୧୩ ବର୍ଷର ସର୍ବନିମ୍ନ ସ୍ତରରେ ହୀରାକୁଦ

ବିଦ୍ୟୁତ ଉତ୍ପାଦନ ସ୍ବାଭାବିକର ମାତ୍ର ୯%, ବେକାର ହୋଇଗଲାଣି ‘ରୁଲ୍‌ କର୍ଭ’,୨୦୦୨ ଇତିହାସର ପୁନରାବୃତ୍ତି ନ ହେଉ

ସମ୍ବଲପୁର : ଦୁଇ ଦିନ ତଳେ ସପ୍ତାହେ ଧରି ବଡ଼ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ‌ୟେଲୋ ଆଲର୍ଟ ବି ଜାରି ହୋଇଥିଲା। ତେବେ ସମ୍ବଲପୁର ଜିଲ୍ଲା ବିଶେଷକରି ହୀରାକୁଦର ଉପରମୁଣ୍ଡରେ ଆଶାନୁରୂପ ବର୍ଷା ହେଲାନି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ କମି କମି ଚାଲିଛି। ଜଳସ୍ତର ଗତ ୧୭ ବର୍ଷର ସର୍ବନିମ୍ନ ସ୍ତର ଆଡ଼କୁ ଗତି କରୁଛି। ବିଦ୍ୟୁତ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହୋଇଛି। କେନାଲକୁ ମଧ୍ୟ ଜଳଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି। ଆଗାମୀ ସପ୍ତାହରେ ଉପରମୁଣ୍ଡରେ ଭଲ ବର୍ଷା ହେବ ଓ ଜଳଭଣ୍ଡାର ସ୍ଥିତିରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଥିବା ବେଳେ ୨୦୦୨ ମସିହାର ସ୍ଥିତି ପୁନରାବୃତ୍ତି ନ ହେଉ‌ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାରର ଇତିହାସରେ ୨୦୦୨ ଏକ କଳାବର୍ଷ ଥିଲା। ପ୍ରତିବର୍ଷ ପ୍ରାୟତଃ ଅଗଷ୍ଟ ମାସରେ ହୀରାକୁଦ ଗେଟ୍‌ ଖୋଲା ଯାଉଥିବା ବେଳେ ସେ ବର୍ଷ ସର୍ବାଧିକ ବିଳମ୍ବରେ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ଗେଟ୍‌ ଖୋଲିଥିଲା। ସେ ବର୍ଷ ଶାସନ କେନାଲ ମଧ୍ୟ ଜଳଭଣ୍ଡାରରୁ ବିଚ୍ଛିନ୍ନ ହୋଇ ଜଳସେଚନ ପ୍ରଭାବିତ ହୋଇଥିଲା। ହୀରାକୁଦ ଡ୍ୟାମ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡାଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ, ଜଳଭଣ୍ଡାରର ଡେଡ୍‌ ଲେଭଲ ୫୯୦ ଫୁଟ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୦୨ ମସିହା ଜୁନ ମାସ ୨୫ ତାରିଖରେ ଜଳସ୍ତର ସର୍ବନିମ୍ନ ୫୯୧.୭୧ ଫୁଟ, ଜୁଲାଇ ୧ ତାରିଖରେ ୫୯୪.୬୯ ଫୁଟ, ଜୁଲାଇ ୧୫ ତାରିଖରେ ୫୯୨.୫୦ ଫୁଟ, ଜୁଲାଇ ୩୧ ତାରିଖରେ ୫୯୫.୪୩ ଫୁଟ ରହିଥିଲା। ସେପ୍ଟେମ୍ବର ମାସରେ ଜଳସ୍ତର ବୃଦ୍ଧି ପାଇବାରୁ ୩ ତାରିଖରେ ଡ୍ୟାମ୍‌ ଗେଟ୍‌ ଖୋଲାଯାଇ ଥିଲା। ସେହି ବର୍ଷ ସର୍ବାଧିକ ଜଳସ୍ତର ୬୨୬ ଫୁଟ ପର୍ଯ୍ୟନ୍ତ ହିଁ ପହଞ୍ଚିଥିଲା। ଚଳିତ ବର୍ଷର ସ୍ଥିତି ୨୦୦୨ ମସିହା ଭଳି ସଂଗିନ ନ ଥିଲେ ବି ପାଖାପାଖି ଅବସ୍ଥାରେ ପହଞ୍ଚିଛି। କିନ୍ତୁ ଏହି ୧୭ ବର୍ଷ ମଧ୍ୟରେ ଜଳଭଣ୍ଡାରେ ପଟୁ ପରିମାଣ ଯଥେଷ୍ଟ ବୃଦ୍ଧି ପାଇ ଜଳଧାରଣ କ୍ଷମତା ହ୍ରାସ ପାଇଥିବାରୁ ସ୍ଥିତି ଗୁରୁତର ବୋଲି ମନେ କରାଯାଉଛି। କେବଳ ୩୦ ତାରିଖର ବର୍ଷା ହିଁ ଶେଷ ଆଶା ରହିଛି।

ସେପଟେ ଗବେଷକ ବିମଳ ପାଣ୍ଡିଆଙ୍କ ଦ୍ବାରା ସଂଗୃହୀତ ତଥ୍ୟ କହୁଛି, ୨୦୦୬ ମସିହା ଜୁଲାଇ ୨୭ ତାରିଖରୁ ଏ ପର୍ଯ୍ୟନ୍ତ, ଆଜିର ଦିନ ଅର୍ଥାତ ଜୁଲାଇ ୨୮ ତାରିଖରେ ଜଳଭଣ୍ଡାରର ଜଳସ୍ତର ସର୍ବନିମ୍ନ ସ୍ତରକୁ ଖସି ଯାଇଛି। ଗତ ୧୩ ବର୍ଷ ମଧ୍ୟରେ ଜଳସ୍ତର କେବେ ବି ଏତେ ହ୍ରାସ ପାଇନଥିଲା। ଏହାର ପ୍ରଭାବ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିଛି। ଜୁଲାଇ ୨୭ ତାରିଖରେ ଉଭୟ ବୁର୍ଲା ଓ ଚିପିଲିମାରୁ ମିଶି ହାରାହାରି ମାତ୍ର ୧୪.୮ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇଛି। ବିଗତ ୧୩ ବର୍ଷର ହିସାବ ଦେଖିଲେ ଏହି ତାରିଖରେ ହାରାହାରି ୧୬୭.୪ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇଥିଲା। ଚଳିତ ବର୍ଷ ଏହି ଦିନର ଉତ୍ପାଦନ ହାରାହାରି ବିଦ୍ୟୁତ ଉତ୍ପାଦନର ମାତ୍ର ୯%।

କେବଳ ଜଳସ୍ତର ହ୍ରାସ ସମସ୍ୟାର କାରଣ ନୁହେଁ। ଉପମୁଣ୍ଡରେ ବର୍ଷା ହେଉନଥିବାରୁ ଜଳଭଣ୍ଡାରକୁ ଆସୁଥିବା ପାଣିର ପରିମାଣ ହ୍ରାସ ପାଉଛି। ଶ୍ରୀ ପାଣ୍ଡିଆ କହନ୍ତି, ହୀରାକୁଦ ବନ୍ଧର ପରିଚାଳନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ‘ରୁଲ କର୍ଭ’ ଅନୁସାରେ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାର ସମ୍ପୂର୍ଣ୍ଣ ଖାଲି ବା (ଡେଡ୍‌ ଲେଭଲ୍‌) ୫୯୦ ଫୁଟରେ ରହିବା କଥା। ସେହି ହିସାବରେ ଦେଖିଲେ ଚଳିତ ବର୍ଷ ଥିବା ସ୍ତରକୁ ନେଇ ଆଶ୍ଚର୍ଯ୍ୟ ହେବା କଥା ନୁହେଁ। କିନ୍ତୁ ହୀରାକୁଦ ବନ୍ଧ ଆଉ ‘ରୁଲ୍‌ କର୍ଭ’ ଅନୁସାରେ ପରିଚାଳିତ ହେଉନାହିଁ। କାରଣ ଜଳଭଣ୍ଡାରକୁ ଜଳ ପ୍ରବେଶ ତଥା ଜଳର ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଛି। ୧୯୮୮ରୁ ବନ୍ଧ ପରିଚାଳନା ପାଇଁ ବାଟ ଦେଖାଉଥିବା ‘ରୁଲ କର୍ଭ’ ଏକ ପ୍ରକାର ବେକାର ହୋଇ ସାରିଛି। ଜଳଭଣ୍ଡାରର ଲାଇଭ୍‌ ଷ୍ଟୋରେଜ୍‌ ବା ବ୍ୟବହାରଯୋଗ୍ୟ ଜଳ ଭଣ୍ଡାରର କ୍ଷମତା ଆରମ୍ଭରେ ୪.୭୨ ନିୟୁତ ଏକର ଫୁଟ ଥିଲା। ଜଳଭଣ୍ଡାର ପରିପୂର୍ଣ ହୋଇ ଜଳସ୍ତର ୬୩୦ ଫୁଟକୁ ପହଞ୍ଚିଲେ ଏତିକି ବ୍ୟବହାରଯୋଗ୍ୟ ପାଣି ରହୁଥିଲା। ପଟୁ ଜମା ହେବା କାରଣରୁ ହୀରାକୁଦର ଲାଇଭ୍‌ ଷ୍ଟୋରେଜ୍‌ ବହୁ ପରିମାଣରେ ହ୍ରାସ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୭ ମସିହାରେ ଇଂଜିନିୟର ଜୟସେଲନଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ଆକଳନ କରିଥିଲେ ଯେ ହୀରାକୁଦର ଲାଇଭ ଷ୍ଟୋରେଜ ପ୍ରାୟ ଏକ-ଚତୁର୍ଥାଂଶ ହ୍ରାସ ପାଇ ୩.୭୭ ନିୟୁତ ଏକର ଫୁଟକୁ ଖସି ଆସିଥିଲା। ସେହି ହିସାବରେ ପଟୁ ଜମା ହୋଇ ଚାଲିଥିଲେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ଅନ୍ତତଃ ୩.୫୪ ନିୟୁତ ଏକର ଫୁଟକୁ ଖସି ସାରିଥିବ। ଆଗାମୀ ଦିନରେ ଜଳଭଣ୍ଡାରର ଜଳସ୍ତର କେଉଁ ଆଡ଼କୁ ଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର