ହୀରାକୁଦରୁ କମିଲା ଜଳ ପ୍ରବାହ; ପ୍ରଭାବିତ ହୋଇପାରେ ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ଓ ଶିଳ୍ପକୁ ଜଳ ଯୋଗାଣ

ଭୁବନେଶ୍ବର: ମହାନଦୀ ପାଣିକୁ ନେଇ ବଡ ଚାଲ ଖେଳିଛି ପଡୋଶୀ ଛତିଶଗଡ । ଅଣମୌସୁମୀ ଋତୁ ଆରମ୍ଭ ହେବା କ୍ଷଣି କଲମା ବ୍ୟାରେଜର ଗେଟ୍ ବନ୍ଦ କରିବା ଆରମ୍ଭ କରିଦେଇଛି । ଫଳରେ ହୀରାକୁଦ ଜଳଭଣ୍ଡାରୁ ଜଳ ପ୍ରବାହ କମି ଯାଇଛି । ଫଳରେ ହୀରାକୁଦରେ ଜଳ କମିଗଲେ ଓଡିଶାରେ ବିଦ୍ୟୁତ୍ ଉତ୍ପାଦନ, ଚାଷ ଓ ଶିଳ୍ପାନୁଷ୍ଠାନ ପ୍ରଭାବିତ ହୋଇପାରେ ।

ଛତିଶଗଡ କଲମା ବ୍ୟାରେଜର ୬୧ଟି ଗେଟ୍ ବନ୍ଦ କରି ଦେଇଛି । ଏବେ ୫ଟି ଗେଟ୍ ଦେଇ ସେକେଣ୍ଡ ପ୍ରତି ମାତ୍ର ୫ ହଜାର ୧୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମି ଯାଇଛି । ପ୍ରତି ସେକେଣ୍ଡରେ ୯ ହଜାର ୯୪୫ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯ ଦଶମିକ ୭୫ ଫୁଟ୍ ରହିଛି । ହୀରାକୁଦକୁ ଜଳ ପ୍ରବାହ କମିବା ଫଳରେ ଆଗାମୀ ଦିନରେ ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି ।

ହୀରାକୁଦ ଜଳଭଣ୍ଡାର ମୁଖ୍ୟତଃ ମହାନଦୀ ଓ ଏହାର ଉପନଦୀ ଗୁଡିକ ଉପରେ ନିର୍ଭର କରିଥାଏ । ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆ ପ୍ରାୟ ୯୦ ପ୍ରତିଶତ ଛତିଶଗଡରେ ରହିଥିବା ବେଳେ ବାକି ଅଞ୍ଚଳ ଓଡ଼ିଶାରେ ରହିଛି । ଜୁନ୍ ୧ରୁ ଅକ୍ଟୋବର ୩୧ ମୌସୁମୀ ଋତୁରେ ହୀରାକୁଦକୁ ଯେତିକି ପାଣି ଆସିଥାଏ ଅଣମୌସୁମୀ ଋତୁ ଅର୍ଥାତ ନଭେମ୍ବରରୁ ମେ’ ମାସ ମଧ୍ୟରେ ତାଠାରୁ ଯଥେଷ୍ଟ କମ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରେ । ଛତିଶଗଡରେ କଲମା ବ୍ୟାରେଜ ହେବା ଦିନରୁ ଅଣମୌସୁମୀ ଋତୁରେ ଆଗଭଳି ଆଉ ପାଣି ଆସୁନାହିଁ ।

ସମ୍ବନ୍ଧିତ ଖବର