୧୧୪ ପୌରାଞ୍ଚଳରେ ମିସନ ଶକ୍ତି ସହାୟତାରେ ଜଳ ଅମଳ ପ୍ରକଳ୍ପ

ଭୁବନେଶ୍ବର : ରାଜ୍ୟର ୧୧୪ଟି ପୌରାଞ୍ଚଳରେ ମିସନ ଶକ୍ତି ଜରିଆରେ ଜଳ ଅମଳ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଗୃହ ଓ ନଗର ଉନ୍ନୟନ ବିଭାଗର ଅର୍ବାନ୍‌ ଓ୍ବେଜ୍‌ ଏମ୍ପ୍ଲୟେମେଣ୍ଟ୍‌ ଇନିସିଓଟିଭ୍‌ (ୟୁଡବ୍ଲୁଇଆଇ) ଯୋଜନା ଅଧୀନରେ ଏସବୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସହରାଞ୍ଚଳରେ ଥିବା ପାର୍କ, ଖେଳପଡ଼ିଆ ଆଦି ଖୋଲାସ୍ଥାନଗୁଡ଼ିକୁ ବ୍ୟବହାର କରାଯିବ। ଏ ନେଇ ସେସବୁ ସ୍ଥାନ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ଙ୍କ ନେତୃତ୍ବରେ ଏକ ରାଜ୍ୟ ସ୍ତରୀୟ ଟାସ୍କ୍‌ ଫୋର୍ସ କମିଟି ଗଠନ କରାଯାଇଛି। ସେହିପରି ମହାନଗର ନିଗମ କମିସନର ଓ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳ ସ୍ତରୀୟ କୋର ଗ୍ରୁପ୍‌ ଗଠନ କରାଯାଇଛି।

ନିଷ୍ପତ୍ତି ଅନୁଯାୟୀ ଆସନ୍ତୀ ଋତୁ ଆରମ୍ଭ ପୂର୍ବରୁ ୨ ମାସ ମଧ୍ୟରେ ୫ ହଜାର ବର୍ଷା ଜଳ ଅମଳ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏଥିପାଇଁ ଚଳିତମାସ ୨୩ ତାରିଖରେ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳ, ବିକାଶ ପ୍ରାଧିକରଣ ଏବଂ ଯୋଜନା ପ୍ରାଧିକରଣ ଇଞ୍ଜିନିୟରମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯାଇଛି। ମିସନ ଶକ୍ତି ଗୋଷ୍ଠୀଗୁଡ଼ିକୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ସେମାନେ ଯେଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ ସେଥିପାଇଁ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ୟୁଡବ୍ଲୁଇଆଇକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ମାନବ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି। ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ୍‌ କହିଥିଲେ, ଜଳ ପରିଚାଳନାକୁ ବିଭାଗ ଅଧିକ ଗୁରୁତ୍ବ ଦେଉଛି। ଏହି ଯୋଜନା ବିଭିନ୍ନ ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌ ଦ୍ବାରା କାର୍ଯ୍ୟକାରୀ ହେବ। ଭୂତଳ ଜଳ ରିଚାର୍ଜ୍‌କୁ ସୁନିଶ୍ଚିତ କରିବା ସହିତ ଅଯଥା ଜଳ ପ୍ରବାହକୁ କିପରି ହ୍ରାସ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ। ଫଳରେ ପୌରାଞ୍ଚଳରେ ହାଇଡ୍ରୋଲୋଜିକାଲ୍‌ ସନ୍ତୁଳନକୁ ସ୍ଥିର ରଖିବାରେ ସାହାଯ୍ୟ କରିବ ଓ ଜଳବାୟୁ ସ୍ଥିରତା ସୁନିଶ୍ଚିତ ହେବ।

ପ୍ରଥମ କରି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ସମୟରେ ସ୍ବଚ୍ଛତା ଏବଂ ବିଭିନ୍ନ ଗୋଷ୍ଠୀର ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସର୍ବନିମ୍ନ ୫ ହଜାର ଆରଡବ୍ଲ୍ୟୁଏଚ୍‌ଏସ୍‌ ଲକ୍ଷ୍ୟ ହାସଲ କରିବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଛୋଟ ସହରଗୁଡ଼ିକରେ ପ୍ରତ୍ୟେକ ଓ୍ବାର୍ଡ଼ରେ ୫ରୁ ୧୦ ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌ ଓ ମହାନଗରଗୁଡ଼ିକର ପ୍ରତ୍ୟେକ ଓ୍ବାର୍ଡ଼ରେ ୨୦ରୁ ୨୫ ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌ ରହିବ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପୌରସଂସ୍ଥା ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପ୍ରକାଶଥାଉକି, ଗତବର୍ଷ ଏପ୍ରିଲ ୨୦ ତାରିଖରେ ୟୁଡବ୍ଲ୍ୟୁଇଆଇ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଫଳରେ ସହରାଞ୍ଚଳରେ ଗରିବ, ପ୍ରବାସୀ ଶ୍ରମିକ ବହୁ ପରିମାଣରେ ଉପକୃତ ହୋଇପାରିଛନ୍ତି। ଏହି ଯୋଜନା ୧୧୪ଟି ସହରାଞ୍ଚଳରେ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଗରିବ ଓ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇ ଦେଉଛି।

ସମ୍ବନ୍ଧିତ ଖବର