ବ୍ଲକ କାର୍ଯ୍ୟାଳୟ ଆଗରେ ଆଣ୍ଠୁଏ ପାଣି

କୋରେଇ: ଗତ ତିନିଦିନ ଧରି ଲାଗି ରହିଥିବା ପଶ୍ଚିମା ଝଡ଼ ବର୍ଷାରେ କୋରେଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ବିଶେଷ କରି ପ୍ରବଳ ବର୍ଷା ଓ ପବନରେ ଡାଳୁଅ ଧାନ ଏବଂ ପରିବା ଚାଷ ପ୍ରଭାବିତ ହୋଇଛି। ଆଜି କୋରେଇ ବ୍ଲକ୍‌ରେ ୫୯ ମି.ମି. ବର୍ଷା ହୋଇଥିବା ସରକାରୀ ସ୍ତରରେ ରେକର୍ଡ ହୋଇଛି। ବ୍ଲକ୍ କାର୍ଯ୍ୟାଳୟ ଭିତରେ ଏବଂ ବାହାରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିବା ବହୁଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାରୁ ବ୍ଲକ୍‌ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯାତାୟାତ ସ୍ବାଭାବିକ ହୋଇଥିଲା। ଝଡ଼ ବର୍ଷାରେ ହଳଦିଗଡ଼ିଆ, ତାରାକୋଟ, ପଥରପଦା ଆଦି ପଞ୍ଚାୟତର କେତେକ ଗ୍ରାମରେ ଡାଳୁଅ ଧାନ ପ୍ରଭାବିତ ହୋଇଛି।

ଧାନ କିଆରିରେ ଆଣ୍ଠୁଏ ଲେଖାଏଁ ପାଣି ଜମିବା ସହ ପବନରେ ଧାନଗଛ କ୍ଷତିଗ୍ରସ୍ତ ହୋଇଛି। ବଡ଼ବିରୁଆଁ, ଗୋଳେଇପୁର, ମକୁନ୍ଦପୁର, ରଣପୁର ଆଦି ପଞ୍ଚାୟତରେ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ଝଡ଼ବାତ୍ୟା ପ୍ରଭାବିତ ବ୍ଲକ୍‌ର ତାରାକୋଟ, ଧନେଶ୍ବର, ବରୁଣ୍ତାଇ, ମକୁନ୍ଦପୁର, ରଣପୁର, ଅସନଝର, ସାଦକପୁର, ଜହ୍ନା, ପାଣିକୋଇଲି ଆଦି ପଞ୍ଚାୟତରେ ୨୪ ଘଣ୍ଟା ପରେ ବି ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇନାହିଁ। ପବନରେ ୧୪୦ ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଥିବା ବେଳେ ତାର, ଶଙ୍ଖ ଆଦି ନଷ୍ଟ ହୋଇଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି। ମରାମତି କାର୍ଯ୍ୟରେ ୧୩୦ ଜଣ ଅଧିକାରୀ ଓ କର୍ମଚାରୀ ଲାଗିଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ପାର୍ଥସାରଥି ଦାସ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଘର ଓ ଚାଷ କ୍ଷୟକ୍ଷତିର ଆକଳନ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ସମସ୍ତ ଆରଆଇଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର