ହଜାର ହଜାର ହେକ୍ଟର ଜମି ଜଳମଗ୍ନ

ଯାଜପୁରରେ ଜଳ ନିଷ୍କାସନ ଯୋଜନା ଫେଲ୍‌

ଯାଜପୁରରୋଡ଼/ଦଶରଥପୁର: ଯାଜପୁର ଜିଲ୍ଲାରେ ଜଳ ନିଷ୍କାସନ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍‌ ମାରିଛି। ଠିକ୍‌ ଭାବରେ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇପାରୁନାହିଁ। ଜଳ ନିଷ୍କାସନ ହେଉନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି। ଯାହାର ନମୁନା ଦଶରଥପୁର, ବିଂଝାରପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ଯାଜପୁର ଆଦି ବ୍ଲକରେ ଦେଖିବାକୁ ମିଳିଛି। ଅନ୍ୟପଟେ ୫ ଶହ କୋଟି ଟଙ୍କାର ଡ୍ରେନେଜ୍‌ କେଳେଙ୍କାରୀର ତଦନ୍ତ ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି। ସୂଚନା ଯୋଗ୍ୟ ଚଳିତ ବର୍ଷ ଦଶରଥପୁର ବ୍ଲକର ମୋଟ ୧୫ ହଜାର ୫୩୫ ହେକ୍ଟର ଚାଷ ଜମିରୁ ବେସରକାରୀ ଭାବେ ୫ଶହରୁ ଅଧିକ ହେକ୍ଟର ଜମିରେ ବର୍ଷା ପାଣି ଜମି ରହିଛି। ତରପଦା, କଷପା, ମଲ୍ଲିକାପୁର, ଦୁଦୁରାଅନ୍ତା, ଦତ୍ତପୁର, ନିଜାମପୁର, କୟାଁ, କମାରଡିହି, ଖାନନଗର, ପାଲଟପୁର, ବିରିପଟା, ଜାଫରପୁର, ଚଷାଖଣ୍ଡ, ଅସନପୁର, ଗୋପାଳପୁର, ଦଶରଥପୁର ଭଳି ୧୫ରୁ ଅଧିକ ପଂଚାୟତର ଚାଷ ଜମିରେ ୪/୫ ଫୁଟର ଉଚ୍ଚତାରେ ପାଣି ଜମି ରହିଛି। ଧାନ ତଳି ଏବଂ ବୁଣା ଧାନ ଗଛ ବୁଡି ଯାଇଛି। ଏହି ପଞ୍ଚାୟତର ଚାଷୀମାନଙ୍କ ପାଇଁ ସରକାରଙ୍କ ଡ୍ରେନେଜ୍‌ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରିଥିଲେ। କାଣୀ ନଦୀ ଏବଂ ଏହାର ପାଟ ନାଳୀ ଖନନ, ସଫେଇ ପାଇଁ ଡ୍ରେନେଜ୍‌ ବିଭାଗ ପକ୍ଷରୁ ୪ କୋଟି ୭୭ ଲକ୍ଷ ୧୩ ହଜାର ୩୦୫ଟଙ୍କାର କାଯ୍ୟର୍ କରାଯାଉଛି। ଏହି କାଣୀ ନାଳକୁ ୧୯ଟି ପେଟିନାଳ ମୁଖ୍ୟ ନାଳ ସହ ସଂଯୋଗ, ୮ଟି ପାଦଚଲା ପୋଲ, ଗାର୍ଡ ୱାଲ୍‌, ପଥର ପ୍ୟାକିଙ୍ଗ୍‌ ଭଳି କାଯ୍ୟର୍ ଏଷ୍ଟିମେଟ ରହିଛି। ନାଳ ଖନନ ନାମରେ କେବଳ ଘାସ ସଫେଇ କରାଯିବା ଦ୍ୱାରା ଏବେ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଏହି କାରଣରୁ ବ୍ରହ୍ମଚାରୀପାଟଣା ଠାରୁ ପାଣି କଷପା, ମଲ୍ଲିକାପୁର, ଦୁଦୁରାଅନ୍ତା, ଦତ୍ତପୁର, ନିଜାମପୁର, କୟାଁ, କମାରଡିହି ଆଦି ପଂଚାୟତ ଦେଇ ପ୍ରବାହିତ ହେଉଛି। ପାଲଟପୁର, ବିରିପଟା, ଜାଫରପୁର, ଚଷାଖଣ୍ଡର ଚାଷୀମାନେ ଉପକୃତ ହେଉଥିବା କେନ୍ଦୁଆ ନାଳରେ ୪ କୋଟି ୪୦ ଲକ୍ଷ ଟଙ୍କା ୨ ବର୍ଷ ତଳେ ଖର୍ଚ୍ଚ ହୋଇଥିଲା। ଏଠାରେ ମଧ୍ୟ ଜଳ ନିଷ୍କାସନ ନହେବାରୁ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପ୍ରତିବର୍ଷ ବନ୍ୟା ଏବଂ ଅଦିନିଆ ବର୍ଷା ଜଳରେ ଏହି ସବୁ ପଞ୍ଚାୟତର ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି। ବିଂଝାରପୁର ଅଞ୍ଚଳରେ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ନାଳକୁ ପ୍ରତି ବର୍ଷ ଖୋଳାଯାଇଥିବା ଦର୍ଶାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ମାଁସଡା ଦେଇ ପ୍ରବାହିତ ଖରିଆ ନାଳ ୫ ବର୍ଷ ମଧ୍ୟରେ ୩ ଥର, ବରପଦା କପିଳା ଦେଇ ପ୍ରବାହିତ ହୋଇଥିବା ତେଣ୍ଟାନାଳ ୫ ବର୍ଷରେ ୩ ଥର, ପ୍ରୀତିପୁର ଦେଇ ପ୍ରବାହିତ ଯୁଣେଇ ନଦୀ ୨ ଥର ଓ ଅଳକୁଣ୍ଡ ଦେଇ ପ୍ରବାହିତ ହୋଇଥିବା ଭାରତୀ ନଦୀ ୨ଥର ଖୋଳାଯାଇଛି। ଏହି ନାଳ ଖୋଳାରେ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାର କୋଟି କୋଟି ଲୁଟିଥିବା ଅଭିଯୋଗ ହୋଇଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଏହି ନାଳ ବା ନଦୀ ଗୁଡିକୁ ପ୍ରତିବର୍ଷ କେବଳ ଘାସ ସଫେଇ କରାଯାଉଥିବା ବେଳେ ଖୋଳାଯାଇଥିବା ଦର୍ଶାଇ ହରିଲୁଟ୍‌ ଚାଲିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଝିଙ୍କିରୀ ଠାରୁ ଅଳକୁଣ୍ଡ ଓ ଅଳକୁଣ୍ଡ ଠାରୁ ରାହାସ ପର୍ଯ୍ୟନ୍ତ ଭାରତୀ ନଦୀ ଖୋଳିବା ନାମରେ କେବଳ ୪ ଫୁଟ ଓସାରଏବଂ ୨ ଫୁଟ ଗଭୀର ନାଳ କରାଯାଇଛି। ତେବେ ଏଠାରେ ୧୦ ମିଟର ଓସାର ଓ ୩ ମିଟର ଗଭୀର ନଦୀ ଖୋଳାଯାଇଥିବା କାଗଜରେ ଦର୍ଶାଯାଇଛି। ନାଳ ଖନନ ହୋଇ ନଥିବାରୁ ଏହି ଲଘୁଚାପ ଜନିତ ବର୍ଷା ଫଳରେ ବିଂଝାରପୁର ଅଞ୍ଚଳର ଶହ ଶହ ଏକର ଜମିରେ ୪ରୁ ୫ଫୁଟ ବର୍ଷା ଜଳ ଜମି ରହିଛି। ଏହି ଭଳି ଅବସ୍ଥା ଯାଜପୁର ଜିଲ୍ଲା ସମେତ ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ଦେଖା ଦେଇଛି। ଡ୍ରେନେଜ ଡିଭିଜନର କେଳେଙ୍କାରୀ ଚାଷୀଙ୍କ ପାଇଁ ଘାତକ ସାଜିଛି।

ସମ୍ବନ୍ଧିତ ଖବର