ଖପ୍ରାଖୋଲ: ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରାସ୍ଥିତ ଆବାସିକ ବିଦ୍ୟାଳୟରେ ୫୧୩ ଜଣ ବିଦ୍ୟର୍ଥୀ ରହି ପାଠ ପଢ଼ୁଥିବା ବେଳେ ଶିକ୍ଷା ଦାନ ପାଇଁ ଅଛନ୍ତି ୫ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ। ବିଦ୍ୟାଳୟଟି ୧୯୫୩ ମସିହାରୁ ସ୍ଥାପିତ ହୋଇଛି। କିନ୍ତୁ ବିଦ୍ୟାର୍ଥୀଙ୍କ ରହଣୀ ପାଇଁ ଆବାସିକ କୋଠା ୧୯୯୬ରେ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ଦୁଇ ଦୁଇ ଥର ମରାମତି ପାଇଁ ପର୍ଯ୍ୟାୟ କ୍ରମେ ଦୁଇ ଲକ୍ଷ ଓ ତିନି ଲକ୍ଷ ଅନୁଦାନ ଆସିଛି। ଛାତ୍ରୀ ନିବାସର ଝରକା, କବାଟ, ଚଟାଣରେ ଲାଗିଥିବା ଟାଇଲସ୍‌ର ଅବସ୍ଥା ନ କହିବା ଭଲ।

Advertisment

publive-image

ବେନକେରାସ୍ଥିତ ଆବାସିକ ବିଦ୍ୟାଳୟ ଗରିବ ଜନଜାତି, ଅନୁସୂଚିତ ଜାତିଙ୍କ ଶିକ୍ଷାର ସାଧନ କେନ୍ଦ୍ର। ହେଲେ ପାଠ ପଢିବେ କଣ? ବର୍ଷା ହେଲେ ରାତି ଅନିଦ୍ରା ରହିବାକୁ ପଡ଼ିଥାଏ। ସ୍କୁଲରେ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବେଡ଼, ଆସବାବ ପତ୍ର ଛାତରୁ ପାଣି ଗଲି ଓଦା ସରସର ହୋଇଯାଏ। ବର୍ଷା ହେବା ମାତ୍ରେ ଛାତ୍ରଛାତ୍ରୀମାନଙ୍କୁ ଡାଇନିଂ ହଲକୁ ସ୍ଥାନାନ୍ତର କରାଯାଉଛି। ଆସବାବ ପତ୍ର ଭିଜି ଯିବା ଏପରିକି ପାଣି ଗଳୁ ଥିବାରୁ ଓଦା ହୋଇ ଅନେକ ଛାତ୍ରୀ ଜ୍ୱରରେ ପୀଡ଼ିତ ହୁଅନ୍ତି। ବାହାରୁ ଚକାଚକ ଦିଶୁଥିବା କେବିକେ ଛାତ୍ରାବାସର ଭିତର ବ୍ୟବସ୍ଥା ଦେଖିଲେ ଆବାସିକ ସ୍କୁଲର ଭିତ୍ତଭୂମି ନଗ୍ନ ଚିତ୍ର ଛାଏଁ ଜଣା ପଡ଼ିଯିବ। ଛାତ ଫାଟି ଆଁ କରି ଥିବା ବେଳେ ଅତଡା ଖସୁଛି, ଲୁହା ରଡ଼ ଜଳ ଜଳ ଦିଶୁଛି। ଏପରି କ୍ଷେତ୍ରରେ ସୁରକ୍ଷିତ ମନେ କରୁନାହାନ୍ତି ଛାତ୍ରୀ।

ଏ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିବା କହିଛନ୍ତି ସ୍କୁଲ ଶିକ୍ଷକ ଶୀକ୍ଷୟତ୍ରୀମାନେ ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ମରାମତି ହେଇ ପାରୁନି ଯାହାଫଳରେ ଭୟରେ ଅଛନ୍ତି ଆବାସିକ ଅନ୍ତେବାସୀ। ସେଥିପାଇଁ ଯଥା ଶୀଘ୍ର ମରାମତି କରିବାକୁ ଅଞ୍ଚଳବାସୀ ଓ ସ୍କୁଲ କର୍ତ୍ତୃପକ୍ଷ ଦାବି କରିଛନ୍ତି।