୁମୋଦନ କରିଥିଲେ।  ପରେ ଏହା ଆରମ୍ଭ ହୋଇଥିବା ବେଳେ ୧୯୯୩ମସିହାରେ ପ୍ରକଳ୍ପ ସଂପୁର୍ଣ୍ଣ ହେବା ସହ ଶିଳାନ୍ୟାସ  ଦିଆଯାଇଥିଲା। ୪୨ହଜାର ହେକ୍ଟର ଜମିକୁ ଜଳସେଚନ ଓ ୬ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଥିଲା। ପ୍ରକଳ୍ପକୁ ୮୩୨.୨ ନିୟୁତ ୟୁନିଟ୍ ଉତ୍ପାଦନ ସହିତ ୯୫ ମେଗାବାଟ୍ ଦୃଢ଼ ଶକ୍ତି ଉତ୍ପାଦନ କରିବାର କ୍ଷମତା ମିଳିଛି।

Advertisment

ଗତ ୩୧ବର୍ଷ ହେବ କୋଲାବ ବହୁମୁଖୀ ଜଳସଚେନ ପ୍ରକଳ୍ପ ଡ୍ୟାମ ହେବା ପର ଡ୍ୟାମ ଠାରୁ ତଳମୁଣ୍ଡର ଚାଷୀ ପାଣି ପାଇନାହାନ୍ତି। ଜଳଭଣ୍ଡାରରେ ୬୩୦.ବର୍ଗ ମିଟରର ଜଳଗଛିତ ହୋଇ ରହିଥିଲେ ହେଁ ଡ୍ୟାମ ତଳମୁଣ୍ଡର ଚାଷୀ ମାନେ ପାଣି ନଥିବାରୁ ଚାଷ କରି ପାରୁନାହାନ୍ତି। ଚାଷୀଙ୍କ ଆନ୍ଦୋଳନ ପରେ ଡ୍ୟାମ ତଳମୁଣ୍ଡର ଚାଷୀଙ୍କୁ ବର୍ଷ ତମାମ ୭କ୍ୟୁସେକ୍ ଜଳ ଛାଡ଼ିବାକୁ ହାର୍ଜା କମିଶନ ଓ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶନାମା ଏଯାଏଁ କାର୍ଯ୍ୟକାରୀ ହୋଇନି। ତଳମୁଣ୍ଡର ଚାଷୀ  ପାଣି ନ ପାଇ ଗତ ୩୧ବର୍ଷ ହେବ ଶୁଖା ହୋଇ ରହିଛି।

ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ହେବା ପୂର୍ବରୁ କୋଲାବ ନଦୀ ଜୟପୁର ବ୍ଲକର ପାତ୍ରପୁଟ ପାର୍ଶ୍ବ ଦେଇ ଦୁର୍ଗାଭଟ୍ଟା, ଆମ‌କୋଟଗୁଡା, ମୁଖିଖୁଡିପି, ଚେରକାପୁଟ, ପୁଜାରୀପୁଟ, ପାଲିଗୁଡା, ବାଲିଆ, ଦିଗାପୁର, ପ୍ରଧାନୀପୁଟ, ଘସରଡା, ନୂଆପୁଟ ଆଦି ଅଂଚଳ ଦେଇ ପ୍ରବାହିତ ହୋଇ ଗୁପ୍ତେଶ୍ବର ଦେଇ ଗୋଦାବରୀ ଯାଉଥିଲା। ତେବେ କୋଲାବ ପ୍ରକଳ୍ପ ଆରମ୍ଭ ହେବା ପରେ ଉପରମୁଣ୍ଡରେ ଜଳଭଣ୍ଡାର କରି ଡ୍ୟାମ ନିର୍ମାଣ କରିବା ପରେ ନଦୀରେ ଆଉ ପାଣି ଆସୁନି। ଧିରେ ଧିରେ ଏସବୁ ଗାଁ ପାର୍ଶ୍ବ ଦେଇ ଯାଇଥିବା କୋଲାବନଦୀର ଶଯ୍ୟା ଏବେ ପୋତି ହୋଇଗଲାଣି। ଥିବା ବାଲିକୁ ବାଲି ମାପିଆ ମାନେ ବୋହି ନେଇଗଲେଣି। କେବଳ ବର୍ଷା ମାସରେ ହିଁ ଏହି ନଦୀରେ ପାଣି ରହୁଥିବା ବେଳେ ବଳକା ଦିନରେ ନଦୀରେ ପାଣି ନ ରହି ସୁଖା ରହୁଛି ବୋଲି କହିଛନ୍ତି ଚାଷୀ ମନୋଜ ପାତ୍ର, ବୁଢ଼ୁ ମହାପାତ୍ର, ଗଙ୍ଗାଧର ପାଣିଗ୍ରାହୀ, ଜଗନ୍ନାଥ ଦଣ୍ଡସେନା, ହରିବନ୍ଧୁ ପରଜା, କୁନୁ ନାୟକ କହିଛନ୍ତି।

ସେଭଳି ସହର ପାର୍ଶ୍ବ ଦେଇ ଯାଉଥିବା  ନଦୀର ଶାଖା ନାଳ ଭାବେ ସତୀ ନାଳ ରହିଥିଲା। ବର୍ଷ ତମାମ ପାଣି ଏଥିରେ ରହୁଥିଲା। ତଳମୁଣ୍ଡରେ ପାଣି ନଛାଡ଼ିବାରୁ ସତୀଡ୍ୟାମ ନିକଟରୁ ବାମୁଣିଗାଁ, କସମପୁଟ , ସାନଓଝେଇ , ବଡ଼ ଓଝେଇ, ପାଂଜିଆଗୁଡା, କୁନ୍ତରଖାଲ, ବିଷୋଇପୁଟ, ବାଲିଆ, ପଲକାପୁଟ, ବାମୁଣିପୁଟ ପର୍ଯ୍ୟନ୍ତ ନାଳ  ସୁଖା ହୋଇ ରହୁଛି। ଜୟପୁର ସହରର ମଇଳା ପାଣିର ଡ୍ରେନକୁ ଏଥିରେ ସଂଯୋଗ କରିଥିବାରୁ ଏହି ନାଳ ପାଣି ହିଁ ପ୍ରବାହିତ ହେବା ସହ ପୂତ୍ତିଗନ୍ଦମୟ ପରିବେଶ ସୃଷ୍ଟି ହେଉଛି। ଅପରପକ୍ଷରେ ଜଳଭଣ୍ଡାରରେ ଯଦି ଜଳଧାରଣା କ୍ଷମତା ଅଧିକା ହେଲେ କିମ୍ବା ସ୍ପିଲ ୱେରେ ପାଣି ଛଡ଼ା ଯାଉଛି। ଏହି ସମୟରେ ଅଧିକା ପାଣି ଆସି ଆସି ନାଳର କୂଳ ଖାଇ ଏବ‌େ ନଦୀରେ ପରିଣତ ହୋଇଛି। ନାଳ ପାର୍ଶ୍ବରେ ଥିବା ବହୁ ଚାଷୀଙ୍କ ଜମି ଏହି ସ୍ଥିତିରେ ସତୀନାଳ ଗର୍ଭରେ ଲୀନ ହେବାକୁ ବସିଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଉପ‌ରୋକ୍ତ ଗାଁର ଚାଷୀ ମାନେ ଦୁଇ ଋତୁ ରବି ଓ ଖରିଫରେ ଚାଷ କରୁଥିଲେ। ବର୍ଷ ତମାମ ଉପରୋକ୍ତ ଗ‌ାଁ ଗୁଡିକରେ ପନିପରିବା ଠାରୁ ଆରମ୍ଭ କରି  ଆଖୁ ଆଦି ଲାଭକାରୀ ଫସଲ ଉତ୍ପାଦିତ ହେଉଥିଲା। ‌ତେବେ କୋଲାବ ନଦୀରେ ନଦୀବନ୍ଧ ହେବା ପରେ ଉପରୋକ୍ତ ଗାଁର ଚାଷୀଙ୍କ ଚାଷ ଉଜାଡିବା ସହ  ଥିବା ଜମିବି ଗଲାଣି।