ପାଣି ପାଇଁ କଠୋର ହେଲେ ମୁଖ୍ୟମନ୍ତ୍ରୀ

ଜଳକଷ୍ଟ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବେ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ
ପ୍ରତିଦିନ ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ
ଦାୟିତ୍ବରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ଭୁବନେଶ୍ବର : ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶହେ ପ୍ରତିଶତ ଆମେ ପ୍ରସ୍ତୁତ ଅଛୁ। ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳ ଏ ନେଇ ସରକାରଙ୍କୁ ଗୋଟିଏ ପ୍ରମାଣ ପତ୍ର ଦେବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରି ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବଶୀଘ୍ର ଗ୍ରୀଷ୍ମ ଋତୁ ଆସିଛି ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ରହିଛି। ଏଣୁ ଅଧିକ ପ୍ରସ୍ତୁତି କରିବାକୁ ହେବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରି ତାର ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ବ୍ୟବସ୍ଥା ହେବା ଉଚିତ୍। ଯେଉଁମାନେ କାର୍ଯ୍ୟରେ ଅବହେଳା କରିବେ, ଲୋକଙ୍କ ସମସ୍ୟାକୁ ଠିକଣା ଦୃଷ୍ଟି ଦେବେ ନାହିଁ, ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି ମୁଖ୍ୟଶାସନ ସଚିବ ଏବଂ ଜିଲ୍ଲାପାଳ ନିୟମିତ ସମୀକ୍ଷା କରି ସମାଧାନ ରାସ୍ତା କାଢ଼ିବା ଲାଗି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି। ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ସହରାଞ୍ଚଳରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ ୩୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ଲୋକଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା ଏବଂ ବିଶେଷକରି ଖରାଦିନରେ ଏହାର ଗୁରୁତ୍ବ ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସରକାରୀ ତଥ୍ୟ ମୁତାବକ ୨୦୨୧ରେ ପାନୀୟ ଜଳର ଆବଶ୍ୟକତା ଦୈନିକ ୧୦୮୮ ମିଲିଅନ ଲିଟର ରହିଛି। ସେ ସମୟରେ ଦୈନିକ ୧୦୯୩ ମିଲିଅନ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି। ତେଣୁ ବର୍ତ୍ତମାନ ପାନୀୟ ଜଳ ଯୋଗାଣର କ୍ଷମତା ବେଶ୍ ଭଲ ରହିଛି। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ବାସଗୃହ ଗୁଡିକୁ ପାନୀୟ ଜଳ ସଂଯୋଗ କ୍ଷେତ୍ରରେ ୧୬୮ ପ୍ରତିଶତ ଉନ୍ନତି ଆସିଛି ବିଭାଗମାନେ ତଥ୍ୟ ଦେଇଛନ୍ତି। ନଗର ଉନ୍ନୟନ ବିଭାଗ ଆହୁରି ତଥ୍ୟ ରଖିଛି ଯେ ରାଜ୍ୟର ୬୫ଟି ପୌରାଞ୍ଚଳର ୩୩୫ଟି ସ୍ଥାନରେ ପାନୀୟ ଜଳର ସମସ୍ୟା ରହିଛି। ଏଗୁଡିକୁ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି ପିଭିସି ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯିବ। ପାନୀୟ ଜଳର ସମସ୍ୟା ଥିବା ୧୧ଟି ପୌରାଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ କହିଥିଲେ ଯେ ସାରା ଦେଶରେ ପାନୀୟ ଜଳ କ୍ଷେତ୍ରରେ ୮୧ ପ୍ରତିଶତ ଲୋକଙ୍କୁ ଦୈନିକ ବ୍ୟକ୍ତି ପିଛା ୪୦ ଲିଟର ପାଣି ଦିଆଯାଉଥିବା ବେଳେ, ଓଡିଶାରେ ୧୦୦ ପ୍ରତିଶତ ଲୋକଙ୍କୁ ବ୍ୟକ୍ତି ପିଛା ଦୈନିକ ୪୦ ଲିଟର ପାଣି ଦିଆଯାଇପାରୁଛି। ଗ୍ରାମାଞ୍ଚଳ ଜନସଂଖ୍ୟାର ୪୭.୬୫ ପ୍ରତିଶତ ଲୋକ, ୫୪ ପ୍ରତିଶତ ଗାଁ ଓ ୨୭ ପ୍ରତିଶତ ଜନବସତିକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନୀୟ ଜଳ ଯୋଗାଣ ସଂପର୍କରେ ନିୟମିତ ସମୀକ୍ଷା କରାଯିବ। ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସଂଞ୍ଚାଳନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ମୋନା ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର