ପେଟ୍ରୋଲରେ ପାଣି, ତଦନ୍ତ କଲା ଯୋଗାଣ ବିଭାଗ

ବରୀ : ବରୀ ବଜାର ନିକଟରେ ଥିବା କେ.ଏସ.କେ ପେଟ୍ରୋଲ ପମ୍ପରୁ ଗତକାଲି ପାଣି ମିଶା ପେଟ୍ରୋଲ ବିକ୍ରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଏ ଘଟଣାରେ ଜିଲ୍ଲା ଯୋଗାଣ ବିଭାଗ ତଦନ୍ତ କରିଛି। ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସଲ୍ଲାଉଦ୍ଦିନ୍ ଓ ବରୀ ବ୍ଲକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ସେଠୀ ମିଳିତ ଭାବେ ପେଟ୍ରୋଲ ପମ୍ପରେ ପହଞ୍ଚି ଅଭିଯୋଗର ତଦନ୍ତ କରିଛନ୍ତି। ପାଣି ବାହାରୁଥିବା ପମ୍ପଟି ବନ୍ଦ ରଖାଯାଇଥିବାବେଳେ ପୂର୍ବଦିନ ଆସିଥିବା ପେଟ୍ରୋଲ ମାନକୁ ନେଇ ତଦନ୍ତ କରିଛନ୍ତି। ପେଟ୍ରୋଲର ଘନତ୍ବ ଯଦିଓ ଠିକ୍ ଥିବା କୁହାଯାଇଛି, ମାତ୍ର ପାଣି ମିଶା ପେଟ୍ରୋଲ ବାହାରିଥିବା ଘଟଣାକୁ ଉଭୟ ଅଧିକାରୀ ସ୍ବୀକାର କରିଛନ୍ତି।

ଗତ କିଛି ମାସ ହେଲା ଆଇଓସିଏଲ ପକ୍ଷରୁ ଯୋଗାଇ ଦିଆଯାଉଥିବା ଇଥାନଲ ପେଟ୍ରୋଲକୁ ନେଇ ପମ୍ପ ମାଲିକଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି। ସାଧାରଣତଃ ପୂର୍ବରୁ ମିଳୁଥିବା ପେଟ୍ରୋଲଠାରୁ ଏବେ ଆସୁଥିବା ପେଟ୍ରୋଲର ମାନ କମ ରହିଥିବା ଦୁଇ ଅଧିକାରୀ ସ୍ବୀକାର କରିଛନ୍ତି। ଏ ସଂପର୍କରେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇଓସିଏଲ୍‌ ନିକଟକୁ ପତ୍ର ଲେଖାଯିବ। ସେଠାରୁ ପରବର୍ତ୍ତୀ ନିର୍ଦେଶ ଆସିବା ପର୍ଯ୍ୟନ୍ତ ପାଣି ବାହାରୁଥିବା ପମ୍ପ ବନ୍ଦ ରହିବ ବୋଲି ଦୁଇ ଅଧିକାରୀ କହିଛନ୍ତି। ତେବେ ପେଟ୍ରୋଲରୁ ପାଣି ବାହାରିବା ପାଇଁ କିଏ ଦାୟୀ ତାହା ସ୍ପଷ୍ଟ କରାଯାଇନାହିଁ।

ସମ୍ବନ୍ଧିତ ଖବର