ଲଗାଣ ବର୍ଷାରେ ବଢ଼ୁଛି ବୈତରଣୀର ଜଳସ୍ତର

କେନ୍ଦୁଝର/ପାଣିକୋଇଲି : କିଛିଦିନ ଧରି ଲଗାଣ ବର୍ଷା ଫଳରେ ବୈତରଣୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବିପଦ ସଙ୍କେତ ପାଖରେ ପହଞ୍ଚି ନଥିଲେ ମଧ୍ୟ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡ ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରଯାଉଛି।

କେନ୍ଦୁଝର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ବୈତରଣୀରେ ପାଣି ବଢ଼ିଲେ ହାଟଡିହି, ଆନନ୍ଦପୁର ଭଳି ତଳୁଆ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ବୈତରଣୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ସତର୍କ ସଙ୍କେତ ହେଉଛି ୩୭.୪୫ ମିଟର। ବୁଧବାର ମଧ୍ୟାହ୍ନ ସୁଦ୍ଧା ବୈତରଣୀର ଆନନ୍ଦପୁରଠାରେ ଜଳସ୍ତର ୩୩.୫୦ ମିଟର ରହିଥିଲା ବେଳେ ସଂଧ୍ୟା ୭ଟା ବେଳେ ଏହା ୩୪ମିଟରରେ ପହଞ୍ଚିଛି। ସେହିପରି ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୧୦ଟାବେଳେ ଏଠାରେ ଜଳସ୍ତର ୧୭.୨୬ ମିଟର ଥିଲା।

କେନ୍ଦୁଝର ଜିଲ୍ଲାର ଗୋନାସିକାଠାରୁ ବାହାରିଥିବା ଏହି ବୈତରଣୀ ନଦୀରେ ଜିଲ୍ଲାର ଏକାଧିକ ଉପନଦୀ ମିଶିଛନ୍ତି। ଉପରମୁଣ୍ଡରେ ବୈତରଣୀରେ ସୁନା ନଈ, ମଲଦା, ଜଳପା, ରାଣୀମା ମିଶିଥିବା ବେଳେ ତଳମୁଣ୍ଡରେ କଙ୍ଗିରା, ମାଛକାନ୍ଦଣା, ଅରଡେଇ, କାନଝାରୀ, ସୀତା, କୁକୁରକଟା, ମୂଷଳ, କୁଶେଇ, ଖଈରିଭଣ୍ଡନ, ଦେଓ, ତେଲ, ସିମିସିମି, ସାଳନ୍ଦୀ, କୁନ୍ଦୁର, ଧୋବାପିଟା, ଟମକାଯୋଡି, ଶଗଡ଼ିଆ, ଚାଟୁରୀ, କଣ୍ଟାମୂଳି, ମେମେର୍ଦା, ଜହ୍ନେଇ, ନେଉଳଜୋରୀ, ମୁହାଣ, ସିମିଳି, ତଣ୍ଡିଯୋଡା, ଭାଲୁଘର, ଦଲକି ଆଦିର ପାଣି ବୈତରଣୀ‌ରେ ମିଶୁଛି। ଗତ ତିନି ଦିନ ହେଲା ବର୍ଷା ହେଉଥିବାରୁ ଏହି ଉପନଦୀଗୁଡ଼ିକର ପାଣି ମିଶି ବୈତରଣୀ ଫୁଲିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ବୁଧବାର ଦିନ ସବୁଠୁ ଅଧିକ ବର୍ଷା ହୋଇଛି। କେନ୍ଦୁଝର ସଦର ବ୍ଲକରେ ୪୮.୨ ମିମି ବର୍ଷା ହୋଇଥିବା ବେଳେ ବାଂଶପାଳ ବ୍ଲକରେ ୩୪.୩ ମିମି ବର୍ଷା, ତେଲକୋଇ ବ୍ଲକରେ ୪.୮ ମିମି ବର୍ଷା ହୋଇଛି। ସେହିପରି ପାଟଣା ବ୍ଲକରେ ୨୯.୨ ମିମି ବର୍ଷା ହୋଇଥିବା ବେଳେ ସାହାରପଡା ବ୍ଲକରେ ୧୯.୨ ମିମି ବର୍ଷା, ଘଟଗାଁ ବ୍ଲକରେ ୨୨.୬ ମିମି ବର୍ଷା, ହରିଚନ୍ଦନପୁର ବ୍ଲକରେ ୨୩.୦ ମିମି ବର୍ଷା, ଆନନ୍ଦପୁର ବ୍ଲକରେ ୨୩.୪ ମିମି, ଘଷିପୁରା ବ୍ଲକରେ ୪୬.୧ ମିମି, ହାଟଡିହି ବ୍ଲକରେ ୫୨.୨ ମିମି, ଚମ୍ପୁଆ ବ୍ଲକରେ ୧୭.୧ ମିମି, ଯୋଡା ବ୍ଲକରେ ୨୫.୪ ମିମି ଏବଂ ଝୁମ୍ପୁରା ବ୍ଲକରେ ୧୫.୨ ମିମି ବର୍ଷା ହୋଇଛି। ‌ସେହିପରି ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ୨୬ ମିମି, ଯାଜପୁରରେ ୩୫, ବିଂଝାରପୁରରେ ୧୦, ଦଶରଥପୁରରେ ୨୩, ଦାନଗଦୀରେ ୨୨.୪, ସୁକିନ୍ଦା ୩୯, ରସୁଲପୁରରେ ୩୫.୮, ଧର୍ମଶାଳାରେ ୬୫, ବଡ଼ଚଣାରେ ୧୨ ଓ ବରୀ ବ୍ଲକରେ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର