ଜଳଭଣ୍ଡାରରେ ଆରମ୍ଭ ହେବ ଜଳକ୍ରୀଡ଼ା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜଳ ଭଣ୍ଡାର ଓ ଡ୍ୟାମରେ ଜଳ କ୍ରୀଡ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଜଳ କ୍ରୀଡ଼ାର ପ୍ରଚାର ପ୍ରସାର ସହ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହି ଭଳି ବ୍ଲୁ ପ୍ରିଣ୍ଟ ଏବେ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ କରୁଛି।

ବିିଭିନ୍ନ ରାଜ୍ୟରେ ଥିବା ଡ୍ୟାମ୍‌ ଓ ହ୍ରଦ ଆଦିରେ ହେଉଥିବା ଜଳ କ୍ରୀଡ଼ାରେ ବହୁତ ପର୍ଯ୍ୟଟକ ସାମିଲ୍‌ ହେଉଥିବାରୁ ଏହିଭଳି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଜଳ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ବିଭିନ୍ନ ଛୋଟ, ମଧ୍ୟମ ଓ ବଡ଼ ଜଳ ଭଣ୍ଡାରରେ ଏହି ଜଳ କ୍ରୀଡ଼ା ଆରମ୍ଭ ହେବ। ଏହା ପିପିପି ମୋଡ଼ରେ ହେବ କି ରାଜ୍ୟ ସରକାରଙ୍କ ପକ୍ଷରୁ ହେବ ତାହା ଖୁବ୍‌ ଶୀଘ୍ର ସ୍ଥିର ହେବ। ଯେଉଁଠି ଜଳ କ୍ରୀଡ଼ା ହେବ ସେଠାରେ ଟିକେଟ କାଉଣ୍ଟର, ପ୍ରତୀକ୍ଷା ଗୃହ, ପୋଷାକ ବଦଳାଇବା ଗୃହ, ରେଷ୍ଟୁରାଣ୍ଟ, ଶୌଚାଳୟ, ପାର୍କିଂ ସ୍ଥାନ ରହିବ। ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ଭାବେ ମନୋରଞ୍ଜନ କରିବେ ସେଥିପାଇଁ ଲାଇଫ୍‌ ଗାର୍ଡ ବ୍ୟବସ୍ଥା ବି ରହିବ। ଲୋକଙ୍କ ମନୋରଞ୍ଜନ ପାଇଁ ଉକ୍ତ ସ୍ଥାନରେ ପାର୍କ, ବିଭିନ୍ନ କ୍ରୀଡ଼ା, ପିଲାଙ୍କ ପାଇଁ କ୍ରୀଡ଼ା ସମାଗ୍ରୀ ଯୋଗାଇ ଦିଆଯିବ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଜଳ ଭଣ୍ଡାରର ମୁଖ୍ୟ ରାସ୍ତା ଏବଂ ଚେକ୍‌ ଡ୍ୟାମ୍‌ ଅଞ୍ଚଳକୁ ଯେପରି ଲୋକ ବ୍ୟବହାର ନ କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଜଳ ଭଣ୍ଡାରର କେଉଁ ଅଞ୍ଚଳରେ ଜଳ କ୍ରୀଡ଼ା କରିହେବ, ଏଥିପାଇଁ ଉକ୍ତ ଅଞ୍ଚଳରେ କେତେ ପାଣି ରହିବା ଦରକାର, କେଉଁ ଡ୍ୟାମ୍‌ରେ କେଉଁଭଳି କ୍ରୀଡ଼ା କରିହେବ ତାହାର ସବିଶେଷ ରିପୋର୍ଟ ଉକ୍ତ ଡ୍ୟାମ ବା ଜଳ ଭଣ୍ଡାର ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀମାନେ ଦେବେ। ଡ୍ୟାମ୍‌ ଓ ସ୍ପିଲେଓ୍ଵ ଠାରୁ ସର୍ବନିମ୍ନ ୧୦୦ମିଟର ଦୂରତାରେ ଜଳ କ୍ରୀଡ଼ା ପାଇଁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର