ବାଲେଶ୍ବର ୩ ନଦୀରେ ଜଳସ୍ତର ହ୍ରାସ: ଏବେ ବି ପାଣିଘେରରେ ୫୦ରୁ ଅଧିକ ଗାଁ, ଜଳ ନିଷ୍କାସନ ପ୍ରମୁଖ ସମସ୍ୟା

ବାଲେଶ୍ବର: ଲଗାତାର ୬ ଦିନ ଧରି ଲଘୁଚାପଜନିତ ଅବିଶ୍ରାନ୍ତ ବର୍ଷା‌ ପରେ ବାଲେଶ୍ବର ଜିଲ୍ଲାର ପ୍ରମୁଖ ୩ ନଦୀର ଜଳସ୍ତର ବୃଦ୍ଧି ପାଇ ନଦୀକୂଳବାସୀଙ୍କୁ ଆତଙ୍କିତ କରିଥିଲା। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା‌ରେ ଜଳସ୍ତର କମୁଥିବା ବେଳେ ଜଳକା ନଦୀର ଜଳସ୍ତର ଏବେ ବି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ବସ୍ତା ଓ ସଦର ବ୍ଲକର ୧୦ଟି ପଞ୍ଚାୟତର ୫୦ରୁ ଅଧିକ ଗ୍ରାମବାସୀଙ୍କ ଜୀବନ ଜୀବକା ପ୍ରଭାବିତ ହୋଇଛି।

ଗତ ୧୧ତାରିଖ ସନ୍ଧ୍ୟାରେ ଜଳକାର ଜଳସ୍ତର ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଅତିକ୍ରମ କରିଥିଲା। ଏହାପରେ ୧୪ ତାରିଖ ରାତିରେ ଏହା ୬.୫୦ ମିଟର ଅତିକ୍ରମ କରିବା ପରେ ମଥାନୀ, ଦୁଧହଂସା, ବାସୁଚକୁରି, ବାହାର୍ଦ୍ଦା, ଇଡ଼ିଦା, କୁଡ଼ିଆ ଓ ବାଲେଶ୍ବର ସଦର ବ୍ଲକର ରସଲପୁର, ଶ୍ରୀରାମପୁର, କୁରାଡ଼ିହା ଏବଂ ହଳଦୀପଦା ପଞ୍ଚାୟତର ୫୦ରୁ ଅଧିକ ଗ୍ରାମବାସୀ ପାଣିଘେରରେ ରହିଛନ୍ତି। ଏବେ ୬. ୩୬ ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀରେ ଧୀରେ ଧୀରେ ଜଳସ୍ତର କମୁଥିଲେ ମଧ୍ୟ ଚାଷଜମି, ଗାଁ ଏବଂ ରାସ୍ତାଘାଟ ଜଳମଗ୍ନ ହୋଇ ରହିଛି। ସ୍ଥିତି ଏପରି ହୋଇଛି ଘର ଭିତରେ ଆଣ୍ଠୁଏ ପାଣି ଠିଆ ହୋଇଥିବାରୁ ୨/୩ ଦିନ ହେଲା ଅନେକଙ୍କ ଘରେ ଚୁଲି ଜଳିନାହିଁ। ଲଗାତାର ବର୍ଷା ଓ ନଦୀ‌ରେ ପାଣି ବଢ଼ୁଥିବାରୁ ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳ ପ୍ରତି ସଜାଗ ରହିବା ସହ ପ୍ରଭାବିତଙ୍କୁ ଆବଶ୍ୟକ ସହାୟତା ଯୋଗା‌ଇ ଦେବାକୁ ତହସିଲଦାର ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଞ୍ଚଳର ମଥାନୀ ଓ ଚକୁରୀ ପଞ୍ଚାୟତର ବନ୍ୟାଜନିତ ସମସ୍ୟା ଏବଂ ଲୋକଙ୍କୁ ସହାୟତା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ଯେତେବେଳେ ପଚରାଗଲା ବନ୍ୟାଜନିତ କୌଣସି କ୍ଷୟକ୍ଷତି ହୋଇନଥିବାରୁ କାହାକୁ ସହାୟତା ଯୋଗା‌ ଯାଇନଥିବା ସେ କହିଛନ୍ତି। ସେହିପରି ଶହଶହ ଏକର ଚାଷଜମି ବନ୍ୟାପାଣିରେ ବୁଡ଼ି ରହିଥିବାରୁ ଧାନତଳି ନଷ୍ଟ ହେବାକୁ ବସିଲାଣି। ଏଥର ବିଳମ୍ବିତ ବର୍ଷା ଯୋଗୁ ଚାଷକାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ ଲଗାଣ ବର୍ଷାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ‌ହୋଇଛି।

ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବାଲେଶ୍ବର ଜିଲ୍ଲାର ବସ୍ତା ଓ ସଦର ବ୍ଲକ ଉକ୍ତ ପଞ୍ଚାୟତଗୁଡ଼ିକ ଜଳକା ନଦୀର ବନ୍ୟା ଦ୍ବାରା ପ୍ରଭାବିତ ହୋଇଥାନ୍ତି। ମାତ୍ର ଏହାର ପ୍ରତିକାର ଲାଗି ଜଳସେଚେନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ଯାଉନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନଦୀର ଏକାଧିକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ରହିଥିଲେ ମଧ୍ୟ ବର୍ଷା ପୂର୍ବରୁ ସେଗୁଡ଼ିକ ସୁଦୃଢ଼ୀକରଣ କରା ଯାଉନାହିଁ। ବାରିଦାରୁ ଲକ୍ଷ୍ମଣପଡ଼ା ୪ କିଲୋମିଟର ପର୍ଯ୍ୟନ୍ତ ନଦୀରେ ଦଳ ଭର୍ତ୍ତି ହୋଇଥିଲେ ହେଁ ତାହା ନିୟମିତ ସଫା କରା ଯାଉନଥିବାରୁ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ପାରୁନାହିଁ। ଏଥିସହ ଏହାର ଶାଖାନଦୀ ଭାବେ କୁଙ୍କୁଡ଼ି ଏବଂ ହାତୀମରାରେ ଦଳ ଓ ଅନାବନା ଘାସ ଭର୍ତ୍ତି ହୋଇଥିବାରୁ ବର୍ଷାଦିନେ ଜଳ ନିଷ୍କାସନ ହୋଇ ନପାରି ବନ୍ୟା ସମସ୍ୟା ସୃଷ୍ଟି ହେଉଛି। ୨୦୧୬-୨୦୧୭ ମସିହାରେ ଜଳକା ନଦୀର ଏହି ଦୁଇ ଶାଖାନଦୀକୁ ଜଳ ନିଷ୍କାସନ ବିଭାଗ ପକ୍ଷରୁ ଖୋଳା ଯିବା ସହ ପ୍ରଶସ୍ତୀକରଣ କରାଯାଇଥିଲା।

ବର୍ତ୍ତମାନ ଏହି ଦୁଇ ଶାଖାନଈର ସ୍ଥିତି କିପରି ଅଛି ବିଭାଗୀୟ ଅଧିକାରୀଙ୍କୁ ତାହା ଜଣାନାହିଁ। ସେହିପରି ଏସବୁ ଅଞ୍ଚଳରେ ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ବେଆଇନ ଚିଙ୍ଗୁଡ଼ିଘେରି। ନଦୀପାର୍ଶ୍ବକୁ ଲାଗି ସରକାରୀ ଜମିରେ ବେଆଇନ୍‌ ଭାବେ ୩୦୦ରୁ ଅଧିକ ଚିଙ୍ଗୁଡ଼ିଘେରି କରା ଯାଇଥିବାରୁ ସେଗୁଡ଼ିକ ଜଳ ନିଷ୍କାସନରେ ଅନ୍ତରାୟ ହେଉଛି। ଚିଙ୍ଗୁଡ଼ି ଘେରି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଦାବି କରା ଯାଉଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ। ଫଳରେ ବନ୍ୟା ଆସିଲେ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢୁଛି। ସେପଟେ ବିଭାଗୀୟ ଅଧିକାରୀମାନେ ପ୍ରଶାସନ ଓ ସରକାରଙ୍କୁ ଭୁଲ ରିପୋର୍ଟ ଦେଇ ନିଜ ନିଜର ଦୋଷ ଦୁର୍ବଳତା ଚାପି ‌ଦେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର