ପୁରୀ: ସାପକାମୁଡ଼ାଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ସାପଙ୍କ ପ୍ରଜନନ ଋତୁ ଚାଲିଥିବା ବେଳେ ସାପ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଗଲାଣି। ଏଣେ ବର୍ଷା ଯୋଗୁ ବିଲ ଗହୀରରେ ପାଣି ପଶିଯିବା ପରେ ସାପ ଘର ଓ ବାରି ମୁହାଁ ହେଉଛନ୍ତି। ନିକଟରେ ମାଳତୀପାଟପୁରରେ ଜଣେ ମହିଳାଙ୍କ ସାପ କାମୁଡ଼ିବାରେ ମୃତ୍ୟୁ ଘଟିଥିଲା। ଛଇତନା ରାସ୍ତା କୁଆପଡ଼ାରେ ମଧ୍ୟ ଜଣେ ବ୍ୟକ୍ତି ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ସାପ କାମୁଡ଼ିଥିବା ଅଧିକାଂଶ ବ୍ୟକ୍ତିଙ୍କୁ ପରିବାର ଲୋକେ ପ୍ରଥମେ ଝଡ଼ାଫୁଙ୍କା କରିଥାନ୍ତି। ବାସ୍ତବରେ ୯୦ ପ୍ରତିଶତ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯେଉଁ ସାପ କାମୁଡ଼ିଥାଏ ତାହା ବିଷାକ୍ତ ହୋଇନଥିବାରୁ ସେମାନେ ଗୁଣିଆ ପାଖକୁ ଯାଇ ଭଲ ହୋଇଯାଇଥାନ୍ତିନ୍ତି। ସେମାନେ ସେଠାକୁ ନଯାଇଥିଲେ ମଧ୍ୟ ଭଲ ହୋଇପାରନ୍ତେ। କିନ୍ତୁ ଯେଉଁ ୧୦ ପ୍ରତିଶତ ବିଷାକ୍ତ ସାପ କାମୁଡ଼ିଥିବା କାରଣରୁ ଗୁଣିଆ ପାଖକୁ ଯାଇ ପରବର୍ତ୍ତୀ ସମୟରେ ମେଡିକାଲ୍କୁ ଆସନ୍ତି, ସେତେବେଳକୁ ବହୁତ ଡେରି ହୋଇଯାଇଥିବାରୁ ଲୋକେ ମୃତ୍ୟୁମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି।
ଗୋଲ୍ଡେନ ଆୱାର ଗୁରୁତ୍ବପୂର୍ଣ୍ଣ
ଅକ୍ଟୋବର ପର୍ଯ୍ୟନ୍ତ ସାପକୁ ସାବଧାନ
୨୦୧୫-୧୬ରୁ ୨୦୨୦ ଏପ୍ରିଲ୍ ମଧ୍ୟରେ ପୁରୀ ଜିଲ୍ଲାରେ ୧୧୦ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆଣ୍ଟିଭେନମ ପ୍ରୟୋଗ ଓ ତୁରନ୍ତ ଚିକିତ୍ସା ଯୋଗୁ ସୁସ୍ଥ ହୋଇଛନ୍ତି। ଏକ ସର୍ବେକ୍ଷଣ ମୁତାବକ, ସାପ କାମୁଡ଼ାରେ ବର୍ଷକୁ ଯେତିକି ମୃତ୍ୟୁ ହୁଏ ସେଥିମଧ୍ୟରୁ ମେ’ରୁ ଅକ୍ଟୋବର ମାସ ମଧ୍ୟରେ ପ୍ରାୟ ୮୫ ପ୍ରତିଶତଙ୍କର ମୃତ୍ୟୁ ଘଟିଥାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଣ୍ଡା ଫୁଟୁଥିବାରୁ ଏବେ ଛୋଟ ସାପଗୁଡ଼ିକର ସଂଖ୍ୟା ବହୁ ମାତ୍ରାରେ ବଢ଼ିଗଲାଣି। ଘର ପାଖରେ ଛୋଟ ନାଗ ବା ଅନ୍ୟ ବିଷଧର ସାପମାନଙ୍କ ଛୁଆ ବୁଲିବା ଦେଖିବାକୁ ମିଳୁଛି। ଗୋଲ୍ଡେନ ଆୱାର ସମ୍ପର୍କରେ ସଚେତନ କରାଯିବା ସତ୍ତ୍ବେ ଲୋକେ ଆଜି ବି ଅନ୍ଧବିଶ୍ବାସକୁ ପ୍ରାଥମିକତା ଦେଉଛନ୍ତି। ବାସ୍ତବରେ ରୋଗୀଟିଏ ମେଡିକାଲ୍ରେ ପହଞ୍ଚିବା ପରେ ଡାକ୍ତର ପରାମର୍ଶ ଓ କାଗଜପତ୍ର କାମ ସରିବା ପରେ ଡବ୍ଲୁବିସିଟି (ହୋଲ୍ ବ୍ଲଡ୍ କ୍ଲଟିଂ ଟେଷ୍ଟ) କରାଯାଏ। ଏହାକୁ ପରୀକ୍ଷା କରି ରୋଗୀ ଦେହରେ ବିଷର ସ୍ଥିତି ଜାଣିବାକୁ ୨୦ ମିନିଟ୍ ଲାଗିଥାଏ। ତେଣୁ ସାପ କାମୁଡ଼ିବା ମାତ୍ରେ ରୋଗୀଟିଏ ମେଡିକାଲ୍ରେ ପହଞ୍ଚିବାକୁ ସର୍ବାଧିକ ପ୍ରାଥମିକତା ଦେବା ଆବଶ୍ୟକ। ଏବେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ୬୭୪ଟି ଆଣ୍ଟିଭେନମ ମହଜୁଦ ରହିଥିବା ବେଳେ ଏହା ସାପକାମୁଡ଼ାଜନିତ ରୋଗୀଙ୍କ ଚାହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଣବ ଶଙ୍କର ଦାଶ କହିଛନ୍ତି। ତେଣୁ ସାପକାମୁଡ଼ା ରୋଗୀଙ୍କୁ ତୁରନ୍ତ ମେଡିକାଲ୍ ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ମୁତାବକ, ଏହି ସମୟରେ ନାଗ, ଚନ୍ଦନବୋଡ଼ା, ତମ୍ପ, ଚିତି ଘରେ ପଶିଯାଆନ୍ତି। ନାଗ ଓ ତମ୍ପ କାମୁଡ଼ିଲେ ମୃତ୍ୟୁ ଶୀଘ୍ର ହେବାର ଆଶଙ୍କା ରହିଥାଏ। ଅଣ୍ଡାରୁ ଫୁଟିବା ବେଳକୁ ନାଗ ସାପ ଛୁଆଙ୍କର ବିଷ ଦାନ୍ତ ଓ ବିଷ ଗ୍ରନ୍ଥି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯାଏ। ତେବେ ବଡ଼ ସାପ ତା’ର କ୍ରୋଧର ପରିମାଣ ମୁତାବକ ଅବା ଶିକାର ଉଦ୍ଦେଶ୍ୟରେ କାମୁଡ଼ିବା ବେଳେ କମ୍ ବା ଅଧିକ ବିଷ ପ୍ରୟୋଗ କରିଥାଏ। କିନ୍ତୁ ଛୋଟ ସାପ ଭେନମ ମିଟରିଂ ଜାଣିନଥିବାରୁ ସେମାନେ ଅଧିକ ବିଷ ଛାଡ଼ିଦିଅନ୍ତି। ଏହା ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ। ଅନେକ ସମୟରେ ବିଷଧର ସାପଟିଏ କାମୁଡ଼ିବା ପରେ ଶରୀରରୁ ରକ୍ତ କ୍ଷରଣ ହେଉଥିଲେ ମଧ୍ୟ ମଣିଷ ଶରୀରକୁ ଆଦୌ ବିଷ ଯାଇନଥାଏ। ଏହାକୁ ଡ୍ରାଏ ବାଇଟ୍ କୁହାଯାଏ। ଏହି ଭେନମ ମିଟରିଂ କାରଣରୁ ପ୍ରାୟ ୫୦ ପ୍ରତିଶତ ଡ୍ରାଏ ବାଇଟ୍ ହୋଇଥାଏ ବୋଲି ସେ କହିଛନ୍ତି।