ପୁଣି ବର୍ଷା ବଢ଼ାଇଲାଣି ଚିନ୍ତା : ଫୁଲୁଛି କୋଲାବ, ତଳିଆ ଅଂଚଳର ଲୋକେ ଭୟଭୀତ

କୋରାପୁଟ : ଆଜି ସନ୍ଧ୍ୟାରୁ ପୁଣି ଆରମ୍ଭ ହୋଇଛି ବର୍ଷା। ଆସନ୍ତା ଦୁଇ ଦିନ ପ୍ରବଳ କାଚିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଲାଣି। ଏପଟେ କୋଲାବ ଜଳ ଭଣ୍ଡାର ଜଳସ୍ତର ବଢି ବଢି ବିପଦ ସଙ୍କେତ ପାଖାପାଖି ହୋଇ ଗଲାଣି। ଗତ ବର୍ଷା ଜିଲ୍ଲାରେ ୬୮୫ଟି ଘର ଭାଙ୍ଗିଥିଲା ବେଳେ ଏବେ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି। ହେଲେ ପ୍ରଶାସନ କହୁଛି, ବ୍ୟସ୍ତ ହେବାର ନାହିଁ। ସମସ୍ତ ପରିସ୍ଥିତି ପାଇଁ ପ୍ରଶାସନ ସଜାଗ ରହିଛି।

ଚଳିତବର୍ଷ କୋରାପୁଟ ଜିଲ୍ଲାରେ ଭଲ ବର୍ଷା ହେଉଛି। ଜୁନ୍‌ ମାସରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାରେ ଗଜା ମରୁଡିର ଆଶଙ୍କା ସୃଷ୍ଟି କରିଥିଲା। ଗତବର୍ଷ ଭଲ ବର୍ଷା ହୋଇ ନ ଥିବାରୁ ଏଥର ବି ସମାନ ସ୍ଥିତି ଦେଖାଦେବ ବୋଲି ଲୋକେ ଆଶଙ୍କା କରୁଥିଲେ। କିନ୍ତୁ ଜୁଲାଇ ମାସ ବେଳକୁ ସ୍ଥିତି ବଦଳି ଯାଇଥିଲା। ଜୁଲାଇ ପ୍ରଥମ ସପ୍ତାହରୁ ଭଲ ବର୍ଷା ହୋଇଥିଲା। ଲଗାତାର ଲଘୁଚାପ ହେବାରୁ ବର୍ଷା ଲାଗି ରହିଥିଲା। ଫଳରେ ଜୁଲାଇରେ ଅଧିକ ବୃଷ୍ଟିପାତ ହୋଇଥିଲା। ଅଗଷ୍ଟରେ ମଧ୍ୟ ଏହି ଧାରା ଜାରି ରହିଛି। ଲଗାଣ ବର୍ଷା କାରଣରୁ କୋଲାବର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୮୫୮ ମିଟର ରହିଥିଲା ବେଳେ ଆଜି ସକାଳ ସୁଦ୍ଧା ଏଠାରେ ଜଳସ୍ତର ୮୫୪.୬୪ ମିଟରରେ ପହଞ୍ଚିଛି। ଗତବର୍ଷ ଆଜିର ତାରିଖରେ ଏଠାରେ ଜଳସ୍ତର ୮୫୦ମିଟରରୁ ସାମାନ୍ୟ ଅଧିକ ଥିଲା। ଏଥର ସାଢେ ୪ମିଟର ଅଧିକ ପାଣି ଥିବାରୁ ଏବଂ ଆଗକୁ ବଡ ବର୍ଷା ଆସୁଥିବାରୁ ଜଳଭଣ୍ଡାରର ଫାଟକ ଖୋଲିବାର ଆଶଙ୍କା ଦେଖାଦେଲାଣି। ଏହା ତଳିଆ ଅଂଚଳର ଲୋକଙ୍କୁ ଏବେଠାରୁ ଭୟଭୀତ କଲାଣି।

ଗତ ବର୍ଷାରେ ଜିଲ୍ଲାରେ ୬୮୫ଟି ଘର ଭାଙ୍ଗିଥିବା ସରକାରୀ ଭାବେ କୁହାଯାଇଛି। ନନ୍ଦପୁର ବ୍ଲକରେ ସର୍ବାଧିକ ୧୧୮ଟି ଘର ଭାଙ୍ଗିଥିଲା ବେଳେ ନାରାୟଣପାଟଣାରୁ ଘର ଭଙ୍ଗା ରିପୋର୍ଟ କିଛି ଆସି ନାହିଁ। କୋରାପୁଟରେ ୩୬, ଲମତାପୁଟରେ ୨୧, ପଟାଙ୍ଗୀରେ ୫, ବନ୍ଧୁଗାଁରେ ୫, ଦଶମନ୍ତପୁରରେ ୪୦, ଲକ୍ଷ୍ମୀପୁରରେ ୯୯, ସେମିଳିଗୁଡାରେ ୧୦୫, ଜୟପୁରରେ ୪୯, କୋଟପାଡରେ ୫୬, କୁନ୍ଦୁରାରେ ୨୩, ବୋରିଗୁମ୍ମାରେ ୭୨ ଓ ବୈପାରିଗୁଡାରେ ୫୬ଟି ଘର ଭାଙ୍ଗିଥିବା ସରକାରୀ ଭାବେ କୁହାଯାଇଛି। ତେବେ ଘର ଭଙ୍ଗା ନେଇ ରିପୋର୍ଟ ଆସୁଥିବାରୁ ଏହି ସଂଖ୍ୟା ଅଧିକ ବଢିବ ବୋଲି ଅନୁମାନ କରାଯାଉଛି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବର୍ଷା ଜନିତ ସ୍ଥିତିର ସାମ୍ନା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର