୬୨୫ ଫୁଟ୍ ଟପିଲା ହୀରାକୁଦରେ ଜଳସ୍ତର: ମହାନଦୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ବର: ବଢ଼ୁଛି ହୀରାକୁଦ। ଏଠାରେ ଜଳସ୍ତର ୬୨୫ ଫୁଟ୍ ଟପିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୫.୦୪ ଫୁଟ୍ ରହିଛି। ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଡ୍ୟାମକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ବଡ଼ ବନ୍ୟା ଆସିବାର ଆଶଙ୍କା ଦେଖା ଦେଇଛି।

ସୂଚନାଯୋଗ୍ୟ, ୪ ଦିନର ଲଘୁଚାପ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଜଳ ଆସିଛି। ମହାନଦୀର ଶାଖା ନଦୀଗୁଡ଼ିକ ବି ଫୁଲିଛି। କେନ୍ଦ୍ରାପଡାରୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ନଦୀରେ ବନ୍ୟାଜଳ ଆସିବା ଫଳରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। କେଉଁଠି ଗାଁ ଭିତରେ ପାଣି ପଶିଯାଇଛି ତ କେଉଁଠି ପାଣି ପୋଲ ଭସାଇ ନେଇଛି। ଆଉ କେଉଁଠି ପାଣି କମିନଥିବାରୁ ଲୋକେ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡିଛନ୍ତି। ତେବେ ସୋମବାର ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ ପୂର୍ବାପେକ୍ଷା ଧୀରେ ଧୀରେ କମୁଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ ପକ୍ଷରୁ ସୋମବାର ରାତିରେ ମିଳିଥିବା ସୂଚନା ଅନୁସାରେ ଏବେ ୨୬ଟି ସ୍ଲୁଇସ୍ ଗେଟ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ଅପରାହ୍ନ ୪ଟାରେ ଅସ୍ଥାୟୀ ଭାବେ ୮ଟି ଗେଟକୁ ବନ୍ଦ କରି ଦିଆଯାଇଥିଲା। ଏହା ପୂର୍ବରୁ ଜଳଭଣ୍ଡାରରୁ ୩୪ଟି ଗେଟ୍ ମାଧ୍ୟମମରେ ଜଳ ନିଷ୍କାସିତ ହେଉଥିଲା। ତେବେ ମହାନଦୀର ତଳିଆ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ସଂକଟ ଟଳିନାହିଁ। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୧୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି।

ସମ୍ବନ୍ଧିତ ଖବର